ନିରାଶାରୁ ଆଶା ପର୍ଯ୍ୟନ୍ତ କିପରି ଥିଲା ଜୋୟିତାଙ୍କ ସଂର୍ଘଷର କାହାଣୀ !

ସରକାରୀ ସ୍ତରରେ ଟ୍ରାନ୍ସଜେଣ୍ଡର ତଥା ତୃତ୍ୱୀୟ ଲିଙ୍ଗଙ୍କ ପାଇଁ ବହୁ ପ୍ରକାରର ସୁବିଧା ଏବଂ ନିୟମ ରହିଛି । କିନ୍ତୁ ସମାଜରେ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଏବଂ ସୁବିଧା ମିଳିନଥାଏ । ରାସ୍ତା, ଟ୍ରେନ ଏପରି ଗଳି କନ୍ଦିରେ ଏମାନଙ୍କୁ ଦେଖିଲେ ମନରେ ଭିନ୍ନ ପ୍ରକାରର ଭାବନା ସୃଷ୍ଟି ହୋଇଥାଏ । ବହିରେ ଆମ୍ଭେମାନେ ଜାତି, ଧର୍ମ,ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ସମାନ ବୋଲି ପଢିଥିଲେ କିନ୍ତୁ ଏହା କେବଳ ବହିରେ ସିମୀତ ହୋଇ ରହିଯାଇଛି । ଏହି ଲିଙ୍ଗର ବ୍ୟକ୍ତିବିଶେଷଙ୍କୁ କେବଳ ସମାଜରେ ନୁହେଁ କିନ୍ତୁ ନିଜ ପରିବାରରେ ସ୍ୱାଭିମାନର ସହିତ ବଞ୍ଚିବାକୁ ସୁଯୋଗ ମିଳିନଥାଏ । ଏପରି ସ୍ଥଳରେ ନିଜ ଘରେ ନିଜର ଅସୁବିଧାକୁ ଭଲ ଭାବେ ବ୍ୟକ୍ତ କରିପାରନ୍ତି ନାହିଁ ସେମାନେ । ଏପରି କି ବହୁ ସମୟରେ ସେମାନଙ୍କୁ ସ୍କୁଲ, ଘର ଛାଡିବାକୁ ପଡିଥାଏ । ବହୁ ସମାଜସେବୀ ଏବଂ ସହୃଦୟ ବ୍ୟକ୍ତି ଏହି ତୃତୀୟ ଲିଙ୍ଗଙ୍କ ଅଧିକାର ପାଇଁ କାର୍ଯ୍ୟ କରିଆସୁଛନ୍ତି । ବର୍ତ୍ତମାନ ସେହି ଟ୍ରାନ୍ସଜେଣ୍ଡର ମାନଙ୍କର ସଂଘର୍ଷ ଏବଂ ଚେଷ୍ଟା ଫଳରେ ନାରୀ ଏବଂ ପୁରୁଷଙ୍କ ପରି ସମାଜରେ ନିଜସ୍ୱ ପରିଚୟ ସୃଷ୍ଟିକରି ସାଧାରଣ ମଣିଷ ପରି ଜୀବନ ଯାପନ କରିପାରୁଛନ୍ତି ।
ସେହିପରି ସମାଜରେ ଏକ ଉଦାହରଣ ହେଉଛନ୍ତି ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ଜଜ୍ ଜୋୟିତା ମଣ୍ଡଳ । ୨୯ ବର୍ଷିୟ ଏହି ଟ୍ରାନ୍ସଜେଣ୍ଡର ଜଣଙ୍କ ଜୁଲାଇ ୮, ୨୦୧୭ ମସିହାରେ କୋଲକାତାର ଇସଲାମାପୁରର ଲୋକ ଅଦାଲତରେ ଜଜ୍ ଭାବେ ନିଯୁକ୍ତ ହୋଇଛନ୍ତି । ଏହି ଯାତ୍ରା ଜୋୟିତାଙ୍କ ପାଇଁ ସହଜ ନଥିଲା । କୋଲକାତାର ଏକ ହିନ୍ଦୁ ପରିବାରରେ ଜନ୍ମ ହୋଇଥିବା ଜୋୟିତାଙ୍କ ନାମ ପ୍ରଥମେ ଜୟନ୍ତୋ ମଣ୍ଡଳ ଥିଲା । ୧୦ ବର୍ଷ ବୟସରେ ସେ ପୁରୁଷ ହୋଇ ଜନ୍ମ ହୋଇଥିଲେ ମଧ୍ୟ ନିଜ ମଧ୍ୟରେ ନାରୀତ୍ୱର ସତ୍ତା ଜାଣିପାରିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ତାଙ୍କ ସଂର୍ଘଷର କାହାଣୀ । ତାଙ୍କୁ ଝିଅଙ୍କ ପୋଷାକ ଭଲ ଲାଗୁଥିବା ବେଳେ ସେ ବାହାରକୁ ଯିବା ସମୟରେ ଝିଅଙ୍କ ଡ୍ରେସ ପିନ୍ଧୁଥିଲେ ଏବଂ ଫେରିବା ସମୟରେ ତାହା ବଦଳେଇ ଘରକୁ ଫେରୁଥିଲେ । ଏପରି ଡରି ଡରି ଅଭିନୟ କରିବାକୁ ପସନ୍ଦ ନକରି ସେ ୨୦୦୯ ମସିହାରେ ସ୍କୁଲ ଏବଂ ପରେ ଘର ଛାଡି ସିଲିକୁଡି ଆସିଥିଲେ । ଏହା ପରେ କରେସପଣ୍ଡେନଣ୍ଟରେ ନିଜର ଆଇନ ପଢା ପର୍ଯ୍ୟନ୍ତ ପୂରା କରିଥିଲେ । ୨୦୧୬ରେ ଜୋୟିତା ତାଙ୍କ ଜିଲ୍ଲାରେ ଭୋଟ ଦେଇଥିବା ପ୍ରଥମ ଟ୍ରାନ୍ସଜେଣ୍ଡର ।

