କେରଳ ବିଧାନସଭା ନିର୍ବାଚନ ପାଇଁ ମୋଟ ୪୦ ହଜାର ୭୭୧ଟି ପୋଲିଂ ଷ୍ଟେସନରେ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୧୧ଟି ଆସନର ଟ୍ରେଣ୍ଡ୍ ସାମ୍ନାକୁ ଆସିଥିବା ବେଳେ କଂଗ୍ରେସ ୫ଟି, ସିପିଆଇ(ଏମ୍) ୩ଟି ଏବଂ ବିଜେପି, ଆରଏସପି ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ଆସନରେ ଆଗୁଆ ରହିଛନ୍ତି। ଏହି ନିର୍ବାଚନ ମୈଦାନରେ ମୁଖ୍ୟତଃ ବିଜେପି ନେତୃତ୍ୱାଧୀନ ଏନଡିଏ (NDA), କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ (UDF) ଏବଂ ଶାସକ ସିପିଆଇ(ଏମ୍) ନେତୃତ୍ୱାଧୀନ ଏଲଡିଏଫ୍ (LDF) ମଧ୍ୟରେ କଡ଼ା ଲଢ଼େଇ ହେଉଛି। ଶାସକ ଦଳ ଏଲଡିଏଫ୍ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୟୁଡିଏଫ୍ ରାଜ୍ୟରେ ପ୍ରତ୍ୟାବର୍ତ୍ତନ କରିବାକୁ ଆଶା ରଖିଛି। ଅନ୍ୟପଟେ ବିଜେପି ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ ନିଜର ଖାତା ଖୋଲିବାକୁ ଚେଷ୍ଟା କରୁଛି। ରାଜ୍ୟର ୧୪୦ଟି ନିର୍ବାଚନ ମଣ୍ଡଳୀରେ ମୋଟ ୮୮୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ସିପିଆଇ(ଏମ୍) ନେତା ପିନରାଇ ବିଜୟନ, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ, ବିରୋଧୀ ