ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ କେତେ ସୁରକ୍ଷିତ?


ପୃଥିବୀକୁ ନାରୀ ବିଭିନ୍ନ ଅବତାର ନେଇ ଆସିଥାଏ । ଜନ୍ମ ହେବା ପରେ ସେ ଝିଅର ଭୁମିକା ଲିଭାଇଥାଏ । ଏହା ପରେ ସେ ଭଉଣୀର ଭୂମିକା ବହନ କରିଥାଏ । ବଡ଼ ହୋଇଗଲା ପରେ ସେ ଶାଶୁ ଘରକୁ ଯାଇ ବୋହୂ ଓ ସ୍ତ୍ରୀର ଭୂମିକା ବହନ କରିଥାଏ । ପରେ ମାଆ ହେବାର ସୌଭାଗ୍ୟ ଲାଭ କରିଥାଏ । ନାରୀ ବିନା ପୁରୁଷ ସତ୍ତାବିହୀନ । ଏଣୁ ନାରୀର ସୁରକ୍ଷା ଓ ସମ୍ମାନ ପରୁଷର କର୍ତ୍ତବ୍ୟ । କିନ୍ତୁ ପୁରୁଷ ଏନେଇ କେତେ ଯତ୍ନବାନ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘରଠାରୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ ନାରୀ ନିଜକୁ ସୁରକ୍ଷିତ ମଣୁନାହିଁ । ଗର୍ଭରେ ଥିଲାବେଳେ ଭୃଣ ହତ୍ୟାର ଭୟ ଓ ମାତୃଗର୍ଭରୁ ବାହାରକୁ ଆସିଲା ପରେ ଗଣଦୁଷ୍କର୍ମର ଭୟ । ସବୁଠି ବିପଦ ତା’ର ପାଶ୍ୱର୍ଛାୟା ହୋଇ ରହୁଛି । ଯେଉଁ ବାପା ତାକୁ ଜନ୍ମ ଦେଉଛି ସେଇ ବାପା ରାକ୍ଷସ ସାଜି ତାକୁ ଧର୍ଷଣ କରୁଛି । ଯେଉଁ ଭାଇ ତାକୁ ସାରା ଜୀବନ ସୁରକ୍ଷା ଦେବା ପାଇଁ ପ୍ରତିଶୃତି ଦେଇ ତା’ର ରାକ୍ଷୀ ହାତରେ ବାନ୍ଧୁଛି, ସେଇ ଭାଇ ନିର୍ମମ ଭାବରେ ତା’ର ବଳାତ୍କାର କରୁଛି । ନିଜର ଯୌନ ତୃଷ୍ଣାକୁ ମେଣ୍ଟାଇବାକୁ ଯାଇ ପୁରୁଷ ଯେଉଁଭଳି କୁକର୍ମ ପରେ କୁକର୍ମ କରିଚାଲିଛି ତାହା ସମ୍ପୂର୍ଣ୍ଣ ପୁରୁଷ ଜାତି ପାଇଁ ଲଜ୍ଜାଜନକ ଅଟେ ।
ବର୍ତ୍ତମାନ ଦେଖାଯାଉଛି ଯେ, ସମାଜରେ ଅଧିକାଂଶ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି । ଏହାକୁ ନେଇ ଅନେକ ରାଜନିତୀ ମଧ୍ୟ ଚାଲୁଛି । ବିପକ୍ଷ ଦଳ ଶାସକ ଦଳର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଉଛି । ଶାସକ ଦଳ ପ୍ରତିବାଦରେ ବିପକ୍ଷ ଦଳକୁ ତା’ର ପ୍ରତ୍ୟୁତ୍ତର ଦେଉଛି । କିନ୍ତୁ କେହି ଏହାର ବିକଳ୍ପ ପଦକ୍ଷେପ ବାହାର କରୁ ନାହାନ୍ତି । ପୁଣି ଅଧିକାଂଶ କ୍ଷେତ୍ରରେ ସେମାନଙ୍କର ସାଇପଡ଼ିଶା ଓ ନିଜ ଘର ଲୋକେ ଏଥିରେ ସାମିଲ ହେଉଛନ୍ତି । କେନ୍ଦ୍ର ସରକାର ଏଥିପାଇଁ କଠୋର ଦଣ୍ଡ ବିଧାନ ମଧ୍ୟ କରିଛନ୍ତି । ତଥାପି ଏହା ଥମିବାର ନାଁ ଧରୁନାହିଁ । ଯେପର୍ଯ୍ୟନ୍ତ ମଣିଷ ନିଜେ ନିଜ ଭୁଲକୁ ହୃଦୟଙ୍ଗମ ନକରିଛି, ସେପର୍ଯ୍ୟନ୍ତ ଯେତେ କଠୋର ଆଇନ ପ୍ରଣୟନ କଲେ ମଧ୍ୟ ସମାଜରେ କିଛି ପରିବର୍ତ୍ତନ ହେବ ନାହିଁ । ପ୍ରତିଦିନ ଦୁର୍ଘଟଣା ଖବର ପରି ଗଣଦୁଷ୍କର୍ମ ଏକ ଦୈନଦିନ ଖବରରେ ପରିଣତ ହୋଇଗଲାଣି । ପ୍ରତିବର୍ଷ ଦେଶର ପ୍ରତ୍ୟେକ ସ୍ଥାନରେ ରାବଣ ପୋଡ଼ି ହୋଇ ମଧ୍ୟ ରାବଣତ୍ୱର ବିନାଶ ଏପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରେ ହୋଇ ପାରୁନାହିଁ । ରାବଣ ପରାକ୍ରମୀ ଥିଲା ସତ, କିନ୍ତୁ ସୀତାଙ୍କୁ କେବେ ସ୍ପର୍ଶ କରି ନ ଥିଲା । ସେ ଥିଲା ଜଣେ ମହା ପଣ୍ଡିତ । ତେବେ ରାବଣଠାରୁ ମଧ୍ୟ ପୁରୁଷ ସମାଜ ଅନେକ କିଛି ଶିକ୍ଷିବାର ଅଛି ।

