ମାଲକାନଗିରି: ଓଡ଼ିଶାର ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ମାଓ-ବିରୋଧୀ ଅଭିଯାନ ସମୟରେ ନାରାୟଣପୁର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ ସେଠାରୁ ବହୁ ପରିମାଣର ନଗଦ ଟଙ୍କା, ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଦ୍ରବ୍ୟ ଜବତ କରିଛନ୍ତି। ପୋଲିସ ଏହି ମାଓ କ୍ୟାମ୍ପରୁ ୧୧,୬୪,୦୦୦ ଟଙ୍କା ନଗଦ ସହିତ ଏକେ-୪୭ ରାଇଫଲ୍, ଏସଏଲଆର (SLR), ଇନସାସ୍ (INSAS) ରାଇଫଲ୍, .୩୦୩ ରାଇଫଲ୍, ଏଲଏମଜି (LMG), ବିଜିଏଲ୍ (BGL) ଏବଂ ରକେଟ୍ ଲଞ୍ଚର ଭଳି ମାରାତ୍ମକ ଅସ୍ତ୍ର ଜବତ କରିଛି। ଏହା ବ୍ୟତୀତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି।
ପୋଲିସର ସୂଚନା ଅନୁଯାୟୀ, ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଏହି ସର୍ଚ୍ଚ ଅପରେସନ୍ କରାଯାଇଥିଲା। ତଲାସି ଅଭିଯାନ ସମୟରେ ଯବାନମାନେ ଜଙ୍ଗଲ ଭିତରେ ମାଟି ତଳେ ଲୁଚାଇ ରଖାଯାଇଥିବା ଏହି ବିପୁଳ ସମ୍ପତ୍ତି ଓ ଅସ୍ତ୍ରଶସ୍ତ୍ର ଖୋଜି ବାହାର କରିଥିଲେ। ପୋଲିସ ସନ୍ଦେହ କରୁଛି ଯେ, ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ପାଇଁ ମାଓବାଦୀମାନେ ଏହି ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିଥିଲେ ଏବଂ ଜବତ ଟଙ୍କା ମାଓ କାର୍ଯ୍ୟକଳାପ ପାଇଁ ବ୍ୟବହାର ହେବାର ଥିଲା। ଆଗାମୀ ଦିନରେ ଅବୁଝମାଡ଼ ଅଞ୍ଚଳରେ ଏହିଭଳି ସର୍ଚ୍ଚ ଅପରେସନ୍ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
