ନବୀନ ପଟ୍ଟନାୟକ ଦୀର୍ଘ ବର୍ଷ ମୁଖ୍ୟମନ୍ତ୍ରୀ ହେବା ଓଡ଼ିଶା ପାଇଁ କାହିଁକି ଭଲ ନୁହେଁ?

ଶାନ୍ତ ସ୍ୱଭାବର । କିନ୍ତୁ ବଳିଷ୍ଠ ପଦକ୍ଷେପ ନେବାରେ କେବେ ବି କୁଣ୍ଠା ପ୍ରକାଶ କରିନାହାନ୍ତି । ନିଜ ଦଳର ଯେଉଁମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି ସେମାନଙ୍କ ମୁଣ୍ଡ ଗଡ଼ାଇବାକୁ ବି କେବେ ପଛଘୁଞ୍ଚା ଦେଇନାହାନ୍ତି । ବଡ଼ କର୍ପୋରେଟ୍ ସଂସ୍ଥାର ସିଇଓମାନଙ୍କ ଭଳି ବଳିଷ୍ଠ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସବୁ ବେଳେ ସେ ଆଗୁଆ ରହୁଛନ୍ତି । ଏଭଳି ଗୁଣ ଓ ପ୍ରତିଭାର ଅଧିକାରୀ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ଚିତ୍ର ବଦଳାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେ ବହୁତ ଭଲ କାମ ମଧ୍ୟ କରୁଛନ୍ତି । କିନ୍ତୁ ଯାହା ବୁଦ୍ଧିଜୀବୀମାନଙ୍କୁ ବ୍ୟଧିତ କରୁଛି ତାହା ହେଉଛି ନବୀନ ପଟ୍ଟନାୟକ ଦୀର୍ଘ ଦିନ ଧରି ଶାସନ ଗାଦିରେ ବସିବା ।

ନବୀନ ଦୀର୍ଘଦିନ ମୁଖ୍ୟମନ୍ତ୍ରୀ ରହିଲେ କ୍ଷତି କଣ?

୧. -ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ । କାରଣ ଗଣତନ୍ତ୍ର ନିୟମ ହେଉଛି ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବା । କିଛି ଦିନ ଶାସନ କରିବା ବେଳେ ନବୀନ ଅନ୍ୟମାନଙ୍କୁ ସୁଯୋଗ ଦେବା କଥା । ଏହା ହେଲେ ଓଡ଼ିଶା ଆଉ କିଛି ଭଲ ନେତାଙ୍କୁ ପାଇଥାନ୍ତା ଯାହା ନବୀନଙ୍କ ଯୋଗୁଁ ସମ୍ଭବ ହେଉନାହିଁ ।
୨. -ନବୀନଙ୍କ ଯୋଗୁଁ ରାଜ୍ୟର ବହୁ ଯୁବ ନେତା କିମ୍ବା ବରିଷ୍ଠ ନେତାଙ୍କୁ ବିଧାୟକ ଭାବେ ସନ୍ତୁଷ୍ଟ ହେବାକୁ ପଡୁଛି । ସେମାନଙ୍କ ରାଜନୈତିକ ଜୀବନ ବିଧାୟକରୁ ଆରମ୍ଭ ହୋଇ ସେହିଠାରେ ଶେଷ ହୋଇଯାଉଛି
୩. -ସେହିପରି ସାଂସଦ ଭାବେ ଯେଉଁମାନେ ଦିଲ୍ଲୀ ଯାଉଛନ୍ତି ସେମାନେ ରାଜ୍ୟର ସ୍ୱାର୍ଥ ପାଇଁ ବିଶେଷ ଲଢ଼େଇ କରିପାରୁନାହାନ୍ତି । କାରଣ କେନ୍ଦ୍ରରେ ବିରୋଧୀ ଦଳର ଶାସନ ଚାଲିଛି । ବିଜେଡି ସାଂସଦମାନେ କେବଳ ସରକାରଙ୍କୁ ବିରୋଧ କରିବା କାମ କରୁଛନ୍ତିି?
୪. -ଦୀର୍ଘ ଦିନ ପର୍ଯ୍ୟନ୍ତ ବିଜେଡ଼ି ଶାସନ କରିବା ଦ୍ୱାରା ଏହାର କର୍ମୀମାନେ ଦିନକୁ ଦିନ ଉଗ୍ର ହୋଇପଡୁଛନ୍ତି । କାରଣ ସେମାନେ ମନେ ମନେ ଧରି ନେଇଛନ୍ତି ଯେ ନବୀନ ପଟ୍ଟନାୟକଙ୍କୁ କେହି ହଟାଇ ପାରିବେ ନାହିଁ । ଯେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବେ ତାଙ୍କର କେହି କିଛି ବିଗାଡ଼ି ପାରିବେ ନାହିଁ । କର୍ମୀମାନଙ୍କର ଏହି ଭାବନା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ବିଜେଡି କର୍ମୀ ଭୁଲ କାମ କରୁଥିଲେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ଓ ନିରୀହ ଲୋକ ହଇରାଣ ହେଉଛନ୍ତି । ଏହି ଭଳି ଅବସ୍ଥା କଂଗ୍ରେସ ଅମଳରେ ଥିଲା । ଅଧିକ ଦିନ ଶାସନ ଗାଦିରେ ରହିଲେ ବିଜେଡିକୁ କଂଗ୍ରେସ ଭଳି ଦଶା ଭୋଗିବାକୁ ପଡ଼ିପାରେ । କାରଣ ସାଧାରଣ ଲୋକଙ୍କୁ ଆଇନ ନାମରେ ହଇରାଣ କଲେ ସେମାନେ କେବେ ବି କ୍ଷମା ଦେବେ ନାହିଁ ।

