ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଜରୁରୀ ଫାଇଲ୍ ଗାୟବ ହେବା ଖବର ଉପରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ ଏହି ଫାଇଲଗୁଡ଼ିକୁ ତୁରନ୍ତ ଖୋଜିବା ସହ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି। ସେ କହିଛନ୍ତି ଯେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଭଳି ସମ୍ବେଦନଶୀଳ ମାମଲାର ସତ ସାମ୍ନାକୁ ଆଣିବାକୁ ହେଲେ ଏହି ଫାଇଲ୍ଗୁଡ଼ିକ ମିଳିବା ବହୁତ ଜରୁରୀ। ଅଫିସ୍ ରଜିଷ୍ଟର ଯାଞ୍ଚ କଲେ ଜଣାପଡ଼ିବ କିଏ ଏହି ଫାଇଲ୍ ସବୁ ନେଇଥିଲା, ତେଣୁ ସେମାନଙ୍କୁ ବି ତଦନ୍ତ ଘେରକୁ ଅଣାଯାଉ। ଏହି ଗାୟବ ହୋଇଥିବା ରିପୋର୍ଟ ନମିଳିଲେ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ପ୍ରକୃତ ଦିଗ ଜଣାପଡ଼ିବ ନାହିଁ ବୋଲି ସେ କହିଛନ୍ତି।
ଏହା ସହିତ ସେ ଓଡ଼ିଶାର ଅନ୍ୟାନ୍ୟ ବଡ଼ ବଡ଼ ମାମଲାର ପୁନଃ ତଦନ୍ତ ପାଇଁ ଦାବି କରିଛନ୍ତି। ଏଥିରେ ପୂର୍ବତନ ମନ୍ତ୍ରୀ ନବ ଦାସ ଏବଂ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ସାମିଲ ଅଛି। ଲୋକଙ୍କୁ ନ୍ୟାୟ ଦେବା ପାଇଁ ମାହାଙ୍ଗା ଡବଲ ମର୍ଡର ମାମଲାକୁ ପୁଣି ଥରେ ଖୋଲିବାକୁ ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଫାଇଲ୍ ହଜିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଜୟନାରାୟଣଙ୍କ ଏହି ବୟାନ ରାଜନୀତିକୁ ଆହୁରି ସରଗରମ କରିଦେଇଛି। ସେ କହିଛନ୍ତି ଯେ ଏଭଳି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗାୟବ ହେବା ସରକାରଙ୍କ ସ୍ୱଚ୍ଛତା ଓ ଦାୟିତ୍ୱବୋଧ ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲଗାଉଛି।
