ରାଉରକେଲାରେ ଓଡ଼ିଶା ନାଭାଲ ଟାଟା ୧୪ ବର୍ଷରୁ କମ୍ ବାଳକ ହକି ତୃଣମୂଳ ଚାମ୍ପିଅନସିପ-୨୦୨୫ର ଚତୁର୍ଥ ସଂସ୍କରଣ

ରାଉରକେଲା, ୩୧/୧୦/୨୦୨୫- ଓଡ଼ିଶା ନାଭାଲ ଟାଟା ୧୪ ବର୍ଷରୁ କମ୍ ବୟସ ବାଳକ ହକି ତୃଣମୂଳ ଚାମ୍ପିଅନସିପ-୨୦୨୫ର ଚତୁର୍ଥ ସଂସ୍କରଣ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଛି । ଟୁର୍ଣ୍ଣାମେଣ୍ଟର ଏକ ଉତ୍ସାହପୂର୍ଣ୍ଣ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଂଟର (ଓଏନଟିଏଚଏଚପିସି) ପକ୍ଷରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗରେ ଆୟୋଜିତ ଏହି ଚାମ୍ପିଅନସିପରେ ରାଜ୍ୟର ବିଭିନ୍ନ ହକି ତାଲିମ କେନ୍ଦ୍ର (ଏଚଟିସି) ଓ ତୃଣମୂଳ କେନ୍ଦ୍ରରୁ ୩୫ଟି ଦଳ ଏବଂ ୩୫୦ରୁ ଅଧିକ ଯୁବ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ୨୦୨୫ ଅକ୍ଟୋବର ୨୯ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଚାଲିବ । ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହାର ଫାଇନାଲ ମ୍‌ଯାଚ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଉପ ନିର୍ଦ୍ଦେଶକ (କ୍ରୀଡ଼ା) ସୁଦୀପ୍ତ କୁମାର ନାୟକଙ୍କ ସମେତ ଓଡ଼ିଶା ସରକାରଙ୍କ ପାନପୋଷର ହକି ପ୍ରଶିକ୍ଷକ ପିଟର ସୋରେଙ୍ଗ ଓ ବରିଷ୍ଠ ହକି ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ । ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି କ୍ରୀଡ଼ା ଉପ ନିର୍ଦ୍ଦେଶକ ଶ୍ରୀ ନାୟକ ତୃଣମୂଳସ୍ତରରେ ପ୍ରତିଭାବାନ ଖେଳାଳିମାନଙ୍କୁ ସମୃଦ୍ଧ କରିବା ପାଇଁ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ । କ୍ରୀଡ଼ାରେ ଅନୁଶାସନ, ଦଳଗତ କାର୍ଯ୍ୟ ଏବଂ ଅଧ୍ୟବସାୟର ଗୁରୁତ୍ୱ ଉପରେ ଶ୍ରୀ ନାୟକ ଆଲୋକପାତ କରିଥିଲେ । ଜାତୀୟ ସଙ୍ଗୀତ ଗାନ ସହିତ ସମାରୋହ ସମାପ୍ତ ହୋଇଥିଲା । ଚଳିତ ବର୍ଷର ସଂସ୍କରଣରେ ୮ଟି ପୁଲ୍ (ଏ–ଏଚ୍‌) ରହିଛି, ଯେଉଁଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏକାଧିକ ଦଳ ଏବଂ ଝାଡ଼ଖଣ୍ଡରୁ ଗୋଟିଏ ଦଳ ଚାମ୍ପିଅନସିପ୍ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମ୍ୟାଚ୍ଗୁଡ଼ିକ ଷ୍ଟାଡିୟମର ଉଭୟ ପିଚରେ ପ୍ରତିଦିନ ସକାଳ ୬:୩୦ରୁ ଖେଳା ଯାଉଛି । ପ୍ରତ୍ୟେକ ପୁଲରେ ଶୀର୍ଷ ଦଳଗୁଡ଼ିକ କ୍ୱାର୍ଟର ଫାଇନାଲ୍‌, ସେମିଫାଇନାଲ୍ ଏବଂ ନଭେମ୍ବର ୮ରେ ହେବାକୁ ଫାଇନାଲରେ ପ୍ରବେଶ କରିବେ । ଏହି ଟୁର୍ଣ୍ଣାମେଂଟ ପାଇଁ ୨୦୨୫ ନଭେମ୍ବର ୮ରେ ଫାଇନାଲ୍ ମ୍ୟାଚ୍ ଏବଂ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶା ନାଭାଲ ଟାଟା ୧୪ ବର୍ଷରୁ କମ୍ ବୟସ ବାଳକ ହକି ତୃଣମୂଳ ଚାମ୍ପିଅନସିପର ଚତୁର୍ଥ ସଂସ୍କରଣର ଚାମ୍ପିଅନମାନଙ୍କୁ ସମ୍ବର୍ଦ୍ଧିତ/ ପୁରସ୍କୃତ କରାଯିବ । ଏହି ଚାମ୍ପିଅନସିପ୍ ଓଡ଼ିଶା ଏବଂ ଭାରତକୁ ଉଚ୍ଚତରସ୍ତରରେ ପ୍ରତିନିଧିତ୍ୱ କରିବାର ସମ୍ଭାବନା ଥିବା ଯୁବ ପ୍ରତିଭାବାନ ଖେଳାଳିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସମୃଦ୍ଧ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରୁଛି ।

Share It


Share It

Comments are closed.