ଦୁନିଆର ଇତିହାସ କଣ କହୁଛି?

ସମଗ୍ର ବିଶ୍ୱର ଇତିହାସକୁ ଯଦି ଆମେ ଓଲଟାଇ ଦେଖିବା ତେବେ କେବଳ କମ୍ୟୁନିଷ୍ଟ ଚିନ୍ତାଧାରା କିମ୍ବା ରାଜତନ୍ତ୍ର ଦ୍ୱାରା ପରିଚାଳିତ ହେଉଥିବା ଦେଶଗୁଡ଼ିକରେ ଜଣେ ଶାସକ କିମ୍ବା ତାଙ୍କ ପରିବାର ଦୀର୍ଘ ଦିନ ପର୍ଯ୍ୟନ୍ତ ଶାସନ କରୁଛନ୍ତି । କ୍ୟୁବାର ଫିଡେଲ୍ କାଷ୍ଟ୍ରୋ ହୁଅନ୍ତୁ, ରୁଷିଆର ଭ୍ଲାଦିମିର୍ ପୁଟିନ୍ ହୁଅନ୍ତୁ କିମ୍ବା ଚୀନ୍ର ସି ଜିନ୍ପିଙ୍ଗ । ଏହି ସବୁ ଦେଶ କମ୍ୟୁନିଷ୍ଟ ଚିନ୍ତାଧାରା ଦ୍ୱାରା ପରିଚାଳିତ । ତେଣୁ ସେଠାକାର ଲୋକମାନେ ନିଜ ନେତାଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଶାସନ ଗାଦିରେ ଦେଖିବାକୁ ଚାହାନ୍ତି । ସେହିପରି ସାଉଦି ଆରବ ହେଉ କିମ୍ବା ଆଫ୍ରିକାର ଅନ୍ୟ କେତେକ ଦେଶ ଯେଉଁଠାରେ ରାଜା ଶାସନ ଚାଲିଛି ସେଠାରେ ରାଜ ପରିବାର ଦ୍ୱାରା ଦୀର୍ଘ ବର୍ଷ ଧରି ସେହି ସବୁ ଦେଶର ଶାସନ ପରିଚାଳିତ ହେଉଛି । ଦୁନିଆର ଏଭଳି ଗୋଟିଏ ବି ଗଣତାନ୍ତ୍ରିିକ ଦେଶ ନାହିଁ ଯେଉଁଠାରେ ଜଣେ ନେତା ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଦେଶ ଶାସନ କରିବାର ସୁଯୋଗ ପାଇଛନ୍ତି ।

