ମୋନା ପକ୍ଷରୁ ୨୦୦ରୁ ଅଧିକ ବ୍ଲକ ଅଫିସ ସଂମୁଖରେ ଧାରଣା


ଆଜି ସାରା ଦେଶରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଥିବାବେଳେ ଅନ୍ୟପଟେ ଅନେକ ବର୍ଷ ଧରି ଓଡିଶାକୁ ମଦମୁକ୍ତ କରିବା ପାଇଁ ଦାବୀ କରି ଆସୁଥିବା ମିଳିତ ଓଡିଶା ନିବାରଣ ଅଭିଯାନ (ମୋନା) ଏବଂ ଏହାର ଯୁବ ଶାଖା ମଦମୁକ୍ତି ଯୁବ ବାହିନୀ ପକ୍ଷରୁ ରାଜଧାନୀ ସମେତ ରାଜ୍ୟର ୨୦୦ରୁ ଅଧିକ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି । ମୋନା ପକ୍ଷରୁ ସଙ୍ଗଠନର ଶହ ଶହ କାର୍ଯ୍ୟକର୍ତ୍ତା ଓଡିଶାକୁ ମଦମୁକ୍ତ କରିବାର ଦାବୀ ନେଇ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେବା ସହ ମହତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ବସି ପ୍ରତୀକ ଅନଶନ ମଧ୍ୟ ପାଳନ କରିଛନ୍ତି ।

 

କେନ୍ଦ୍ରାପଡା ବ୍ଲକରେ ଧାରଣା

 

ପ୍ରକାଶ ଥାଉକି, ଜାତିର ପିତା ମହତ୍ମା ଗାନ୍ଧି ନିଶାର ଘୋର ବିରୋଧୀ ଥିବାବେଳେ ଭାରତକୁ ସ୍ୱାଧୀନ ହେବାର ୨୪ ଘଣ୍ଟା ମଧ୍ୟରେ ଦେଶରୁ ମଦ ହଟିବା ଦରକାର ବୋଲି ସେ କହିଥିଲେ । କିନ୍ତୁ ସବୁଠାରୁ ବିଡମ୍ବନାର କଥା ଏହା ଯେ, ଭାରତକୁ ସ୍ୱାଧୀନ ହେବାର ଦୀର୍ଘ ୭୨ ବର୍ଷ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଦେଶରୁ ଏବଂ ରାଜ୍ୟରୁ ମଦ ହଟିବା ତ ଦୂରର କଥା ଓଲିଟି ସରକାର ଏଠି ମଦ ବିକ୍ରିକୁ ପ୍ରୋତ୍ସାହନ ଦେବାରେ ଲାଗିଛନ୍ତି । ସରକାର ସବୁ ଆଡେ ଗାନ୍ଧୀଜୀଙ୍କର ଏହି ପୂଣ୍ୟ ଜନ୍ମତିଥିକୁ ବେଶ ଉତ୍ସୁକତାର ସହ ପାଳନ କରୁଥିବାବେଳେ ଅନ୍ୟପଟେ ତାଙ୍କ ନୀତି ଆଦର୍ଶକୁ ଜଳାଞ୍ଜଳୀ ଦେଇ ମଦ ଦୋକାନୀ ଏବଂ ମାଫିଆ ମାନଙ୍କୁ ଖୁଲମଖୁଲ୍ଲା ମଦ ବିକ୍ରି କରିବାକୁ ପ୍ରୋତ୍ସାହିତ କରୁଛନ୍ତି । ସେଥିପାଇଁ ମାହତ୍ମା ଗାନ୍ଧୀଙ୍କ ଏହି ବାଣୀକୁ ପୁଣି ରାଜ୍ୟବାସୀଙ୍କୁ ମନେ ପକାଇଦେବା ଏବଂ ରାଜ୍ୟ ସରକାରଙ୍କୁ ଅନଶନ ମାଧ୍ୟମରେ ଚେତାଇ ଦେବା ପାଇଁ ଆଜି ମୋନା ପକ୍ଷରୁ ଏକ ଅଭିନବ ଉପାୟରେ ମଦମୁକ୍ତ ଓଡିଶାର ଦାବୀ ନେଇ ଆନ୍ଦୋଳନ କରାଯାଇଛି ।

 

ବଂଶପାଳ ବ୍ଲକରେ ଧାରଣା

 

ଏହି ଅବସରରେ ମୋନାର ସଭାପତି ପଦ୍ମଚରଣ ନାୟକ କହିଛନ୍ତି ଯେ, “ଗାନ୍ଧିଜୀଙ୍କ ମୂଳମନ୍ତ୍ର ଅହିଂସା ଏବଂ ମଦ ଦୁହେଁ ପରସ୍ପର ବିରୋଧୀ ଶବ୍ଦ । ଗୋଟିଏ ପଟେ ସରକାର ଗାନ୍ଧିଜୀଙ୍କର ୧୫୦ତମ ଜୟନ୍ତୀକୁ ଅନେକ ଧୁମଧାମରେ ଏବଂ କାର୍ଯ୍ୟକ୍ରମର ମାଧ୍ୟମରେ ପାଳନ କରୁଥିବାବେଳେ ଅନ୍ୟପଟେ ରାଜ୍ୟରେ ମଦର ପ୍ରସାର ପାଇଁ ଖୁବ ତତ୍ପର ଅଛନ୍ତି । ତେଣୁ ସରକାର ଯଦି ଗାନ୍ଧିଜୀଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଚାହୁଁଛନ୍ତି ତେବେ ମଦକୁ ତତ୍କାଳ ଓଡିଶାରୁ ନିଷେଧ କରିବା ଆବଶ୍ୟକ । ମଦ ଯୋଗୁଁ ରାଜ୍ୟରେ ଗଣଧର୍ଷଣ ଠାରୁ ଆରମ୍ଭ କରି ଶିଶୁ ଧର୍ଷଣ, ବୃଦ୍ଧ ବାପା ଓ ମା’ଙ୍କୁ ହତ୍ୟା, ମହିଳା ନିର୍ଯ୍ୟାତନା ଏବଂ ଯାବତୀୟ ଆସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବଢି ଚାଲିଥିବାବେଳେ ଅନ୍ୟପଟେ ସରକାର ଓଡିଶାକୁ ମଦମୁକ୍ତ କରିବା ଦୂରର କଥା ଏହା ଦେଖି ମଧ୍ୟ ସରକାର କୁମ୍ଭକର୍ଣ୍ଣ ନୀଦରେ ଶୋଇ ରହିଛନ୍ତି ।”

ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଫ୍ରଫେସର ବିଜୟ ସ୍ୱାଇଁ, ଜଗଦିଶ ବକ୍ସିପାତ୍ର, କନକଲତା ଭଞ୍ଜ, ମଳୟ ତ୍ରିପାଠୀ, ଗାୟତ୍ରୀ ଦାସ, ଫ୍ରଫେସର ନନ୍ଦିତା ଦାସ, କେଦାର ସାହୁ, ପ୍ରଦୀପ ପ୍ରଧାନ, ଡକ୍ଟର ବିଜନ ବିହାରୀ ନାୟକ, ଆଇନଜୀବୀ ନୀଳମଣି ପ୍ରହରାଜ, ପ୍ରମେଶ ମହାନ୍ତି ଆଦି ଉପସ୍ଥିତ ଥିଲେ ।


Share It

Comments are closed.