ଓଡିଶାରେ ହେବ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ


ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଏବଂ ଇଣ୍ଟରନ୍ୟାସ୍‌ନାଲ ଇନଷ୍ଟିଚ୍ୟୁଟ୍ ଫର୍ ପପ୍ୟୁଲେସନ ସାଇନ୍ସେସ୍ (ଆଇଆଇପିଏସ୍‌) ସମନ୍ୱୟରେ ୨୦୧୯-୨୦ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ୍‌-୫) ଆୟୋଜନ କରାଯାଇଛି । ଏନଏଫଏଚଏସ୍‌-୫ ଓଡିଶାରେ ଫିଲ୍ଡୱର୍କର ସଂଚାଳନ କରାଯିବା ପାଇଁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ମ୍ୟାନେଜମେଣ୍ଟ ରିସର୍ଚ୍ଚ (ଆଇଆଇଏଚଏମଆଣ୍‌)କୁ ଏକ କଠୋର ଚୟନ ପ୍ରକ୍ରିୟା ମାଧ୍ୟମରେ ମନୋନିତ କରାଯାଇଛି । ଆଇଆଇଏଚଏମଆର୍ ଦ୍ୱାରା ଓଡିଶାରେ ଏନଏଫଏଚଏସ୍‌-୪ (୨୦୧୫-୧୬)କୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇଥିଲା । ବର୍ତ୍ତମାନ, ଆଇଆଇଏଚଏମଆର୍ ଭୁବନେଶ୍ୱରରେ ୩୫୦ ଅନୁସନ୍ଧାନକାରୀ (ପୁରୁଷ ଅନୁସନ୍ଧାନକାରୀ, ମହିଳା ଅନୁସନ୍ଧାନକାରୀ ଓ ସ୍ୱାସ୍ଥ୍ୟ ଅନୁସନ୍ଧାନକାରୀ)ଙ୍କ ପାଇଁ ମାସିକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ପ୍ରଶିକ୍ଷଣ ପରେ ଏହି ଅନୁସନ୍ଧାନକାରୀମାନେ ଓଡିଶାର ୩୦ଟି ଜିଲ୍ଲାର ପ୍ରାୟ ୨୫,୦୦୦ରୁ ଅଧିକ ଘରୁ ତଥ୍ୟ ସଂଗ୍ରହ କରିବେ । ଏଥିରେ ୧୫ରୁ ୪୯ ବର୍ଷ ବୟସର କିଛି ନିର୍ଦ୍ଧିଷ୍ଟ ମହିଳାମାନଙ୍କର ଏବଂ ୧୫ରୁ ୫୪ ବର୍ଷ ବୟସର ମନୋନିତ ପୁରୁଷମାନଙ୍କର ସାକ୍ଷାତକାର ସାମିଲ ରହିବ ।
ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧନକରି ଆଇଆଇଏଚଏମଆର, ଟ୍ରଷ୍ଟି ସେକ୍ରେଟାରୀ, ଡା ଏସଡି ଗୁପ୍ତା କହିଛନ୍ତି ଯେ, “୨୦୧୫-୨୦୧୬ର ଆମର ଗତ ସର୍ବେକ୍ଷଣରେ(ଏନଏଫଏଚଏସ-୪) ରାଜ୍ୟରୁ ପରିବାର ନିୟୋଜନ, ଅଣ-ସଂକ୍ରାମକ ରୋଗ ଏବଂ ସାମୁହିକ ସ୍ୱାସ୍ଥ୍ୟ ସୂଚକ ସମ୍ବନ୍ଧିତ ଅନେକ ବିଷୟବସ୍ତୁ ନେଇଆସିଥିଲୁ । ଏନଏଫଏଚଏସ-୫ର ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇଯାଇଛି । ଆମେ ଆମର ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷିତ କରୁଛୁ । ବର୍ତ୍ତମାନ ଆଜିଠାରୁ ଫିଲ୍ଡ ୱାର୍କ ପାଇଁ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଯାଇଛି ।” ଓଡ଼ିଶା ପାଇଁ ଏନଏଫଏଚଏସ-୫ର କୋ-ଅର୍ଡିନେଟର ଡା ପ୍ରଦୀପ ପଣ୍ଡା କହିଛନ୍ତି ଯେ, “ ୟୁନିୟନ ହେଲଥ ମିନିଷ୍ଟର ଅଧିନରେ ଅନେକ ଏଜେନ୍ସି ମାଧ୍ୟମରେ ପ୍ରସ୍ତୁତ ଏନଏଫଏଚଏସ ଏବଂ ଏହାର ରିପୋର୍ଟ ଗୁଡ଼ିକ ସବୁଠାରୁ ଅଧିକ ବିଶ୍ୱସ୍ତ ତଥ୍ୟଗୁଡ଼ିକ ମଧ୍ୟରୁ ଅନ୍ୟତମ । ଆଇଆଇଏଚଏମଆର ଓଡ଼ିଶା ଏବଂ ଅନ୍ୟ ରାଜ୍ୟ ଗୁଡ଼ିକ ପାଇଁ ଫିଲ୍ଡ ରିସର୍ଚ ଓ ତଥ୍ୟ ସଂଗ୍ରହ ଏଜେନ୍ସି ଭାବେ ଚୟନୀତ ହୋଇ ଆସୁଛି ।”
ଏନଏଫଏଚଏସ୍‌-୫ ହେଉଛି ଏକ ଜାତୀୟ ସର୍ବେକ୍ଷଣ ଯାହାକୁ ଭାରତରେ ଜନସଂଖ୍ୟା, ପରିବାର ନିୟୋଜନ, ମା’ ଓ ଶିଶୁର ସ୍ୱାସ୍ଥ୍ୟ, ଶିଶୁ ଅସ୍ତିତ୍ୱ, ଏଚଆଇଭି/ଏଡସ୍‌, ଯୌନ ସଂଚାରିତ ସଂକ୍ରମଣ (ଏସଟିଆଇଏସ୍‌), ପ୍ରଜନନ ସ୍ୱାସ୍ଥ୍ୟ, ପୋଷଣ ଆଦି ପ୍ରସଙ୍ଗ ଉପରେ ସୂଚନା ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏନଏଫଏଚଏସ୍‌-୫ର ଦୁଇଟି ସ୍ୱତନ୍ତ୍ର ଉଦ୍ଦେଶ୍ୟ ରହିଛି: ପ୍ରଥମଟି ହେଉଛି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ଦ୍ୱାରା ଆବଶ୍ୟକ କରାଯାଉଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା । ଅନ୍ୟଟି ହେଉଛି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରସଙ୍ଗଗୁଡିକ ଉପରେ ସୂଚନା ପ୍ରଦାନ କରିବା । ତେବେ ଅଧିକାଂଶ ଅନ୍ୟ ସଙ୍କେତକଗୁଡିକୁ ମଧ୍ୟ ଜିଲ୍ଲା ସ୍ତରରେ ରିପୋର୍ଟ କରାଯିବ ।ଏହି ଇନଷ୍ଟିଚ୍ୟୁଟ୍ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ଶିକ୍ଷା, ପ୍ରଶିକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ ସମ୍ପାଦନ କରିଥାଏ । ସେହିପରି ଏକ ଯୁବ ସଂସ୍ଥା ଆଇଆଇଏଚଏମଆର୍ ଦିଲ୍ଲୀ ଏହାର ଅତ୍ୟାଧୁନିକ ପାଠ୍ୟକ୍ରମ, ଭିତିଭୂମି ସୁବିଧା ଓ ଅଭିଜ୍ଞ ଫ୍ୟାକଲ୍ଟି ମାଧ୍ୟମରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଏହା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ଏକ ଗୌରବମୟ ସ୍ଥାନ ହାସଲ କରିଛି ।


Share It

Comments are closed.