ଯଦି ପୂର୍ବ ପରି ଲେଖାଯାଇଥିବା କଥାକୁ ଆମେ ବିଚାରକୁ ନେବା ତେବେ ଦୁଇଟି କଥା ସାମ୍ନାକୁ ଆସୁଛି । ପ୍ରଥମ କଥାଟି ହେଉଛି ବାମପନ୍ଥୀ ବା କମ୍ୟୁନିଷ୍ଟ ଚିନ୍ତାଧାରା ଥିବା ଦେଶଗୁଡ଼ିକ ସବୁୁଠୁ ଭଲ ନେତା ସୃଷ୍ଟି କରୁଛନ୍ତି । ସେଠାକାର ଲୋକପ୍ରିୟ ନେତାଙ୍କ ଭଳି ଅନ୍ୟ କେହି ପ୍ରତିଭାବାନ ବ୍ୟକ୍ତି ସେଠାରେ ନାହାନ୍ତି? ଏହି ଉକ୍ତି ଉପରେ କିନ୍ତୁ ସହଜରେ ବିଶ୍ୱାସ କରିହେଉନାହିଁ । କାରଣ ଜଣକଙ୍କ ମୃତ୍ୟୁ ପରେ ପୁଣି ଜଣେ ଲୋକପ୍ରିୟ ନେତାଙ୍କ ଅଭ୍ୟୁଦୟ କିଭଳି ହେଉଛି? ଦ୍ୱିତୀୟ କଥାଟି ହେଉଛି ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ଭଲ ନେତା ସୃଷ୍ଟି କରିପାରୁନାହାନ୍ତି । ସେଥିପାଇଁ କେହି ଜଣେ ବ୍ୟକ୍ତି ଦୀର୍ଘ ଦିନ ଶାସନ କରିପାରୁନାହାନ୍ତି ।

ଭାରତର ଇତିହାସ କଣ କହୁଛି?

ଉପର ଲିଖିତ କଥାଗୁଡ଼ିକ ହେଉଛି ଦୁନିଆର ଦୃଶ୍ୟପଟ୍ଟ । ଆସନ୍ତୁ ଏବେ ଭାରତ କଥା ଚିନ୍ତା କରିବା । ଭାରତ ଆଦିମ କାଳରୁ ରାଜାମାନଙ୍କ ଦ୍ୱାରା ଶାସିତ ହେଉଥିଲା । କେହି ଜଣେ ରାଜା ସାରା ଭାରତକୁ ଶାସନ କରିବାର ବହୁତ କମ୍ ନଜର ରହିଛି । ବିଭିନ୍ନ ପ୍ରାନ୍ତକୁ ଭିନ୍ନ ଭିନ୍ନ ରାଜା ଶାସନ କରୁଥିଲେ । ଅନେକ ରାଜ୍ୟକୁ ଯୁଦ୍ଧରେ ପରାସ୍ତ କରିବା ବେଳେ କିଛି ରାଜା ନିଜକୁ ମହାରାଜା ଭାବେ ଉପସ୍ଥାପିତ କରୁଥିଲେ । ଏହି ଧାରା ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଜାରି ରହିଥିଲା । ବ୍ରିଟିସ୍ ସରକାର ଭାରତକୁ ପରାଧୀନ କରିବା ପର୍ଯ୍ୟନ୍ତ ସେହି ଧାରା ଭାରତ ଶାସିତ ହେଉଥିଲା । ବ୍ରିଟିସ୍ ସରକାର ପ୍ରଥମେ ସାରା ଭାରତରେ ଶାସନ କରିବା ପ୍ରଥା ଆରମ୍ଭ କରିଥିଲେ । ଏହା ପୂର୍ବରୁ ଭାରତର ବିଭିନ୍ନ ପ୍ରାନ୍ତ ନିଜ ରାଜା, ନିଜ ନିୟମ ଓ ନିଜର ଆଚାର ବ୍ୟବହାର ଅନୁଯାୟୀ ପରିଚାଳିତ ହେଉଥିଲେ । ୧୯୪୭ ମସିହାରେ ଦେଶ ସ୍ୱାଧୀନ ହେବା ପରେ ଭାରତରେ ଗଣତନ୍ତ୍ର ପ୍ରତିଷ୍ଠା କରାଗଲା । ଅନ୍ୟ ଗଣତାନ୍ତ୍ରିକ ଦେଶ ଭଳି ଭାରତରେ ମଧ୍ୟ ନିର୍ବାଚନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ବା ନିଜ ଦେଶର ନେତା ଚୟନ କରାଗଲା । ସ୍ୱାଧୀନ ଭାରତର ଇତିହାସକୁ ଯଦି ଆମେ ଓଲଟାଇ ଦେଖିବା ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବ୍ୟତୀତ ଅନ୍ୟ କୌଣସି ନେତାଙ୍କୁ ଦୀର୍ଘ ବର୍ଷ ପର୍ଯ୍ୟନ୍ତ କାମ କରିବାର ସୁଯୋଗ ମିଳି ନାହିଁ । ନିୟମିତ ବ୍ୟବଧାନରେ ଜାତୀୟ ସ୍ତରରେ ନେତା ବଦଳିଛନ୍ତି ।

