ଅଲବିଦା ୨୦୧୯: କେନ୍ଦ୍ର ସରକାରଙ୍କ କଠୋର ନିଷ୍ପତିର ବର୍ଷ


ଗରିବ ସବର୍ଣ୍ଣ ବା ଉଚ୍ଚ ବର୍ଗର ଲୋକଙ୍କ ପାଇଁ ଆରକ୍ଷଣ ଉପରେ ମୋହର ମାରିବା ସହ ଆରମ୍ଭ ହୋଇଥିଲା ୨୦୧୯ ଏବଂ ନାଗରିକତା ସଂଶୋଧନ ଆଇନ୍ ସହ ଏହା ଶେଷ ହେବାକୁ ଯାଉଛି । ଏହି ଏକ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଏଭଳି କିଛି ବଡ ନିଷ୍ପତି ନେଇଛନ୍ତି ଯାହା ସବୁଦିନ ପାଇଁ ମନେ ରହିବ । ମୋଦି ସରକାର ୨୦୧୯ରେ କ୍ଷମତାକୁ ଫେରିବା ପରେ ଅନୁଚ୍ଛେଦ ୩୭୦କୁ ଶେଷ କରିବା ସହ ନାଗରିକତା ପ୍ରସଙ୍ଗରେ ନୂଆ ଆଇନ୍ ଆଣିଥିଲେ ଯାହାକି ସବୁଠାରୁ ଅଧିକ ଦୂରଗାମୀ ପ୍ରଭାବ ପକାଇବା ଭଳି ନିଷ୍ପତି ଥିଲା । ସରକାରଙ୍କ ଏଭଳି କିଛି ବଡ ଓ କଠୋର ନିଷ୍ପତି ଉପରେ ଆସନ୍ତୁ ଜାଣିବା ।
ଅନୁଚ୍ଛେଦ ୩୭୦ ଉଚ୍ଛେଦ: ବହୁମତରେ ପୁଣିଥରେ କ୍ଷମତାକୁ ଆସିବା ପରେ ମୋଦି ସରକାର ସାମ୍ବିଧାନିକ ଆଦେଶ ପାରିତ କରି ଜମ୍ମୁକଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଅନୁଚ୍ଛେଦ ୩୭୦କୁ ଶେଷ କରିବାର ସାହସିକ ନିଷ୍ପତି ନେଇଥିଲେ । ଗୋଟିଏ ଝଟ୍କାରେ ରାଜ୍ୟର ସ୍ୱତନ୍ତ୍ର ମାନ୍ୟତା ଶେଷ ହୋଇଥିଲା ଏବଂ ୩୧ ଅକ୍ଟୋବରରୁ ଜମ୍ମୁକଶ୍ମୀର ଓ ଲଦ୍ଦାଖ ଦୁଇଟି ନୂଆ କେନ୍ଦ୍ରଶାସିତ ପ୍ରଦେଶ ହୋଇଥିଲେ । ଧାରା ୩୭୦ ହଟାଇବା ନିଷ୍ପତି କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା । ସରକାର ଧାରା ୩୭୦ ଉଚ୍ଛେଦ ଉପରେ ସଂସଦରେ ମୋହର ଲଗାଇବା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟମରେ କଶ୍ମୀରରେ ସମସ୍ତ ଆଶଙ୍କାକୁ ନିରାଧାର ପ୍ରମାଣିତ କରିଥିଲେ ।
ବିଚ୍ଛିନ୍ନତାବାଦୀ ନେତା ଗୃହବନ୍ଦୀ ହେଲେ: ପୁଲୱାମା ଆକ୍ରମଣ ପରେ ଘାଟିରେ ବିଚ୍ଛିନ୍ନତାବାଦୀ ନେତାମାନଙ୍କ ସୁରକ୍ଷା ପ୍ରତ୍ୟହାର କରାଯାଇଥିଲା ଓ ଅମରନାଥ ଯାତ୍ରା ବନ୍ଦ କରି ବହୁସଂଖ୍ୟକ ସୁରକ୍ଷାବଳକୁ ମୁତୟନ କରାଯାଇଥିଲା; ଏହାପରେ ଯାହା ଘଟିଥିଲା ତାହା ଇତିହାସରେ ଉଲ୍ଲେଖ ରହିବ । ଧାରା ୩୭୦ ଉଚ୍ଛେଦ ନିଷ୍ପତିକୁ ଇତି ମଧ୍ୟରେ ୪ ମାସ ହୋଇଥିଲେ ମଧ୍ୟ ଜମ୍ମୁକଶ୍ମୀରରେ ୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେ ମୁଖ୍ୟଧାରାରର ସମସ୍ତ ନେତା ଓ ବିଚ୍ଛିନ୍ନତାବାଦୀଙ୍କୁ ଏବେ ବି ଗୃହବନ୍ଦୀ ଓ ହେପାଜତରେ ରଖାଯାଇଛି । ଯେଉଁ ନେତାମାନେ ଶାନ୍ତି ବଜାୟ ରଖିବେ ବୋଲି ବଣ୍ଡ ପେପର୍ରେ ହସ୍ତାକ୍ଷର କରିଛନ୍ତି ସେମାନଙ୍କୁ ଛାଡି ଦିଆଯାଇଛି ।