ଦିଲ୍ଲୀ ଗଣଦୁଷ୍କର୍ମ ଘଟଣା
୧୬ ଡିସେମ୍ବର ୨୦୧୨ରେ ଏକ ଚଳନ୍ତା ବସରେ ଜଣେ ୨୩ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଏଥିରେ ୬ ଜଣ ଯୁବକ ସାମିଲ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ମଧ୍ୟ ଥିଲା । ସେମାନେ ବଳାତ୍କାର କରିସାରିବା ପରେ ଯୁବତୀଙ୍କ ଯୌନାଙ୍ଗରେ ଲୁହା ରଡ୍ ପୁରାଇ ଦେବା ଫଳରେ ତାଙ୍କର ଆବ୍ଡୋମେନ୍ ଓ ଇଣ୍ଟେଷ୍ଟାଇନ୍ ସମ୍ପୂଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ସିଙ୍ଗାପୁରରେ ଚିକିତ୍ସାଧିନ ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସୌମ୍ୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା
୨୩ ବର୍ଷୀୟ ଯୁବତୀ ସୌମ୍ୟା ୨୦୧୧ ଫେବୃୟାରୀ ୧ରେ ଏକ ଯାତ୍ରୀବାହୀ ଟ୍ରେନ୍ରେ ଏର୍ଣ୍ଣାକୁଲମରୁ କେରଳର ଶୋର୍ଣ୍ଣୁରକୁ ଯାଉଥିବାବେଳେ ଭଲ୍ଲାଥୋଲ୍ ନଗର ଷ୍ଟେସନରୁ ଗୋବିନ୍ଦଚାମି ନାମକ ଜଣେ ବ୍ୟକ୍ତି ଉକ୍ତ ଟେନକୁ ଚଢ଼ିଥିଲା । ସେ କାନ୍ଥରେ ସୌମ୍ୟାଙ୍କ ମୁଣ୍ଡ ପିଟି ତାଙ୍କୁ ଟ୍ରେନ୍ ବାହାରକୁ ଫିଙ୍ଗି ଦେଇଥିଲା । ଏହାପରେ ଏକ ଜଙ୍ଗଲ ମଧ୍ୟକୁ ନେଇ ଦୁଷ୍କର୍ମ କରିଥିଲା । ଘଟଣାର ମାସେ ପରେ ଚିକିତ୍ସାଧିନ ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