ରାଜ୍ୟଗୁଡ଼ିକର ଇତିହାସ କଣ କହୁଛି?

କିନ୍ତୁ, ରାଜ୍ୟଗୁଡ଼ିକ କଥା ଯଦି ଆମେ ବିଚାରକୁ ନେବା ତେବେ ଭାରତରେ ସାରା ଦୁନିଆର ରାଜନୈତିକ ଚରିତ୍ରର ପ୍ରତିଫଳନ ଦେଖିବାକୁ ମିଳିବ । ଏଠାରେ ଏଭଳି କିଛି ରାଜ୍ୟ ରହିଛି ଯାହା ବାମପନ୍ଥୀ ଚିନ୍ତାଧାରା ଦ୍ୱାରା ପରିଚାଳିତ । ସେଭଳି ଏକ ରାଜ୍ୟ ଥିଲା ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗରେ କମ୍ୟୁନିଷ୍ଟ ନେତା ଜ୍ୟୋତି ବାସୁ ୧୯୭୭ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ୨୩ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଶାସନ ଗାଦିରେ ରହିଥିଲେ ଏବଂ ପରେ ବୁଦ୍ଧଦେବ ଦାୟିତ୍ୱକୁ ପୁଣି ୨୦୧୧ ପର୍ଯ୍ୟନ୍ତ ଏହାର ଶାସନ ଭାର ତୁଲାଇଥିଲେ । ଜ୍ୟୋତି ବାସୁ ଏବଂ ବୁଦ୍ଧଦେବଙ୍କ ସମୟର ପଶ୍ଚିମ ବଙ୍ଗକୁ ଯଦି ଆମେ ବିଚାରକୁ ନେବା ତେବେ ସେଠାରେ କୌଣସି ଆଖିଦୃଶିଆ ବିକାଶ ହୋଇଥିବା ଜଣାଯାଏ ନାହିଁ । ବରଂ ଦିନକୁ ଦିନ ପଶ୍ଚିମ ବଙ୍ଗ ବହୁ ବର୍ଷ ପଛକୁ ଫେରିଗଲା ଭଳି ମନେ ହେଉଛି । ଦ୍ୱିତୀୟ ରାଜ୍ୟ ହେଉଛି ସିକିମ୍ ଯେଉଁଠାରେ ଜଣେ ନେତା ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଶାସନ କରିଛନ୍ତି । ସେ ହେଉଛନ୍ତି ପୱନ୍ ଚାମ୍ଲିଙ୍ଗ । ସେ ୨୩ ବର୍ଷ ହେଲାଣି ସେଠାରେ ଶାସନ କରୁଛନ୍ତି । ସିକିମ୍ର ବିକାଶ କିଭଳି ହୋଇଛି ତାହା ସମସ୍ତଙ୍କୁ ଜଣା ।

