ଜାଣନ୍ତୁ ୨୦୨୦ରେ କେବେ ହେବ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ


ଜାନୁଆରୀ ୧୦ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ
ନୂତନ ବର୍ଷ ଆରମ୍ଭ ହେବାକୁ ଯାଉଛି । ୨୦୨୦ ଆରମ୍ଭରୁ ଜାନୁଆରୀ ୧୦ ତାରିଖରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବ ଯାହାକି ଭାରତରେ ଦେଖାଯିବ । ୨୦୧୯ରେ ଅର୍ଥାତ୍ ଚଳିତ ମାସ ୨୬ ତାରିଖରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ହୋଇଥିଲା । ଦେଶର ଅନେକ ଅଂଶରେ ଏହି ସୂର୍ଯ୍ୟପରାଗ ସକାଳ ୮ଟା ୨୦ ମିନିଟ୍ରୁ ୧୧ଟା ୨୯ ମିନିଟ୍ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ଏହି ସୂର୍ଯ୍ୟପରାଗ ପରେ ଏବେ ନୂଆ ବର୍ଷରେ କେଉଁ କେଉଁ ଦିନ ସୂର୍ଯ୍ୟ ଓ ଚନ୍ଦ୍ର ଗ୍ରହଣ ହେବ ତାହା ଜାଣିବା ପାଇଁ ଲୋକେ ଉତ୍ସୁକ ରହିଛନ୍ତି ।
ଚନ୍ଦ୍ରଗ୍ରହଣ
୨୦୨୦ରେ ସର୍ବପ୍ରଥମେ ଚନ୍ଦ୍ରଗ୍ରହଣ ହେବ ଜାନୁଆରୀ ୧୦ ତାରିଖରେ । ଜାନୁଆରୀ ୧୦ ତାରିଖ ରାତି ୧୦ଟା ୩୭ ମିନିଟ୍ରୁ ୨ଟା ୪୨ ମିନିଟ୍ ପର୍ଯ୍ୟନ୍ତ ଚନ୍ଦ୍ରରେ ଗ୍ରହଣ ଲାଗିବ ଏବଂ ଭାରତ ସମେତ ଆଫ୍ରିକା, ଏସିଆ, ୟୁରୋପ ଓ ଅଷ୍ଟ୍ରେଲିଆରେ ଏହି ଚନ୍ଦ୍ରଗ୍ରହଣ ଦେଖାଯିବ । ଏହାପରେ ଜୁନ୍ ୫ ତାରିଖରେ ବର୍ଷର ୨ୟ ଚନ୍ଦ୍ର ଗ୍ରହଣ ହେବ । ଏହା ରାତି ୧୧ଟା ୧୫ ମିନିଟ୍ରୁ ୨ଟା ୩୪ ମିନିଟ୍ ପର୍ଯ୍ୟନ୍ତ ହେବ । ଭାରତ ସମେତ ଆଫ୍ରିକୀୟ ଦେଶ, ଏସିଆ, ୟୁରୋପ ଓ ଅଷ୍ଟ୍ରେଲିଆରେ ମଧ୍ୟ ଏହି ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ । ସେହିପରି ଜୁଲାଇ ୫ ତାରିଖ ୨୦୨୦ରେ ଅନ୍ୟ ଏକ ଚନ୍ଦ୍ର ଗ୍ରହଣ ହେବ ଯାହାର ସମୟ ସକାଳ ୮ଟା ୩୭ରୁ ୧୧ଟା ୨୨ ପର୍ଯ୍ୟନ୍ତ ରହିବ । ଏହା ଦକ୍ଷିଣ ପୂର୍ବ ୟୁରୋପ, ଆମେରିିକା ଓ ଆଫ୍ରିକାରେ ଦେଖାଯିବ । ବର୍ଷ ଶେଷ ଆଡକୁ ନଭେମ୍ବର ୩୦ ତାରିଖରେ ହେବ ଆଉ ଏକ ଚନ୍ଦ୍ର ଗ୍ରହଣ ଯାହାର ସମୟ ରହିଛି ଦ୍ୱିପହର ୧ଟା ୦୨ ମିନିଟ୍ରୁ ସନ୍ଧ୍ୟା ୫ଟା ୨୩ ମିନିଟ୍ ପର୍ଯ୍ୟନ୍ତ । ଏହି ଚନ୍ଦ୍ର ଗ୍ରହଣ ଭାରତ, ପ୍ରଶାନ୍ତ ମହାସାଗର, ଏସିଆ, ଆମେରିକା ଓ ଅଷ୍ଟ୍ରେଲିଆରେ ଦେଖାଯିବ ।
ସୂର୍ଯ୍ୟପରାଗ
୨୧ ଜୁନ୍ ୨୦୨୦ରେ ହେବ ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ଏହାର ସମୟ ସକାଳ ୯ଟା ୧୫ ମିନିଟ୍ରୁ ଦିନ ୩ଟା ୦୪ ମିନିଟ୍ ପର୍ଯ୍ୟନ୍ତ ରହିଛି । ପୂର୍ଣ୍ଣ ପରାଗ ସକାଳ ୧୦ଟା ୧୭ମିନିଟ୍ରୁ ୨ଟା ୦୨ ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଦିନ ୧୨ଟା ୧୦ ମିନିଟ୍ରେ ଏହାର ପ୍ରଭାବ ସର୍ବାଧିକ ରହିବ । ଭାରତ, ଏସିଆ ଓ ଦକ୍ଷିଣ ପୂର୍ବ ୟୁରୋପରେ ଲୋକେ ଏହି ସୂର୍ଯ୍ୟପରାଗ ଦେଖିପାରିବେ । ଏହାପରେ ବର୍ଷ ଶେଷରେ ଡିସେମ୍ବର ୧୪, ୨୦୨୦ରେ ସୂର୍ଯ୍ୟପରାଗ ହେବ । ଏହାର ସମୟ ସନ୍ଧ୍ୟା ୭ଟା ୦୩ ମିନିଟରୁ ରାତି ୧୨ଟା ପର୍ଯ୍ୟନ୍ତ ରହିବ । ଏହି ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ ନାହିଁ । ଏହାକୁ କେବଳ ପ୍ରଶାନ୍ତ ମହାସାଗରରେ ଦେଖାଯାଇପାରିବ ।


Share It

Comments are closed.