ଭୁବନେଶ୍ୱର,୧୪/୦୫: ରାଜ୍ୟରେ ଅଧିକରୁ ଅଧିକ ଇଭି ଗାଡ଼ି ବ୍ୟବହାର କରିବାକୁ ଅପିଲ୍ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା । ପଶ୍ଚିମ ଏସିଆର ବର୍ତ୍ତମାନ ସ୍ଥିତି ଓ ଦେଶର ଅର୍ଥନୀତିକୁ ଦୃଷ୍ଟିରେ ରଖି ଇଭି ବ୍ୟବହାରକୁ ଗୁରୁତ୍ୱ ଦେବାକୁ ସେ କହିଛନ୍ତି ।ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ସୁନା ଓ ତେଲର କମ୍ ବ୍ୟବହାର ସହ ବୈଦେଶିକ ଗସ୍ତକୁ ସୀମିତ କରିବାକୁ ଆହ୍ୱାନ ଦେଇଛନ୍ତି । ଏଭଳି ପରିସ୍ଥିତିରେ ଇଭି ଗାଡ଼ିର ବ୍ୟବହାର ହେଉଛି ସମୟର ଆବଶ୍ୟକତା ।
ସେ କହିଛନ୍ତି, “ୱର୍କ ଫ୍ରମ୍ ହୋମ୍”କୁ ଅଧିକ ଗୁରୁତ୍ୱ ଦେବା ସହ ସରକାରୀ କାର୍ଯ୍ୟାଳୟରେ ବ୍ୟବହୃତ ହେଉଥିବା ଗାଡ଼ିଗୁଡିକୁ ପର୍ଯ୍ୟାୟକ୍ରମେ ଇଭିରେ ପରିବର୍ତ୍ତନ କରାଯିବ ।
ଇଭି ଗାଡ଼ି କ୍ରୟ ପାଇଁ ଦିଆଯାଉଥିବା ସବସିଡିକୁ ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଗାଡ଼ି ସଂଖ୍ୟା ହ୍ରାସ ନିଷ୍ପତ୍ତିକୁ ସ୍ୱାଗତ କରି ମନ୍ତ୍ରୀ କହିଛନ୍ତି, ଏବେ ୩ଟି ପାଇଲଟ୍ ଗାଡ଼ି ପରିବର୍ତ୍ତେ ମାତ୍ର ଗୋଟିଏ ପାଇଲଟ୍ ଗାଡ଼ି ବ୍ୟବହାର କରାଯିବ ।ନିଜେ ମଧ୍ୟ ସରକାରୀ ବସ୍ରେ ଯାତାୟାତ କରିବେ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।