ଏବେ ଆମେ ନବୀନ ପଟ୍ଟନାୟକଙ୍କ ବିଷୟରେ ଚର୍ଚା କରିବା । ୨୦୦୦ ମସିହାରେ ନବୀନ ପ୍ରଥମେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାକୁ ମିଶାଇ ସେ ଚାରି ଚାରିଟି ନିର୍ବାଚନରେ ବିଜୟୀ ହୋଇସାରିଲେଣି । ଉପରେ ଆମେ ଯେଉଁ ସବୁ ରାଜନୈତିକ ଚିନ୍ତାଧାରା ଉପରେ ଆଲୋଚନା କରିଥିଲେ ତାହାର ଗୋଟିଏ ବି ପ୍ରତିଫଳନ ଓଡ଼ିଶାରେ ଦେଖିବାକୁ ମିଳେନାହିଁ । ଓଡ଼ିଶା ବାମପନ୍ଥୀ ଚିନ୍ତାଧାରା ଦ୍ୱାରା ପରିଚାଳିତ ନୁହେଁ । ତଥାପି ଏଠାରେ ଜଣେ ମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷ ହେଲାଣି ଶାସନ କରୁଛନ୍ତି । ବର୍ତମାନ ଏଠାରେ ସ୍ଥିତି ଯାହା ନବୀନ ପଟ୍ଟନାୟକଙ୍କୁ ଟକର୍ ଦେଇ ଅନ୍ୟ କେହି ଜଣେ ମୁଖ୍ୟମନ୍ତ୍ରୀ ହୋଇଯିବାର ସମ୍ଭାବନା ମଧ୍ୟ ବହୁତ କମ୍ ରହିଛି ।

ରାଜ୍ୟଗୁଡ଼ିକରେ ଏକ ନୂଆ ବିଚାରଧାରାର ଅଭ୍ୟୁଦୟ

ଓଡ଼ିଶା ଭଳି ଦେଶରେ ଆଉ କିଛି ରାଜ୍ୟ ରହିଛି ଯେଉଁଠାରେ ନୂଆ ପ୍ରକାର ଚିନ୍ତାଧାରାର ଅଭ୍ୟୁଦୟ ହୋଇଛି । ସେଭଳି ରାଜ୍ୟ ହେଉଛି ପଶ୍ଚିମ ବଙ୍ଗ, ତାମିଲନାଡୁ ଓ ବିହାର । ଏହି ରାଜ୍ୟଗୁଡ଼ିକରେ ବାମପନ୍ଥୀ ଚିନ୍ତାଧାରା ନାହିଁ କିମ୍ବା ବାମପନ୍ଥୀ ନେତା ମଧ୍ୟ ଶାସନ କରୁନାହାନ୍ତି । ତଥାପି ଜଣେ ଜଣେ ବ୍ୟକ୍ତି ଏହି ରାଜ୍ୟଗୁଡ଼ିକୁ ଦୀର୍ଘ ବର୍ଷ ହେଲାଣି ଶାସନ କରୁଛନ୍ତି । ଓଡ଼ିଶାରେ ନବୀନ ପଟ୍ଟନାୟକ, ପଶ୍ଚିମ ବଙ୍ଗରେ ମମତା ବାନାର୍ଜୀ, ତାମିଲନାଡୁରେ ଥିଲେ ଜୟଲଳିତା ଓ ବିହାରରେ ନୀତୀଶ କୁମାର । ଏମାନେ ନିଜ ନିଜ ରାଜ୍ୟରେ ବହୁତ ଲୋକପ୍ରିୟ । ସେମାନଙ୍କୁ ହରାଇବା ଯେକୌଣସି ଦଳ ପାଇଁ କଷ୍ଟକର । ତେବେ କେଉଁ ଚିନ୍ତାଧାରାରେ ସେମାନେ ରାଜ୍ୟ ଶାସନ କରୁଛନ୍ତି ତାହାର କୌଣସି ନିର୍ଦିଷ୍ଟ ଶବ୍ଦ ସୃଷ୍ଟି ହୋଇନାହିଁ । ସେମାନଙ୍କ ଶାସନରେ ଉଭୟ ଗଣତନ୍ତ୍ର, ରାଜତନ୍ତ୍ର ଓ ବାମପନ୍ଥୀ ଚିନ୍ତାଧାରାର ସମନ୍ୱୟ ରହିଛି । ସେମାନେ ହେଉଛନ୍ତି ତୃତୀୟ ଚିନ୍ତାଧାରାର ନେତା ।

Comments are closed.