ତିନି ତଲାକ୍: ତିନି ତଲାକ୍ ଭଳି କୁପ୍ରଥାକୁ ସବୁଦିନ ପାଇଁ ଶେଷ କରିବା ଲାଗି ସରକାର ଏହା ଉପରେ କଟକଣା ଲଗାଇ ନୂଆ ଆଇନ୍ ଆଣିଥିଲେ ।
ନାଗରିକ ସଂଶୋଧନ ବିଲ୍: ସଂସଦର ଶୀତକାଳୀନ ଅଧିବେଶନରେ ନାଗରିକତା ସଂଶୋଧନ ବିଲ୍କୁ ପାରିତ କରାଇ ସରକାର ନିଜର ଆଉ ଏକ ମୁଖ୍ୟ ଏଜେଣ୍ଡା ପୁରା କରିଛନ୍ତି । ଏହା ଜରିଆରେ ପାକିସ୍ତାନ, ଆଫ୍ଗାନିସ୍ତାନ ଓ ବାଂଲାଦେଶରେ ଧାର୍ମିତ ପ୍ରତାଡନାର ଶିକା ହେଉଥିବା ହିନ୍ଦୁଙ୍କ ସମେତ ୬ଟି ଅଳ୍ପସଂଖ୍ୟକ ସମୁଦାୟକୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ । ଏହି ପ୍ରସଙ୍ଗକୁ ନେଇ ଦେଶରେ ବିରୋଧ ଓ ସମର୍ଥନ ଲଢେଇ ଜାରି ରହିଛି । ୩୧ ଡିସେମ୍ବର ୨୦୧୪ ପର୍ଯ୍ୟନ୍ତ ପାକିସ୍ତାନ, ବାଂଲାଦେଶ ଓ ଆଫ୍ଗାନିସ୍ତାନରୁ ଧାର୍ମିକ ଉତ୍ପୀଡନ କାରଣରୁ ଚାଲି ଆସିଥିଲା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାରସି ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ଅବୈଧ ଶରଣାର୍ଥୀ କୁହାଯିବ ନାହିଁ ଏବଂ ସେମାନଙ୍କୁ ଭାରତର ନାଗରିକତା ଦିଆଯିବ ।
ଗରିବ ସବର୍ଣ୍ଣଙ୍କୁ ଆରକ୍ଷଣ: ୨୦୧୯ ଜାନୁଆରୀ ୭ ତାରିଖରେ କେନ୍ଦ୍ର କ୍ୟାବିନେଟ୍ରେ ଗରିବ ସବର୍ଣ୍ଣଙ୍କୁ ୧୦% ଆରକ୍ଷଣ ଦେଉଥିବା ବିଲ୍କୁ ମଞ୍ଜୁରି ଦିଆଯାଇଥିଲା । ପରେ ସଂସଦର ଉଭୟ ଗୃହରେ ଏହାକୁ ମଞ୍ଜୁରି ମିଳିଥିଲା । ୧୨ ଜାନୁଆରୀ ୨୦୧୯ରେ ଏହା ଉପରେ ରାଷ୍ଟ୍ରପତି ହସ୍ତାକ୍ଷର କରିଥିଲେ ଏବଂ ଏହାକୁ ଅଧିସୂଚିତ କରାଯାଇଥିଲା । ଏହାଦ୍ୱାରା ଏସ୍ସି-ଏସ୍ଟି କିମ୍ବା ପଛୁଆ ବର୍ଗର ଆରକ୍ଷଣ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଥିଲେ ।