କାଠୁଆ ଗଣଦୁଷ୍କର୍ମ ମାମଲା
ଜାମ୍ମୁ ଓ କାଶ୍ମୀରର କାଠୁଆଠାରେ ଏକ ୮ ବର୍ଷର ମୁସଲିମ ନାବାଳିକାକୁ ୨୦୧୮ ଜାନୁଆରୀ ମାସରେ ଗଣଦୁଷ୍କର୍ମ କରାଯାଇଥିଲା । କାଠୁଆର ଏକ ହିନ୍ଦୁ ମନ୍ଦିରରେ ନାବାଳିକାକୁ ପାଞ୍ଚ ଦିନ ରଖି ବଳାତ୍କାର କରାଯାଇଥିଲା । ଜାନୁଆରୀ ୧୦ରୁ ସେ ନିଖୋଜ ଥିଲା । ଏହାପରେ ଜାନୁଆରୀ ୧୭ରେ ପୁଲିସ୍ ନାବାଳିକାର ମୃତଦେହକୁ ଉକ୍ତ ମନ୍ଦିର ନିକଟସ୍ଥ ଏକ ଜଙ୍ଗଲରୁ ଉଦ୍ଧାର କରିଥିଲା ।

ଛତିଶଗଡ଼ ଦୁଷ୍କର୍ମ ମାମଲା
ଏକ ୨୫ ବର୍ଷୀୟ ଯୁବକ ଛତିଶଗଡ଼ରେ ଏକ ବିବାହ ଉତ୍ସବରେ ୧୦ ବର୍ଷ ବୟସର ଜନେ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଏହାପରେ ସେ ତା’ର ମୁଣ୍ଡକୁ ଏକ ପଥରରେ ଛେସି ନୃଶଂସ ଭାବେ ହତ୍ୟା କରିଥିଲା । ସମସ୍ତଙ୍କୁ ବିବାହ ଉତ୍ସବରେ ବ୍ୟସ୍ତ ଥିବାର ସୁଯୋଗ ନେଇ ନାବାଳିକାକୁ ପ୍ରଲୋଭନ ଦେଖାଇ ସେ ଏପରି ଘଟାଇଥିଲା । ନାବାଳିକାଟିର ମୃତଦେହ ନିକଟସ୍ଥ ଗ୍ରାମର ଏକ ନଦୀପଠାରେ ମିଳିଥିଲା ।

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା
ଓଡ଼ିଶାର ବାରଙ୍ଗଠାରେ ଅଞ୍ଜନା ମିଶ୍ର ନାମକ ଜଣେ ଯୁବତୀ ତାଙ୍କର ଜଣେ ସାମ୍ବାଦିକା ବନ୍ଧୁଙ୍କ ସହିତ ଏକ କାରରେ ଯାଉଥିବା ବେଳେ ୧୯୯୯ ମସିହା ଜାନୁଆରୀ ୯ରେ ବଳାତ୍କାରର ଶିକାର ହୋଇଥିଲେ । ସେ କଟକରୁ ଭୁବନେଶ୍ୱର ଉକ୍ତ କାରରେ ଯାଉଥିବାବେଳେ ତିନି ଜଣ ଯୁବକ ତାଙ୍କ ବନ୍ଧୁଙ୍କ ଆଗରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଦୀର୍ଘ ଦିନର ସଂଘର୍ଷ ପରେ ସେ ନ୍ୟାୟ ପାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଦୁଷ୍କର୍ମକାରୀଙ୍କୁ ୫,୦୦୦ ଟଙ୍କା ଲେଖାଏଁ ଜୋରିମାନା ସହିତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ତୃତୀୟ ବଳାକ୍ରାରୀ ଏବେ ମଧ୍ୟ ବିଚାରାଧିନ ଅଛି ।


Share It

Comments are closed.