ନିଜର ସଂର୍ଘଷର କାହାଣୀରେ ସେ କହିଛନ୍ତି ଯେ, “ପୂର୍ବରୁ ବହୁ ସ୍ଥାନରେ ଆମ୍ଭେମାନେ ଅସ୍ପର୍ଶ ବୋଲି ବିବେଚିତ ହେଉଥିଲୁ ଏବଂ ବହୁ ଖରାପ ବ୍ୟବହାରର ସମାନା କରୁଥିଲୁ । କିନ୍ତୁ ୨୦୧୪ରେ ସୁପ୍ରିମ କୋର୍ଟ ପକ୍ଷରୁ ଟ୍ରାନ୍ସଜେଣ୍ଡରଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ମିଳିବା ପରେ ସମାଜରେ କିଛି ପରିବର୍ତ୍ତନ ଆସିଛି । ବର୍ତ୍ତମାନ ଆମ୍ଭମାନଙ୍କ ପରି ଅନ୍ୟ ଟ୍ରାନ୍ସଜେଣ୍ଡରମାନେ ବହୁ କ୍ଷେତ୍ର ତଥା ଅଧ୍ୟୟନ, ଅଭିନୟ, ମଡେଲିଂରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପୂର୍ବରୁ ମତେ କୌଣସି ହୋଟେଲରେ ରହିବାକୁ ରୁମ ମିଳୁନଥିଲା ମୁଁ ଇସଲାମାପୁର ବସ ଷ୍ଟାଣ୍ଡରେ ବହୁ କଷ୍ଟରେ ରାତି କଟାଉଥିଲି । ପରେ ମୋର କିଛି ବନ୍ଧୁଙ୍କ ସହାୟତାରେ ୨୦୧୦ରେ ଦିନାଜପୁର ନୂତନ ଆଲୋର ପ୍ରାରମ୍ଭ କରିଥିଲୁ । ୨୦୧୧ରେ ରେଜିଷ୍ଟ୍ରସନ ପରେ ୨୦୧୨ ମସିହାରେ ପ୍ରଥମେ ଟ୍ରାନ୍ସଜେଣ୍ଡରଙ୍କ ଆଇନଗତ ଅଧିକାର ପାଇଁ କାର୍ଯ୍ୟ କରିଥିଲୁ । ସେହି କାର୍ଯ୍ୟକ୍ରମରେ ମୁଁ ୨୦୦ ଟ୍ରାନ୍ସଜେଣ୍ଡରଙ୍କୁ ଆଇନଗତ ସୁବିଧା ପ୍ରଦାନ କରିଥିଲି । ୨୦୧୫ରେ ଆମ୍ଭେମାନେ ଏକ ବୃଦ୍ଧାଶ୍ରମ ପ୍ରାରମ୍ଭ କରିବା ସହିତ ଇସଲାପୁରରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଭୋଟର କାର୍ଡର ପ୍ରାରମ୍ଭ କରିଥିଲୁ । ଇସଲାମାପୁରର ଲୋକମାନଙ୍କ ଭଲପାଇବା ଏବଂ ସମ୍ମାନ ମତେ ଏପରି ଭଲ କାମ କରିବା ପାଇଁ ପ୍ରେରଣା ଯୋଗାଇଥାଏ ।”

Comments are closed.