ବାଲାକୋଟ୍ ଏୟାରଷ୍ଟ୍ରାଇକ୍: ୧୪ ଫେବୃଆରୀ ୨୦୧୯ରେ ଜମ୍ମୁକଶ୍ମୀରର ପୂଲୱାମାରେ ଆତଙ୍କବାଦୀ ଆକ୍ରମଣ ଘଟିଥିଲା; ଯେଉଁଥିରେ ୪୦ ଜଣ ଯବାନ ସହିଦ୍ ହୋଇଥିଲେ । ଏହି ଆକ୍ରମଣର ଜବାବରେ ୧୨ ଦିନ ପରେ ଅର୍ଥାତ୍ ଫେବୃଆରୀ ୨୬ରେ ଭାରତୀୟ ସେନା ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା । ଏଥିରେ ୨୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ । ବାଲାକୋଟ୍ ଆକ୍ରମଣ ପରେ ପାକ୍ ସେନା ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରିଥିଲା । ୱିଙ୍ଗ୍ କମାଣ୍ଡର ବର୍ଦ୍ଧମାନ ଅଭିନନ୍ଦନ ପାକିସ୍ତାନର ଏଫ୍-୧୬କୁ ଆକ୍ରମଣକୁ କରି ତଳକୁ ଖସାଇ ଦେଇଥିଲେ । କିନ୍ତୁ ତାଙ୍କୁ ପାକ୍ ସେନା ଧରି ନେଇଥିଲା । ତେବେ ଭାରତର ଦୃଢ କୂଟନୀତି ଆଗରେ ବିଫଳ ହୋଇ ପାକିସ୍ତାନ ଅଭିନନ୍ଦନଙ୍କୁ ଫେରାଇବାକୁ ବାଧ୍ୟ ହୋଇଥିଲା ।
ଏସପିଜି ସୁରକ୍ଷା କେବଳ ପ୍ରଧାନମନ୍ତ୍ରୀଙ୍କୁ ମିଳିବ: କେନ୍ଦ୍ର ସରକାର କଂଗ୍ରେସ ନେତା ସୋନିଆ ଗାନ୍ଧୀଳ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିଥିବା ଏସ୍ପିଜି ସୁରକ୍ଷା ଫେରାଇ ନେବାକୁ ନିଷ୍ପତି ନେଇଥିଲେ । ସେମାନଙ୍କୁ ଏବେ ସିଆର୍ପିଏଫ୍ର ଜେଡ୍-ପ୍ଲସ୍ ସୁରକ୍ଷା ଦିଆଯାଉଛି । ଏହାର କିଛି ଦିନ ପରେ ଗୃହ ମନ୍ତ୍ରୀ ଅମିତ ଶାହ ସଂସଦର ଉଭୟ ସଦନରେ ଏହା ସହ ଜଡିତ ଆଇନ୍ ପାରିତ କରାଇଥିଲେ । ନୂଆ ଆଇନ୍ ଅଧୀନରେ ଏବେ କେବଳ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରକୁ ହିଁ ଏସ୍ପିଜି ସୁରକ୍ଷା ଦିଆଯାଉଛି ।
ସଂଗଠନ ସହ ବ୍ୟକ୍ତି ମଧ୍ୟ ଆତଙ୍କବାଦୀ ଘୋଷିତ ହେବେ: ସରକାର ୟୁପିଏ ଆକ୍ଟରେ ସଂଶୋଧନ କରିଥିଲେ । ଏହା ଅଧୀନରେ ବ୍ୟକ୍ତିଙ୍କୁ ମଧ୍ୟ ଆତଙ୍କବାଦୀ ଘୋଷଣା କରାଯାଇପାରିବ । ନୂଆ ୟୁପିଏ ଆଇନ୍ ଅନୁସାରେ, ଆତଙକବାଦୀ ଗିତିବିଧିରେ ଲିପ୍ତ କିମ୍ବା ତାହାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରାଯିବ । ପୂର୍ବରୁ କେବଳ ସଂଗଠନଗୁଡିକୁ ହିଁ ଆତଙ୍କବାଦୀ ଘୋଷଣା କରାଯାଉଥିଲା ।
କର୍ପୋରେଟ୍ ଟିକସରେ ହ୍ରାସ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସେପ୍ଟେମ୍ବର ୨୦୧୯ରେ କର୍ପୋରେଟ ଟିକସ ହାରରେ ଐତିହାସିକ ହ୍ରାସ ଘୋଷଣା କରିଥିଲେ । ପୁରୁଣା କମ୍ପାନୀଗୁଡିକ ପାଇଁ କର୍ପୋରେଟ୍ ଟିକସ ହାରକୁ ୩୦%ରୁ ୨୨%କୁ ଏବଂ ନୂଆ ମାନୁଫ୍ୟାକ୍ଚରିଙ୍ଗ କମ୍ପାନୀଗୁଡିକ ପାଇଁ ଏହାକୁ ୨୫%ରୁ ୧୫%କୁ ହ୍ରାସ କରାଯାଇଛି ।


Share It

Comments are closed.