ଗୌତମ ଗମ୍ଭିରଙ୍କ ଉପରେ କେସ୍ ଫାଇଲ୍ କଲା ଦିଲ୍ଲୀ ପୋଲିସ୍


ବିନା ଅନୁମତିରେ ରାଜନୈତିକ ଶୋଭାଯାତ୍ରାର ଆୟୋଜନ କରିଥିବାରୁ ଦିଲ୍ଲୀ ପୋଲିସ୍ ପୂର୍ବତନ କ୍ରିକେଟର ତଥା ପୂର୍ବ ଦିଲ୍ଲୀର ବିଜେପି ଲୋକସଭା ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ଉପରେ କେଶ ଫାଇଲ୍ କରିଛନ୍ତି । ନିର୍ବାଚନ ଆୟୋଗ ପ୍ରକାଶ କରିଛନ୍ତି ଯେ, ଏପ୍ରିଲ୍ ୨୫ରେ ଦିଲ୍ଲୀର ଜଙ୍ଗପୁରାରେ ହୋଇଥିବା ର‌୍ୟାଲିରେ ତାଙ୍କ ପକ୍ଷରୁ କୌଣସି ଅନୁମତି ନିଆଯାଇ ନଥିଲା । ସେଥିପାଇଁ ଗମ୍ଭୀରଙ୍କ ବିରୁଦ୍ଧରେ ଏହି ପଦକ୍ଷେପ ନିଆଯାଇଛି ।
ସୂଚନାଯୋଗ୍ୟ ଯେ, ପୂର୍ବ ଦିଲ୍ଲୀରୁ ଲୋକସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରି ଗୌତମ ଗମ୍ଭୀର ନିଜର ପ୍ରଚାରକୁ ଜୋରଦାର କରୁଥିଲେ । ଏହି କ୍ରମରେ ଏପ୍ରିଲ ୨୫ରେ ପୂର୍ବ ଦିଲ୍ଲୀ ଲୋକସଭା କ୍ଷେତ୍ର ମଧ୍ୟରେ ଆସୁଥିବା ଜଙ୍ଗପୁରାରେ ସକାଳ ୧୧ଟା ବେଳେ ସେ ଏକ ବିଶାଳ ଜନ ସମାଗମ କରିଥିଲେ । କିନ୍ତୁ ଏଥିପାଇଁ ସେ ଦିଲ୍ଲୀ ପୋଲିସର ଅନୁମତି ନେଇ ନଥିଲେ । ଏତଦ୍ ବ୍ୟତୀତ ଆମ୍ ଆଦମି ପାର୍ଟି ନେତା ଅତିଶି ଗମ୍ଭୀରଙ୍କ ବିରୁଦ୍ଧରେ ତିଶ୍ ହଜାରୀ କୋର୍ଟରେ ଦୁଇଟି ଭୋଟର ଆଇଡ଼ି କାର୍ଡ ରଖିଥିବାର ଅଭିଯୋଗ ମଧ୍ୟ କରିଛନ୍ତି । ଏହା ପରେ ଏବେ ଏହି ବିଶାଳ ଜନସଭା ଗମ୍ଭୀରଙ୍କ ଦ୍ୱନ୍ଦକୁ ବଢ଼ାଇଦେଇଛି । ନିର୍ବାଚନ ଆଦର୍ଶ ଆଚାର ସଂହିତାର ଉଲ୍ଲଂଘନ କରିଥିବାରୁ ପୂର୍ବ ଦିଲ୍ଲୀର ନିର୍ବାଚନ ଅଧରକାରୀ କେ. ମହେଶ ଦିଲ୍ଲୀ ଗମ୍ଭୀରଙ୍କ ଜନ ସମାଗମକୁ ବେଆଇନ୍ ମାନିବା ସହ ପୋଲିସକୁ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିୁବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ପୋଲିସ୍ ଲାଜପତ୍ ନଗର ଥାନାରେ ଏକ ମାମଲା ରୁଜ୍ଜୁ କରିଛି ।


Share It

Comments are closed.