କର୍ଣ୍ଣାଟକରେ ରାଜନୈତିକ ସଙ୍କଟ, କଂଗ୍ରେସ ଡାକିଲା ବିଧାୟକ ଦଳ ବୈଠକ
କର୍ଣ୍ଣାଟକରେ ଜାରୀ ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସ ୧୮ ଜାନୁଆରୀରେ ନିଜ ବିଧାୟକ ଦଳ ବୈଠକ ଡାକିଛି । ସେପଟେ କଂଗ୍ରେସ ସାଂସଦ ମୁନିଅପ୍ପା କହିଛନ୍ତି ଯେ, “ଆଗାମୀ କ୍ୟାବିନେଟ ବିସ୍ତାରରେ ସମସ୍ତଙ୍କୁ ସେଥିରେ ସୁଯୋଗ ଦିଆଯିବ, ସେଥି ପାଇଁ କେହି ନିଜକୁ ଅସୁରକ୍ଷିତ ମନେ ନକରି ପୁଣି ଥରେ ଦଳକୁ ଫରି ଆସନ୍ତୁ ।”
ପ୍ରକାଶ ଥାଉକି ଗତ କାଲି ଦୁଇ ଜଣ ବିଧାୟକ କଂଗ୍ରେସ ଏବଂ ଜେଡିଏସ ସରକାରଙ୍କ ଠାରୁ ନିଜ ସମର୍ଥନ ଫେରାଇ ଆଣିଥିଲେ । ଏଚ. ନାଗେଶ(ସ୍ୱାଧୀନ) ଏବଂ ଆର.କେ ଶଙ୍କର (କେପିଜେପି) ନାମକ ଏହି ଦୁଇ ବିଧାୟକ ରାଜ୍ୟପାଳ ବାଜୁଭାଉ ବାଲାଙ୍କୁ ନିଜର ଏଇ ନିଷ୍ପତି ସଂପର୍କରେ ଅବଗତ କରାଇ ସାରିଛନ୍ତି । ଏହି ଦୁଇ ବିଧାୟକଙ୍କ ଏହି ପଦକ୍ଷେପ ଦ୍ୱାରା ପ୍ରଦେଶ ସରକାର ଉପରେ କୌଣସି ବିପଦ ନଥିବାବେଳେ ସେପଟେ କେନ୍ଦ୍ର ମନ୍ତ୍ରୀ ଡିୱି, ସଦାନନ୍ଦ ଗୌଡ କହିଛନ୍ତି ଯେ, “ଯଦି କଂଗ୍ରେସ ଏବଂ ଜେଡିଏସ ସରକାର ଭାଙ୍ଗିଯାଏ, ତେବେ ବିଜେପି ସରକାର ଗଢିବାର ପ୍ରସ୍ତାବ ଦେବ ।”
ସେପଟେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏବଂ କଂଗ୍ରେସ ଏହି କଥାକୁ ଏଡାଇ ଦେଉଥିବାବେଳେ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସର କେତେକ ବିଧାୟକ ଇସ୍ତଫା ମଧ୍ୟ ଦେଇପାରନ୍ତି । ତେବେ ଏହି କଥା ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଖଣ୍ଡନ କରି କହିଛନ୍ତି ଯେ, “ରାଜ୍ୟରେ ସରକାର ଉପରେ କୌଣସି ବିପଦ ନାହିଁ ଏବଂ ମୁଁ ସମସ୍ତ ବିଧାୟକଙ୍କ ସହ ସଂପର୍କରେ ରହିଛି । ଏବଂ ସେମାନେ ଫେରି ଆସିବେ । ଏବଂ ଆମ ମେଣ୍ଟ ଆରାମରେ ଚାଲିବ” ।
Comments are closed.