ଭାରତ ସରକାର ନିଜର ନାଗରିକମାନଙ୍କୁ ବିପର୍ଯ୍ୟୟ ସମୟରେ ତୁରନ୍ତ ସତର୍କ ସୂଚନା ପ୍ରଦାନ କରିବା ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ସେଲ୍ ବ୍ରୋଡକାଷ୍ଟ ସିଷ୍ଟମ୍’ ଆରମ୍ଭ କରିଛନ୍ତି। ଏହି ବ୍ୟବସ୍ଥାର ପରୀକ୍ଷଣ ପାଇଁ ଆଜି ମଧ୍ୟାହ୍ନ ସମୟରେ ନାଗରିକମାନଙ୍କ ମୋବାଇଲକୁ ଏକ ସାଇରନ୍ ଶବ୍ଦ ସହ ଏକ ସୂଚନା ପଠାଯାଇଥିଲା। ଏହି ପରୀକ୍ଷାମୂଳକ ବାର୍ତ୍ତାରେ ଲେଖାଥିଲା- “ସତର୍କ ନାଗରିକ, ସୁରକ୍ଷିତ ଦେଶ”; ଏବଂ ଏହା ଏକ ପରୀକ୍ଷାମୂଳକ ବାର୍ତ୍ତା ହୋଇଥିବାରୁ ଜନସାଧାରଣଙ୍କୁ ଏଥିପାଇଁ କୌଣସି ପଦକ୍ଷେପ ନେବାର ଆବଶ୍ୟକତା ନାହିଁ। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ, ଯଦି ଲୋକମାନେ ସେମାନଙ୍କ ମୋବାଇଲରେ ଏପରି ବାର୍ତ୍ତା ପାଉଛନ୍ତି, ତେବେ ଭୟଭୀତ ହେବାର କୌଣସି କାରଣ ନାହିଁ। ଏହା ଭାରତର ନୂତନ ମୋବାଇଲ୍-ଭିତ୍ତିକ ବିପର୍ଯ୍ୟୟ ଯୋଗାଯୋଗ ବ୍ୟବସ୍ଥାର ଏକ ଅଂଶ। ସେ କହିଛନ୍ତି ଯେ, ଟେଲିଯୋଗାଯୋଗ ବିଭାଗ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ର ମିଳିତ ସହଯୋଗରେ ସେଲ୍ ବ୍ରୋଡକାଷ୍ଟ ଟେକ୍ନୋଲୋଜି ବ୍ୟବହାର କରି ଏହାକୁ ବିକଶିତ କରାଯାଇଛି।
ଶ୍ରୀ ସିନ୍ଧିଆ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ଦିନରେ ଏହି ବ୍ୟବସ୍ଥା ମାଧ୍ୟମରେ କୌଣସି ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ଭାଷା ଏବଂ ନିର୍ଦ୍ଦିଷ୍ଟ ଅଞ୍ଚଳ ଅନୁଯାୟୀ ତୁରନ୍ତ ସତର୍କ ସୂଚନା ପଠାଯାଇପାରିବ। ନାଗରିକମାନଙ୍କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଏବଂ ବିପର୍ଯ୍ୟୟ ସମୟରେ ଦ୍ରୁତ ସୂଚନା ନିଶ୍ଚିତ କରିବା ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଟେଲିଯୋଗାଯୋଗ ବିଭାଗ ଏହାକୁ ଏକ ଅତ୍ୟାଧୁନିକ ସର୍ବସାଧାରଣ ସତର୍କତା ବ୍ୟବସ୍ଥା ଭାବେ ବର୍ଣ୍ଣନା କରିଛି, ଯାହା ସଙ୍କଟ ସମୟରେ ଠିକ୍ ସମୟରେ ଯୋଗାଯୋଗ କରିବା ପାଇଁ ସକ୍ଷମ କରିବ। ଏହି ପଦକ୍ଷେପ ଦେଶସାରା ନାଗରିକଙ୍କ ପାଇଁ ଏକ ଅଧିକ ପ୍ରତିକ୍ରିୟାଶୀଳ ଏବଂ ସୁଦୃଢ଼ ଯୋଗାଯୋଗ ବ୍ୟବସ୍ଥା ଗଠନ କରିବା ସହ ଜାତୀୟ ଜରୁରୀକାଳୀନ ଯୋଗାଯୋଗ ଏବଂ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବ।
