ରାଜ୍ୟର କେଉଁଠି ଅଛି ସୁନା ଖଣି? ମନ୍ତ୍ରୀ କହିଲେ……
ଭୁବନେଶ୍ଵର:ଓଡ଼ିଶା ସରକାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମ୍ଭାବ୍ୟ ସୁନା ଖଣି ଉପରେ ସକ୍ରିୟ ଅନୁସନ୍ଧାନ କରୁଥିବା ବେଳେ ପ୍ରାଥମିକ ସର୍ଭେରୁ କେତେକ କ୍ଷେତ୍ରରେ ଆଶାଜନକ ତଥ୍ୟ ମିଳିଛି। ଆଜି ବିଧାନସଭାରେ ବିଧାୟକ ଚକ୍ରମଣି କହଁରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲାର ଅଦାସ-ରାମପଲ୍ଲୀ ଅଞ୍ଚଳରେ ଜି-୨ ସ୍ତରରେ ତମ୍ବା ଭଣ୍ଡାର ଅନୁସନ୍ଧାନ ବେଳେ ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଜିଏସ୍ ଆଇ) ସୁନାର ଚିହ୍ନ ଠାବ କରିଛି। କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର, ମାଙ୍କଡ଼ଚୁଆ, ସାଲେଇକାନା ଓ ଡିମିରିମୁଣ୍ଡା ଅଞ୍ଚଳରେ ସମ୍ଭାବ୍ୟ ସୁନା ଭଣ୍ଡାର ଚିହ୍ନଟ ପାଇଁ ଅନୁସନ୍ଧାନ କାର୍ଯ୍ୟ ଚାଲିଛି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ବଡ଼ମ୍ପାହାଡ଼ ଅଞ୍ଚଳ ସମେତ ଯଶିପୁର, ସୁରିଆଗୁଡ଼ା, ରୁଆଁସି, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ (ଧୁସୁରା ପାହାଡ଼) ଆଦି ସ୍ଥାନରେ ସୁନା ଭଣ୍ଡାର ଥିବା ନେଇ ପ୍ରାଥମିକ ସର୍ଭେ କରାଯାଉଛି।
ସେହିପରି ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରୁ ସୁନା ଥିବାର ସନ୍ଧାନ ମିଳିଛି। ତେବେ ଏସବୁ ଅଞ୍ଚଳରେ ଏପର୍ଯ୍ୟନ୍ତ ବିସ୍ତୃତ ତଦନ୍ତ ହୋଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
Comments are closed.