ନୂତନ ବଜେଟ୍ ଯୋଜନା ସହ ଆଗାମୀ ବର୍ଷ ପାଇଁ ବିଶେଷ ପ୍ରସ୍ତୁତି :ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା
ଭୁବନେଶ୍ୱର, ୧୧.୦୩.୨୦୨୫ – ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା। ବୈଠକରେ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟର ବଜେଟ୍ ଅବସ୍ଥା, ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା ଓ ଆଗାମୀ ଆର୍ଥିକ ବର୍ଷ ପାଇଁ ଯୋଜନାଗୁଡ଼ିକୁ ଉପସ୍ଥାପନ କରାଯାଇଥିଲା। ଖର୍ଚ୍ଚ ବୃଦ୍ଧି ଏବଂ ନାଗରିକ ସେବାରେ ଗୁଣାତ୍ମକ ଉନ୍ନୟନ ନେଇ ବିଶେଷ ଅବଧାନ ଦିଆଯାଇଛି।
ପୂର୍ବ ଆର୍ଥିକ ବର୍ଷ (୨୦୨୩-୨୪) ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ବଜେଟ୍ ଅନୁମୋଦନ ଅନୁସାରେ ବିଭିନ୍ନ ବିଭାଗକୁ ଅଧିକ ଅର୍ଥ ଆବଣ୍ଟନ ହୋଇଥିଲା। ଏହି ବୃଦ୍ଧିକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରାବଧାନ ଅନୁଯାୟୀ ଖର୍ଚ୍ଚ ବୃଦ୍ଧି ପାଇଁ ପ୍ରତ୍ୟେକ ବିଭାଗକୁ ପ୍ରଚେଷ୍ଟା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ୧୬.୫% ଖର୍ଚ୍ଚ ବୃଦ୍ଧି ହେବା ସହ କାର୍ଯ୍ୟକ୍ରମ ଖର୍ଚ୍ଚ ୧୭.୬% ବୃଦ୍ଧି ପାଇଥିବା ଜଣାଯାଇଛି।
ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ଯେ, ୮୦% ରୁ ଅଧିକ ଖର୍ଚ୍ଚ କରିଥିବା ବିଭାଗମାନେ ୯୦% ରୁ ୯୫% ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ଚେଷ୍ଟା କରିବେ। ସେହିପରି, ୭୦% ଖର୍ଚ୍ଚ କରିଥିବା ବିଭାଗମାନେ ୮୦% ରୁ ୮୫% ପର୍ଯ୍ୟନ୍ତ ଖର୍ଚ୍ଚ ବୃଦ୍ଧି କରିବା ପାଇଁ ପ୍ରୟାସ କରିବେ। ଖର୍ଚ୍ଚ ହେବାକୁ ବଞ୍ଚିଥିବା ଅର୍ଥ ‘ପାର୍କିଂ ଅଫ୍ ଫଣ୍ଡ’ ଭାବରେ ରଖିବା ଉଚିତ୍ ନୁହେଁ ବୋଲି ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛି।
ବୈଠକରେ ମେଟା, ଇଣ୍ଡିଆ ସହିତ କରାଯାଇଥିବା ବୁଝାମଣା ପତ୍ର ଅନୁସାରେ, ବିଭିନ୍ନ ବିଭାଗ ନାଗରିକ ସେବା ଦ୍ୱାରା ସେବାପ୍ରଦାନକୁ ଅଧିକ ସରଳ କରିବା ନେଇ ପ୍ରସ୍ତାବ ରଖିଥିଲେ। ଅନ୍ୟଦିଗରେ, ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ‘ଆଇଜିଓଟି କର୍ମଯୋଗୀ ମିଶନ’ ଅନ୍ତର୍ଗତ ଯଥେଷ୍ଟ କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।
Comments are closed.