୨୦୨୦ରେ ୧୦ ଗ୍ରାମ ସୁନାର ମୂଲ୍ୟ ୪୫,୦୦୦ ଟଙ୍କା ହେବ!


ନୂଆ ବର୍ଷରେ ସୁନା ଆହୁରି ମହଙ୍ଗା ହେବାକୁ ଯାଉଛି । ବଜାର ବିଶେଷଜ୍ଞଙ୍କ ମତରେ, ସୁନା ଦର ନୂଆ ବର୍ଷ ଅର୍ଥାତ୍ ୨୦୨୦ରେ ୪୫,୦୦୦ ଟଙ୍କା ପ୍ରତି ୧୦ ଗ୍ରାମକୁ ବୃଦ୍ଧି ପାଇପାରେ । ଚୀନ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ, ଆମେରିକା-କୋରିଆ ସମ୍ବନ୍ଧ, ଆର୍ଥିକ ମାନ୍ଦାବସ୍ଥା, ଡଲାରର ମୂଲ୍ୟ ଓ ଟଙ୍କାରେ ଅସ୍ଥିରତା କାରଣରୁ ସୁନା ଦରରେ ଆହୁରି ବୃଦ୍ଧି ଘଟିବ । ପର୍ବପର୍ବାଣି ଓ ବିବାହ ଋତୁ କାରଣରୁ ଚଳିତ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସରେ ସୁନା ଦରରେ ବୃଦ୍ଧି ଘଟିବ । ଏହାସତ୍ୱେ ନୂତନ ବର୍ଷରେ ସୁନା ଚାହିଦା ୭୦୦ ଟନ୍ରୁ ୭୫୦ ଟନ୍ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି । କେଡିଆ ଆଡ୍ଭାଇଜରିର ପରିଚାଳନା ନିର୍ଦ୍ଦେଶକ ଅଜୟ କେଡିଆଙ୍କ ମତରେ ୨୦୨୦ରେ ସୁନା ଦର ୧୦ ଗ୍ରାମ ପିଛା ୪୩୦୦୦ରୁ ୪୪୦୦୦ ଟଙ୍କା ରହିବ । ସୁନାରେ ଏହି ବର୍ଦ୍ଧିତ ଦର ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ।
ଆନ୍ତର୍ଜାତୀୟ ବଜାରରେ ସଙ୍କଟ ଦେଖାଦେଲେ ସୁନା ମହଙ୍ଗା ହେବା ଆରମ୍ଭ ହୋଇଥାଏ । ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ତଥ୍ୟ ଅନୁସାରେ, ବିଶ୍ୱର ୧୪ଟି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ନିଜ ସୁନା ଭଣ୍ଡାରରେ ସୁନାର ପରିମାଣ ୧ ଟନ୍ କିମ୍ବା ତାହାଠାରୁ ଅଧିକ ବଢାଇଛନ୍ତି । ଏହି ୧୪ଟି ଦେଶ ମଧ୍ୟରେ ଭାରତ ମଧ୍ୟ ରହିଛି ।
ସୁନା ଦର ବଢିବାର ପ୍ରମୁଖ କାରଣ
– କୋମ୍ଟ୍ରେଞ୍ଜ ରିସର୍ଚ୍ଚ ଅନୁସାରେ ୨୦୨୦ରେ ଭୂ-ରାଜନୈତିକ ଘଟଣାଗୁଡିକ କାରଣରୁ ନିବେଶକଙ୍କ ଚିନ୍ତା ବଢିବ
– ବିଶ୍ୱବ୍ୟାପ ସୁଧ ହାର ନିମ୍ନ ସ୍ତରରେ ରହିବା ଯୋଗୁ ସେୟାର ବଜାର ଉଚ୍ଚ ସ୍ତରରେ ରହିବ ଏବଂ ସୁନାରେ ନିବେଶ ବଢିବ ।
– ଆମେରିକା ରାଷ୍ଟ୍ରପତି ନିର୍ବାଚନର ପରିଣାମ ମଧ୍ୟ ସୁନା ଦର ଉପରେ ପ୍ରଭାବ ପକାଇବ ।
– ଆର୍ବିଆଇ ୨୦୧୯ରେ ସୁନାର ମୁଖ୍ୟ କ୍ରେତାଙ୍କ ମଧ୍ୟରେ ରହିଥିଲା ଏବଂ ନିଜ ଭଣ୍ଡାରରେ ୬୦ ଟନ୍ ସୁନା ବୃଦ୍ଧି କରିଛି ।
– ବର୍ତମାନ ସୁଦ୍ଧା ଚୀନ୍ ଓ ରୁଷ୍ ସୁନାର ସବୁଠାରୁ ବଡ କ୍ରେତା ରହିଛନ୍ତି । ଭାରତ ବ୍ୟତୀତ ଏହି େରେସ୍ରେ ତୁର୍କୀ, ପୋଲାଣ୍ଡ, କଜାଖିସ୍ତାନ ମଧ୍ୟ ସାମିଲ ରହିଛି ।
୨୦୧୯ ଆରମ୍ଭରେ ସୁନା ଉପଭୋକ୍ତାଙ୍କ ପାଇଁ ଅଧିକ ଆକର୍ଷକ ଥିଲା । ସେସମୟରେ ଏହାର ମୂଲ୍ୟ ୩୧,୫୦୦ ଟଙ୍କାରୁ ୩୨୦୦୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଥିଲା । ଜୁନ୍ ୨୦୧୯ରେ ମୂଲ୍ୟ ବଢିବା ପରେ ଚାହିଦା ହ୍ରାସ ପାଇଥିଲା । ମୁଦ୍ରା ଦର ହ୍ରାସ ଓ ସରକାରଙ୍କ ପକ୍ଷରୁ ଉପଭୋକ୍ତା ଶୁଳ୍କ ବୃଦ୍ଧି କରାଯିବା ପରେ ଘରୋଇ ବଜାରରେ ସୁନା ମହଙ୍ଗା ହୋଇଥିଲା । ପରେ ବର୍ଷ ଶେଷ ଆଡକୁ ଏହା ପ୍ରାୟ ୪୦,୦୦୦ ଟଙ୍କା ପ୍ରତି ୧୦ ଗ୍ରାମରେ ପହଂଚିଛି ।


Share It

Comments are closed.