ସହିଦ ଦିବସରେ ଦେଶର ବୀର ପୁରୁଷଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ


୮୮ ବର୍ଷ ପୂର୍ବେ ଆଜିର ଦିନରେ ସହିଦ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ଇଂରେଜମାନେ ଫାଶୀ ଦେଇଥିଲେ । ସେଥିପାଇଁ ଆଜିର ଏହି ଦିନକୁ ସହିଦ ଦିବସ ରୂପେ ପାଳନ କରାଯାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି ଏହି ବୀର ପୁରୁଷଙ୍କ ସ୍ମୃତିକୁ ମନେ ପକାଇ ତାଙ୍କ ସଂପର୍କରେ କିଛି ଆବେଗପୂର୍ଣ୍ଣ ବାର୍ତ୍ତା ଲେଖିଛନ୍ତି ।
ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, “ଆଜାଦୀର ଅମର ଯବାନ ବୀର ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ଏହି ସହିଦ ଦିବସ ଅବସରରେ ଶତ-ଶତ ପ୍ରଣାମ । ଭାରତ ମାତାର ଏହି ପରାକ୍ରମୀ ସୁପୁତ୍ରଙ୍କ ତ୍ୟାଗ, ସଂଘର୍ଷ ଏବଂ ଆଦର୍ଶର କାହାଣୀ ଆଜି ଦେଶକୁ ସର୍ବଦା ପ୍ରେରଣା ଦେଉଛି । ଜୟ ହିନ୍ଦ ! ”
ପ୍ରକାଶ ଥାଉକି ୨୩ ମାର୍ଚ୍ଚ ୧୯୩୧ରେ ଲାହୋର (ପାକିସ୍ତାନ)ରେ ଭଗତ ସିଂହ, ସୁଖଦେବ ଥାପର, ଏବଂ ଶିବରାମ ରାଜଗୁରୁଙ୍କୁ ଫାଶୀ ଦିଆଯାଇଥିଲା । ଭଗତ ସିଂହଙ୍କ ଯେତେବେଳେ ଫାଶୀ ଦିଆଯାଇଥିଲା ସେତେବେଳେ ତାଙ୍କୁ ୨୩ ବର୍ଷ ବୟସ ହୋଇଥିଲା । ସେ ତାଙ୍କର କ୍ରାନ୍ତିକାରୀ ଚିନ୍ତାଧାରା ଏବଂ ପଦକ୍ଷେପ ଯୋଗୁଁ ଇଂରେଜ ଶାସନ ପତନ ମୁଖ୍ୟ କାରଣ ସାଜିଥିଲେ ।
ଭଗତ ସିଂହ କହୁଥିଲେ ଯେ “ବୋମା ଏବଂ ବନ୍ଧୁକ ଦ୍ୱାରା କ୍ରାନ୍ତି କେବେବି ଆସେ ନାହିଁ, କ୍ରାନ୍ତି ନିଜ ବିଚାରଧାର ଦ୍ୱାରା ହିଁ ଆସିଥାଏ ।”
ସେ ଆହୁରୀ ମଧ୍ୟ କହିଥିଲେ ଯେ “ପ୍ରେମୀ ପାଗଳ ଏବଂ ଦେଶଭକ୍ତ ଗୋଟିଏ ଉପାଦାନରୁ ହିଁ ଗଢା, ସେଥିପାଇଁ ଦେଶଭକ୍ତଙ୍କୁ ସର୍ବଦା ପାଗଳର ଆଖ୍ୟା ଦିଆଯାଏ ।
ଭଗତ ସିଂହ ଡିସେମ୍ବର ୧୯୨୮ରେ ଲାହୋର ପୋଲିସ ଅଧିକାରୀ ‘ଜନ ସାଣ୍ଡର୍ସ’ଙ୍କୁ ଗୁଳିମାରି ହତ୍ୟା କରିଥିଲେ ।


Share It

Comments are closed.