ମଦ ବିରୋଧି ଅଭିଯାତ୍ରୀଙ୍କୁ ପୋଲିସର ଦୁର୍ବ୍ୟବହାର ଏବଂ ଥାନାରେ ଅଟକ


୧୧ ଦିନବ୍ୟାପି ଆରମ୍ଭ ହୋଇଥିବା ମଦମୁକ୍ତି ଅଭିଯାତ୍ରା ଆଜି ଶେଷ ହୋଇଛି । ତେବେ ଏହି ଯାତ୍ରା ଭୁବନେଶ୍ୱର ପହଞ୍ôଚବା ପୂର୍ବରୁ ଅଭିଯାତ୍ରୀ ଦଳ କଟକ ଠାରେ ପୋଲିସ ସହ ଯାତ୍ରାର ପରମିଶନକୁ ନେଇ କଥା କଟାକଟି, ରାସ୍ତା ରୋକ ଏବଂ ପରେ ଥାନାରେ ଅଟକ ରହିଥିଲେ । ଅଭିଯାତ୍ରୀଙ୍କ ପକ୍ଷରୁ ଯାତ୍ରା ନିମନ୍ତେ ଆବଶ୍ୟକୀୟ ପରମିଶନ ନିଆଯାଇଥିବା କୁହାଯାଇଥିଲେ ମଧ୍ୟ ପୋଲିସ ଏହାକୁ ଗ୍ରହଣ କରିନଥିଲେ । ପରେ ଅଟକରୁ ମୁକ୍ତ ହେବାପରେ ଅଭିଯାତ୍ରୀମାନେ ଭୁବନେଶ୍ୱରର ଲୋଏର ପିଏମଜି ଠାରେ ଯାତ୍ରାର ସମାପନ କରିଛନ୍ତି ।
ଏହା ସହ ଅଭିଯାତ୍ରୀଙ୍କ ପକ୍ଷରୁ ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର ଦର୍ଶାଇ ମଦ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏକ ପ୍ରୟାସ ବୋଲି ଦର୍ଶାଯାଇଛି । ଏହା ସହ ଆନ୍ଦୋଳନକାରୀମାନେ ପୋଲିସ ବିରୋଧରେ ଦୁର୍ବ୍ୟବହାର ଏବଂ ମାରପିଟର ଅଭିଯୋଗ ଆଣିଛନ୍ତି । ତେବେ ରାସ୍ତାରୋକ କରୁଥିବା ୫୦ରୁ ଉଦ୍ଧ୍ୱର୍ ମଦ ବିରୋଧୀ ଆନ୍ଦୋଳନକାରୀଙ୍କୁ ପୋଲିସ ମଧୁପାଟଣା ଥାନାରେ ଅଟକ ରଖିଥିଲେ । ଯାହା ମଧ୍ୟରେ ୩୦ରୁ ଉଦ୍ଧ୍ୱର୍ ମହିଳା ଥିଲେ ।

ପୂର୍ବରୁ ଓଡିଶାରୁ ସମ୍ପୂର୍ଣ୍ଣ ମଦ ବନ୍ଦ ଦାବୀରେ ‘ମିଳିତ ଓଡଶା ନିଶା ନିବାରଣ ଅଭିଯାନ’ ଓ ‘ମଦମୁକ୍ତି ଯୁବ ବାହିନୀ ପକ୍ଷରୁ’ ଫେବୃଆରୀ ୨୩ରୁ ୧୧ ଦିନବ୍ୟାପି ମଦମୁକ୍ତି ଅଭିଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ଯାହା ଆଜି ଭୁବନେଶ୍ୱର ଠାରେ ସମାପନ କରାଯିବାର କାର୍ଯ୍ୟକ୍ରମ ଥିଲା । ତେବେ ଅଭିଯାତ୍ରୀମାନେ ୧୧ତମ ଦିବସରେ କଟକର ସତ୍ୟଭାମାପୁରରୁ ଯାତ୍ରା ଆରମ୍ଭ କରି ମାହାଙ୍ଗା, ନିଶ୍ଚିନ୍ତକୋଇଲି, ସାଲେପୁର ଆଦି ଗସ୍ତ କରିସାରିବା ପରେ କଟକ ଷ୍ଟେସନ ଠାରେ ପହଞ୍ଚିଥିଲେ ।
ଏହିଠାରୁ ଯାତ୍ରା ଭୁବନେଶ୍ୱର ଆଡକୁ ଯାଉଥିବାବେଳେ ବାଦାମବାଡି ଛକ ନିକଟରେ ଅଭିଯାତ୍ରୀଙ୍କୁ ପୋଲିସ ପକ୍ଷରୁ ରୋକାଯାଇ ଯାତ୍ରାର ପରମିଶନ ମଗାଯାଇଥିଲା । ଅଭିଯାତ୍ରୀଙ୍କ ପକ୍ଷରୁ ଯାତ୍ରା ସମ୍ବନ୍ଧିତ ସୂଚନା ଗୃହ ସଚିବ ଓ ପୋଲିସ ମହା ନିର୍ଦ୍ଦେଶକଙ୍କ ସହ ସମସ୍ତ ଜିଲ୍ଲାର ଏସପିଙ୍କୁ ପୂର୍ବରୁ ସୂଚିତ ହୋଇଥିବା ଦର୍ଶାଯାଇଥିଲା । ତେବେ ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥିବାବେଳେ ଅଭିଯାତ୍ରୀଙ୍କ ପକ୍ଷରୁ ପୋଲିସ ଦୁର୍ବ୍ୟବହାର ଏବଂ ମାରପିଟ କରିଥିବା ଅଭିଯୋଗ ଅଣାଯାଇଛି । ଏହାର ପ୍ରତିବାଦ କରି ଅଭିଯାତ୍ରୀମାନେ ବାଦାମବାଡି ଛକରେ ରାସ୍ତାରୋକ କରିଥିଲେ ଯାହାପରେ ପୋଲିସ ତାଙ୍କୁ ସେଠାରୁ ହଟାଇ ମଧୁପାଟଣା ଥାନାରେ ଅଟକ ରଖିଥିଲା ।

