ନିର୍ବାଚନ ପୂର୍ବରୁ ‘ବିଜୁ ବାବୁ’ ଚଳଚିତ୍ର ନିର୍ବାଚନ ଆଚରଣ ସଂହିତାକୁ ଉଲଙ୍ଘନ କରୁଛି କି


ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ବାଚନୀ ତାରିଖ ଘୋଷଣା ହୋଇସାରିଥିବାବେଳେ ବର୍ତ୍ତମାନ ସମସ୍ତ ରାଜନୈତିକ ଦଳ ଭୋଟ ହାତେଇବା ପାଇଁ ଆପ୍ରାଣ ଚେଷ୍ଟା ଆରମ୍ଭ କରିଦଲେଣି । କିଏ ବଡ ବଡ ସଭା କରି ଭୋଟରଙ୍କୁ ଆକୃଷ୍ଟ କରୁଥିବାବେଳେ ବର୍ତ୍ତମାନ ସମସ୍ତ ରାଜନୈତିକ ଦଳ ଡିଜିଟାଲ ମିଡିଆ ସାହାରାରେ କିମ୍ବା ଫିଲ୍ମ ଜରୀଆରେ ନିଜ ପ୍ରଚାର ପରମ୍ପରା ଆରମ୍ଭ କରିଦେଲେଣି । ଚଳିତ ବର୍ଷ ନିର୍ବାଚନକୁ ନେଇ ଦେଶରେ ପ୍ରଚାର ପ୍ରକ୍ରିୟା ଜୋରଦାର ଆରମ୍ଭ ହୋଇଯାଇଥିବାବେଳେ ସମସ୍ତ ରାଜନୈତିକ ଦଳମାନେ ସେମାନଙ୍କ ପ୍ରଚାର ପାଇଁ ବିଭିନ୍ନ ପନ୍ଥାମାନ ଆପଣାଉଥିବାର ଦେଖିବାକୁ ମିଳୁଛି । ଏହି ସମୟରେ ନିର୍ବାଚନକୁ ଲକ୍ଷ୍ୟ ରଖି ଦଳର ପୁରୁଖା ନେତାମାନଙ୍କ ଜୀବନୀ ଉପରେ ଚଳଚ୍ଚିତ୍ରମାନ ନିର୍ମାଣ ହେଉଛି । ତେବେ ସତରେ କ’ଣ ଏହି ଚଳଚ୍ଚିତ୍ରଗୁଡ଼ିକ ଆଗାମୀ ନିର୍ବାଚନ ଉପରେ ପ୍ରଭାବ ପକାଇବ? ଓଡ଼ିଶାରେ ଶାସନାଧିନ ଥିବା ଦଳ ବିଜେଡି, ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ବାୟୋପିକଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ କଂଗ୍ରେସର ଡଃ. ମନମୋହନ ସିଂହ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବିଜେପିର ଶ୍ରୀଯୁକ୍ତ ନରେନ୍ଦ୍ରମୋଦିଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ ହୋଇସାରିଛି । ଇତି ମଧ୍ୟରେ ଡଃ. ମନମୋହନ ସିଂହଙ୍କ ଉପରେ ନିର୍ମିତ ହୋଇଥିବା ‘ଦି ଅକ୍ସିଡେଣ୍ଟାଲ୍ ପ୍ରାଇମିନିଷ୍ଟର’ ଚଳିତ ବର୍ଷ ଜାନୁଆରୀ ୧୧ରେ ମୁକ୍ତିଲାଭ କରିବା ସହିତ ଦର୍ଶକମାନଙ୍କ ମନକୁ ଛୁଇଁପାରିଛି । ବର୍ତ୍ତମାନ ଆଗକୁ ରିଲିଜ ହେବାକୁ ଯାଉଥିବା ଅନ୍ୟ ଦୁଇଟି ସିନେମା ବକ୍ସ ଅଫିସରେ କିପରି ଚାଲୁଛି, ଲୋକମାନଙ୍କୁ ଆକୃଷ୍ଟ କରିପାରୁଛି କି ନାହିଁ ତାହା ଦେଖିବାକୁ ଏବେ ବାକି ରହିଛି ।

ଚଳିତ ବର୍ଷ ଏପ୍ରିଲ୍ ୧୨ରେ ରିଲିଜ୍ ହେବାକୁ ଯାଉଥିବା ଏହି ‘ନରେନ୍ଦ୍ର ମୋଦି’ ଚଳଚ୍ଚିତ୍ରରେ ଦର୍ଶକମାନେ ଅଭିନେତା ବିବେକ ଓବରୟଙ୍କୁ ମୋଦିଙ୍କ ଭୂମିକାରେ ଦେଖିବାକୁ ପାଇବେ । ଏହି ଚଳଚ୍ଚିତ୍ରର ମୁକ୍ତିଲାଭ ସମ୍ପର୍କରେ ପୂର୍ବତନ ମୂଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଏନ୍. ଗୋପାଳସ୍ୱାମୀଙ୍କ କହିବା ଅନୁଯାୟୀ ପୂର୍ବରୁ ଥିବା ଆଇନ ଅଧିନରେ ଚଳଚ୍ଚିତ୍ର ରିଲିଜକୁ ନିୟନ୍ତ୍ରିତ କରାଯାଇପାରିବ ନାହିଁ । ସମ୍ଭବତଃ ଏହି ସଙ୍କଟବେଳାରେ କିଛି ବିରୋଧ ମଧ୍ୟ ହୋଇପାରେ । ଅପରପକ୍ଷେ ଭି.ଏସ୍ ସମ୍ପଥଙ୍କ ମତରେ, ସିନେମାଗୁଡ଼ିକର ରିଲିଜ୍ ନିମନ୍ତେ କୌଣସି ପ୍ରକାରର କଟକଣା ନଥାଏ । ମୁଁ ଭାବିପାରୁ ନାହିଁ ଯେ, ଏପରି କୌଣସି ମଡେଲ୍ କୋଡ଼ ରହିଛି, ଯାହା ଏହାକୁ ରଦ୍ଧ କରିପାରିବ ।

ଭୂବନେଶ୍ୱର ସ୍ଥାନୀୟ ବାସିନ୍ଦା ଶ୍ରୀଯୁକ୍ତ ଅମିୟକାନ୍ତ ଜେନା କହନ୍ତି, “ଚଳଚ୍ଚିତ୍ର ନିର୍ମାଣ ଆଜିକାଲି ଦଳିୟ ନେତାମାନଙ୍କୁ ପ୍ରଚାର ପ୍ରସାର କରିବାର ଏକ ସାଧାରଣ ମାଧ୍ୟମରେ ପରିଣତ ହୋଇଗଲାଣି । ନେତାଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ ଦଳ ଦଳ ମଧ୍ୟରେ ଏକ ପ୍ରତିଯୋଗିତା ସଦୃଶ ହୋଇଯାଇଛି । ତେବେ ସାଧାରଣ ଜନତା ଏସବୁଥିରେ ପ୍ରଭାବିତ ନହୋଇ ଉପଯୁକ୍ତ ରାଜନେତାଙ୍କୁ ଚୟନ କରିବା ଦରକାର, ଯେଉଁମାନେ ରାଜ୍ୟ ତଥା ଦେଶର ସର୍ବାଙ୍ଗୀନ ଉନ୍ନତିରେ ସାମିଲ ହେବେ ।”


Share It

Comments are closed.