ଭୁବନେଶ୍ୱର,୧୪/୦୫:ରିଲିଜ୍ ହେଲା “ମେମସାହାବ” ଫିଲ୍ମର ଟ୍ରେଲର ସହ ଅଡିଓ ।ଦୀର୍ଘ ୪ ବର୍ଷ ପରେ ପୁଣି ଓଲିଉଡ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ପ୍ରିୟା ଚୌଧୁରୀ। ଓଡ଼ିଆ ଚଳଚ୍ଚିତ୍ର ‘ମେମସାହାବ’ ମାଧ୍ୟମରେ ସେ କମବ୍ୟାକ କରୁଥିବାବେଳେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି।ଯାହାକୁ ଢେର୍ ସାରା ଭଲ ପାଇବା ମିଳୁଛି ଦର୍ଶକଙ୍କ ଠାରୁ ।ନିକଟରେ ରିଲିଜ୍ ହୋଇଥିବା ଟିଜରରେ ପ୍ରିୟାଙ୍କ ନୂଆ ଲୁକ୍ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।ସିନେମାସ୍କୋପ୍ ସଲ୍ୟୁସନ୍ ଓ ଓଏମ୍ ଗ୍ରାଫିକ୍ସ ଏଣ୍ଟରଟେନମେଣ୍ଟର ମିଳିତ ପ୍ରୟାସରେ ନିର୍ମିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱ ଭୂଷଣ ମହାପାତ୍ର ଓ କାଳୀ ପ୍ରସାଦ ମିଶ୍ର। ପ୍ରଯୋଜକ ଭାବେ କାଳୀ ପ୍ରସାଦ ମିଶ୍ର ଦାୟିତ୍ୱ ତୁଳାଇଥିବା ବେଳେ ସହ-ପ୍ରଯୋଜକ ଅନିଲ ଯାଦବ ରହିଛନ୍ତି।
ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଅମିତ କୁମାର ଦାଶ ଲେଖିଥିବା ବେଳେ ଡିଓପି ଭାବେ ବିଶ୍ୱ ଭୂଷଣ ମହାପାତ୍ର କାମ କରିଛନ୍ତି। ସିନେମାଟୋଗ୍ରାଫିର ଦାୟିତ୍ୱରେ ଅଛନ୍ତି କେ. ସୁନୀଲ ଓ ମନୋଜ ପାତ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ତ୍ରିପାଠି ଓ ବନି ମହାନ୍ତି।‘ମେମସାହାବ’ରେ ପ୍ରିୟା ଚୌଧୁରୀଙ୍କ ସହ ଚିତ୍ତରଞ୍ଜନ ତ୍ରିପାଠୀ ଓ ସମ୍ଭବ ମାନସିଂହ ମୁଖ୍ୟ ଭୂମିକାରେ ନଜର ଆସିବେ। ଥ୍ରିଲର, ସସପେନ୍ସ ଓ ହରରରେ ଭରପୂର ଏହି ଚଳଚ୍ଚିତ୍ରଟି ଏକ ଆଲିଶାନ୍ ବାସଭବନରେ ଘଟୁଥିବା ରହସ୍ୟମୟ ଘଟଣାକୁ ନେଇ ଆଧାରିତ ହୋଇଛି।ଯାହା ମେ ୧୫ ତାରିଖରେ ରିଲିଜ୍ ହେବ।