ଏହି ସଂପର୍କରେ ସୂଚନା ଦେଇ ମିଳିତ ଓଡିଶା ନିଶା ନିବାରଣର ଶ୍ରୀଯୁକ୍ତ ମଳୟ ତ୍ରିପାଠି କହିଛନ୍ତି ଯେ, “ଆମେ ଯାତ୍ରା ସମ୍ବନ୍ଧିତ ସମସ୍ତ ପରମିଶନ ପୂର୍ବରୁ ନେଇଥିଲୁ ଏ ସମ୍ବନ୍ଧରେ ଚିଠି ଗୃହ ସଚିବ, ପୋଲିସ ମହାନିର୍ଦ୍ଦେଶକ ଏବଂ ଯାତ୍ରା ପରିକ୍ରମା କରୁଥିବା ପୋଲିସ ଏସପିଙ୍କୁ ପୂର୍ବରୁ ଦିଆଯାଇଥିଲା । ଯାତ୍ରାର ଅନ୍ତିମ ଦିବସରେ ପୋଲିସ ଅଟକାଇବା ଏବଂ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସମ୍ପୂର୍ଣ୍ଣ ରାଜନୈତିକ ଷଡଯନ୍ତ୍ର ମନେ ହେଉଛି । ଆଗକୁ ନିର୍ବାଚନ ଥିବାରୁ ମଦ ଆନ୍ଦୋଳନ ଗୁଡିକୁ ଭଣ୍ଡୁର କରିବା ପାଇଁ ସରକାରଙ୍କ ଏହା ଏକ ପ୍ରୟାସ । ”
ଏହି ୧୧ ଦିନିଆ ଯାତ୍ରା ୧୧୦୦ କିଲୋମିଟର ପରିକ୍ରମା କରି ଖୋର୍ଦ୍ଦା, ପୁରୀ, ଜଗତସିଂହପୁର, କେନ୍ଦ୍ରପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର, ଢେଙ୍କାନାଳ, କଟକ ଆଦି ଜିଲ୍ଲା ଗସ୍ତ କରିଛି । ଏହି ଅବସରରେ ଉପସ୍ଥିତ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ କାହ୍ନୁଚରଣ ବେହୁରା, ବିଜୟ ସ୍ୱାଇଁ, ଇନ୍ଦୁମତି ସାହୁ, ସତ୍ୟବ୍ରତ ପୃଷ୍ଟି, ମଳୟ ତ୍ରିପାଠି, ପ୍ରିତୀ ନାୟକ ସୌମ୍ୟରଞ୍ଜନ ମହାନ୍ତି, ଲଲାଟେଣ୍ଡୁ ପାତ୍ର, ପ୍ରିୟନାଥା ଆଚାର୍ଯ୍ୟ, ଖଗେଶ୍ୱର ବଳ, ଉମେଶ ଚନ୍ଦ୍ର ନାୟକ ଆଦି ସାମିଲ ହୋଇଥିଲେ ।


Share It

Comments are closed.