ଭୁବନେଶ୍ୱରରେ ଆୟୋଜିତ ହେବ ଓଡ଼ିଶା ଟ୍ରାଭେଲ୍ ବଜାର


ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ଫିକି ସହଯୋଗରେ ଭୁବନେଶ୍ୱର ଠାରେ ଅକ୍ଟୋବର ୧୪-୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଟ୍ରାଭେଲ ବଜାର (ଓଟିବି) ଆୟୋଜନ କରାଯିବ । ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରର ଅଂଶୀଦାରଙ୍କ ପାଖରେ ପହଂଚିବା ଲାଗି ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜନ କରାଯାଇଥିବା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା ଆଇଟିବି ବର୍ଲିନ, ଡବ୍ଲୁଟିଏମ ଲଣ୍ଡନ, ଜିଆଇଟିବି ଜୟପୁର ଭଳି ଅନେକ ଜାତୀୟ ଏବଂ ଆନ୍ତର୍ଜାତିକ କାର୍ଯ୍ୟକ୍ରମ ପର୍ବ ଓଡ଼ିଶା ଟ୍ରାଭେଲ୍ ବଜାର ସହ ପରିସମାପ୍ତି ହେବ । ଓଡ଼ିଶା ଟ୍ରାଭେଲ୍ ବଜାରକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ । ଏହି ଅବସରରେ ୧୫ଟି ଦେଶର ୨୫ ଅଗ୍ରଣୀ ଟ୍ରୁ ଅପରେଟର, ଭାରତର ୧୯ଟି ସହରର ୬୦ ଅଗ୍ରଣୀ ସ୍ଥାନୀୟ ଟୁର୍ ଅପରେଟର ସମେତ ଆନ୍ତର୍ଜାତିକ ବିମାନ କଂପାନି, ଭ୍ରମଣ ଲେଖକ ଓଡ଼ିଶାର ୫୦ରୁ ଅଧିକ ଟୁର୍ ଅପରେଟର ଏବଂ ହୋଟେଲ୍ ସଂସ୍ଥା ସହ ବି୨ବି ବୈଠକରେ ଭାଗ ନେବେ । ଓଡ଼ିଶା ପର୍ଯ୍ୟଟନ ଏବଂ ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶାର ପର୍ଯ୍ୟଟନ ଉତ୍ପାଦ ଓ ବଜାରକୁ ବିକ୍ରେତାଙ୍କ ସାମ୍ନାରେ ଉପସ୍ଥାପନ କରାଯିବ । ଏହି ସମ୍ମେଳନରେ ଅଧିକ ପର୍ଯ୍ୟଟକଙ୍କୁ ଆଣିବା ଉପରେ ଗୁରୁତ୍ୱାରୋପ କରାଯିବ । ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ସହ ପରିଚିତ କରାଇବା ଲାଗି ଟୁର୍ ଅପରେଟରମାନଙ୍କୁ ପରିଦର୍ଶନରେ ନିଆଯିବ । ଅକ୍ଟୋବର ୧୮-୨୦ ତାରିଖ ତିନି ଦିନ ପର୍ଯ୍ୟନ୍ତ ବାୟର-ସେଲର ମିଟ୍ (କ୍ରେତା ବିକ୍ରେତା ସମ୍ମିଳନୀ) ଆୟୋଜନ କରାଯିବ । ଏହି ତିନି ଦିନରେ କ୍ରେତା ବିକ୍ରେତାଙ୍କୁ ନେଇ ପାଖାପାଖି ୨୪୦୦ ବି୨ବି ବୈଠକ ବିକ୍ରେତାଙ୍କ ବୁଥ୍ରେ ଆୟୋଜନ କରିବାକୁ ଆଗୁଆ ସ୍ଥିର କରାଯାଇଛି । ସ୍ୱତନ୍ତ୍ର ପରିଦର୍ଶନ ଟ୍ରିପ୍ ବିଦେଶୀ ଟୁର୍ ଅପରେଟର ଏବଂ ଶ୍ରେଷ୍ଠ ସ୍ଥାନୀୟ ଟୁର୍ ଅପରେଟରଙ୍କ ଲାଗି ଆୟୋଜନ କରାଯିବ । ଓଡ଼ିଶାର ବୌଦ୍ଧ ସର୍କିଟ୍, ସ୍ୱର୍ଣ୍ଣ ତ୍ରିଭୁଜ ଓ ଏଥ୍ନିକ ଟୁରିଜିମ୍ ସର୍କିଟ୍କୁ ନେଇ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି ।


Share It

Comments are closed.