ରବର୍ଟ ଭଦ୍ରାଙ୍କ ସମର୍ଥନରେ ବାହାରିଲେ ମମତା


ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ପ୍ରମୁଖ ମମତା ବାନାର୍ଜି ରବର୍ଟ ଭଦ୍ରାଙ୍କ ସମର୍ଥନରେ ବାହାରିଛନ୍ତି । ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା ପରେ ତାଙ୍କ ସପକ୍ଷରେ ବାହାରିଛନ୍ତି ମମତା ଏବଂ କହିଛନ୍ତି ସମସ୍ତ ବିରୋଧୀ ରବର୍ଟ ସମର୍ଥନରେ ଅଛନ୍ତି । ମମତା ଏହି ଅଭିଯୋଗ ମଧ୍ୟ ଲଗାଇଛନ୍ତି ଯେ, “ରବର୍ଟଙ୍କୁ ରାଜନୈତିକ କାରଣରୁ ଫସାଯାଉଛି” ।
କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମମତା କହିଛନ୍ତି ଯେ, “ବିଜେପି ଜାଣିଶୁଣି ଏଭଳି କରୁଛି, ଯେପରି ନିର୍ବାଚନ ପୂର୍ବରୁ ସେ ଲୋକଙ୍କୁ ଭୂଆଁ ବୁଲାଇପାରିବେ । ବିଜେପି ଏହା ଚାହୁଁଛି ଯେ, ସେ ବିରୋଧୀ ଯେପରି ଏକଜୁଟ ନହୋଇପାରନ୍ତୁ । ଏଥି ପାଇଁ ସମସ୍ତଙ୍କୁ ଇଡି ନୋଟିସ ପଠାଉଛି । ବର୍ତ୍ତମାନ କିନ୍ତୁ ସମସ୍ତ ବିରୋଧୀ ଏକଜୁଟ ଅଛନ୍ତି । ”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଏହା ଏକ ରାଜନୈତିକ ଷଡଯନ୍ତ୍ର ଏବଂ ଏହା ପଛରେ କୌଣସି ଗମ୍ଭୀର ମାମଲା ନାହିଁ । ବିଜେପିର ଏହି କାର୍ଯ୍ୟକଳାପ ବିରୋଧରେ ବର୍ତ୍ତମାନ ଆମେ ନିର୍ବାଚନ କିମିଶନଙ୍କ ନିକଟରେ ଅଭିଯୋଗ କରିବୁ । ଏବଂ କହିବୁ ଯେ, ବିଜେପି, ବିରୋଧୀଙ୍କ ଭାବମୂର୍ତ୍ତୀକୁ ଖରାପ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସିଙ୍କର ବ୍ୟବହାର କରୁଛି ।”
ମିଳିଥିବା ସୂଚନା ମୁତାବକ ମମତା ୧୪ ଫେବୃଆରୀରେ ଦିଲ୍ଲୀରେ ଆୟୋଜିତ ହେଉଥିବା ମୋଦି ବିରୋଧି ମହାମେଣ୍ଟ କାର୍ଯ୍ୟକ୍ରମରେ ଯୋଗ ମଧ୍ୟ ଦେଇପାରନ୍ତି ।


Share It

Comments are closed.