ଅହମ୍ମଦାବାଦ: ଚାଲିଥିବା ଆଇପିଏଲ୍ ୨୦୨୬ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ପରାଜୟ ପରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ପାଟ୍ କାମିନ୍ସଙ୍କୁ ବିସିସିଆଇ (BCCI) ୧୨ ଲକ୍ଷ ଟଙ୍କାର ଜରିମାନା କରିଛି। ମ୍ୟାଚ୍ ସମୟରେ ମନ୍ଥର ଓଭର-ରେଟ୍ ବଜାୟ ରଖିବା ଯୋଗୁଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଆଇପିଏଲ୍ ଆଚରଣ ବିଧିର ଧାରା ୨.୨୨ ଅନୁଯାୟୀ ଚଳିତ ସିଜନରେ ଏହା ତାଙ୍କର ପ୍ରଥମ ଅପରାଧ ହୋଇଥିବାରୁ ତାଙ୍କୁ ସର୍ବନିମ୍ନ ଜରିମାନା ସହ ଛାଡ଼ି ଦିଆଯାଇଛି। ଅନ୍ୟପଟେ, ହାଇଦ୍ରାବାଦ ଏହି ମ୍ୟାଚ୍ରେ ଗୁଜରାଟଠାରୁ ୮୨ ରନ୍ର ଏକ ଅପମାନଜନକ ପରାଜୟ ସ୍ୱୀକାର କରିଛି। ଗୁଜରାଟର ଦ୍ରୁତ ବୋଲରଙ୍କ ମାରାତ୍ମକ ବୋଲିଂ ଆଗରେ ହାଇଦ୍ରାବାଦର ବ୍ୟାଟିଂ ୟୁନିଟ୍ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ୧୬୯ ରନ୍ର ପିଛା କରି ହାଇଦ୍ରାବାଦ ବିଜୟୀ ହେବାର ଆଶା ରଖିଥିଲେ ମଧ୍ୟ ଟପ୍ ଅର୍ଡର ଆଉଟ୍ ହେବା ପରେ ୱିକେଟ୍ ଗୁଡ଼ିକ ତାସଘର ଭଳି ପଡ଼ିଯାଇଥିଲା ଏବଂ ପୁରା ଟିମ୍ ମାତ୍ର ୮୬ ରନ୍ରେ ଅଲ୍-ଆଉଟ୍ ହୋଇଯାଇଥିଲା।
ଗୁଜରାଟ ପାଇଁ କାଗିସୋ ରବାଡା ଏବଂ ଜାସନ ହୋଲ୍ଡର ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ସହଜ ବିଜୟ ସହ ଶୁଭମନ ଗିଲ୍ଙ୍କ ନେତୃତ୍ୱାଧୀନ ଗୁଜରାଟ ଟିମ୍ ପଏଣ୍ଟ ଟେବୁଲ୍ର ଶୀର୍ଷ ସ୍ଥାନକୁ ଉଠିଛି। ସିଜନର ପ୍ରଥମ ସାତଟି ମ୍ୟାଚ୍ ମଧ୍ୟରୁ ଚାରିଟି ହାରି ଦଳ ପ୍ରଥମେ ସଂଘର୍ଷ କରୁଥିଲେ ମଧ୍ୟ ଜାସନ ହୋଲ୍ଡର ଦଳରେ ସାମିଲ ହେବା ପରେ ସ୍ଥିତି ବଦଳିଥିଲା ଏବଂ ଦଳ କ୍ରମାଗତ ପାଞ୍ଚଟି ମ୍ୟାଚ୍ ଜିତିବାରେ ସଫଳ ହୋଇଛି। ୱାଶିଂଟନ ସୁନ୍ଦର ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ବିଜୟ ରେସ୍ରେ ରଖିଥିଲେ। ସେ ଏକ ଅର୍ଦ୍ଧଶତକ ହାସଲ କରିବା ସହ ସାଇ ସୁଦର୍ଶନଙ୍କ ସହ ୬୦ ରନ୍ର ପାର୍ଟନରସିପ୍ କରିଥିଲେ, ଯାହା ଫଳରେ ଦଳ ପ୍ରାରମ୍ଭିକ ଝଟକାରୁ ମୁକୁଳି ପାରିଥିଲା। ମ୍ୟାଚ୍ ପରେ ସୁନ୍ଦର ଦଳର ପରିଚାଳନା କମିଟିକୁ ଏହି ସଫଳତା ଓ ସ୍ଥିରତା ପାଇଁ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି ଯେ, ଏଭଳି କ୍ରମାଗତ ବିଜୟ ଦଳର ଏକତା ଓ ସ୍ପଷ୍ଟ ରଣନୀତିର ପ୍ରମାଣ ଦେଉଛି।
