ପ୍ଲାଷ୍ଟିକ ଆବର୍ଜନା ପ୍ରତି ସଚେତନତା ପାଇଁ ୧୦୦ କିମି ପାଦରେ ଚାଲିଲେ ଦୀପକ


ପ୍ଲାଷ୍ଟିକ୍ ଅଜିକାଲି ଲୋକମାନଙ୍କ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଜଡ଼ିତ ହୋଇସାରିଛି । ଦୋକାନରୁ ଯେକୌଣସି ଜିନିଷ ଆଣିବା ପାଇଁ ପଲିଥିନ ଠାରୁ ଆରମ୍ଭ କରି ଜାତୀୟ ତଥା ଆନ୍ତର୍ଜାତୀୟ ବ୍ରାଣ୍ଡର ଉତ୍ପାଦକୁ ଗଚ୍ଛିତ ରଖିବା ପର୍ଯ୍ୟନ୍ତ ସବୁଠି ପ୍ଲାଷ୍ଟିକ ବହୁଳ ମାତ୍ରାରେ ବ୍ୟବହୃତ ହେଉଛି । ତେବେ ପ୍ରକୃତ କଥା ହେଉଛି ପ୍ଲାଷ୍ଟିକ୍ ଆମମାନଙ୍କ ଜିନିଷଗୁଡ଼ିକୁ ଗଚ୍ଛିତ କରିବା, ନେବା ଆଣିବା କରିବା ପାଇଁ ଏକ ସୁବିଧାଜନକ ବିକଳ୍ପ ଅଟେ ସତ, କିନ୍ତୁ ଏହା ସମପରିମାଣରେ ପରିବେଶ ପ୍ରଦୂଷଣର କାରଣ ହେଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ଲାଷ୍ଟିକ୍ ବ୍ୟବହାରକୁ କମ୍ କରିବା ପାଇଁ ବିଭିନ୍ନ ପ୍ରୟାସ କରାଗଲେ ମଧ୍ୟ ଲୋକମାନଙ୍କ ସଚେତନତା ବିନା ଏସବୁ ସମ୍ଭବ ହେଉନାହିଁ ।
ତେବେ ଦେଶରେ ବଢ଼ିଚାଲିଥିବା ପ୍ଲାଷ୍ଟିକ୍ ବ୍ୟବହାର ଓ ଆବର୍ଜନାକୁ କମାଇବା ପାଇଁ କେରଳର ପକ୍କଡ଼ ଜିଲ୍ଲା ନିବାସୀ ଦୀପକ ବର୍ମା ୩୫ କେଜି ପ୍ଲାଷ୍ଟିକ ଆବର୍ଜନା ସହିତ ୨୪ ଘଣ୍ଟାରେ ୧୦୦ କିମି ବାଟ ଅତିକ୍ରମ କରିଛନ୍ତି । ଦୀପକ ଏହି ସଚେତନତା ଯାତ୍ରା ଅକ୍ଟୋବର ୧ରେ ପଲକ୍କଡ଼ ଜିଲ୍ଲାର ଭିକ୍ଟୋରିଆ ମହାବିଦ୍ୟାଳୟଠାରୁ ଆରମ୍ଭ କରି ପରଦିନ ଏର୍ଣ୍ଣାକୁଲମ୍ ଦରବାର୍ ହଲ୍ ଗ୍ରାଉଣ୍ଡରେ ଶେଷ କରିଛନ୍ତି । ଏହା ପୂର୍ବରୁ ସେ ଫେବୃଆରୀ ୨୦୧୮ରେ ପ୍ରଥମ ୨୪ ଘଣ୍ଟିଆ ଅଭିଯାନ ଆରମ୍ଭ କରିଥିଲେ । ଏଥିରେ ସେ ୪,୦୦୦ କେଜିର ପ୍ଲାଷ୍ଟିକ୍ ଆବର୍ଜନା ଏକାଠି କରିଥିଲେ । ଏହି ଅଭିଯାନ ବିଷୟରେ ଦୀପକ କରିଛନ୍ତି, “ବର୍ତ୍ତମାନ ଦେଶର ସବୁ ସ୍ଥାନରେ କୁଢ଼ କୁଢ଼ ପ୍ଲାଷ୍ଟିକ୍ ପଲିଥିନ୍, ବୋତଲ ଓ ଅବ୍ୟବହୃତ ଆସବାବପତ୍ର ପଡ଼ୁଥିବାର ଦେଖିବାକୁ ମିଳୁଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହିଭଳି ଆମର ଅନେକ କର୍ମୀ ରହିଛନ୍ତି ଏବଂ ଧିରେ ଧିରେ ଆମେ ସାରା ଦେଶରେ ଆମର ଅଭିଯାନକୁ ସଂପ୍ରସାରିତ କରିବାକୁ ଲକ୍ଷ୍ୟ ରଖିଛୁ ।”


Share It

Comments are closed.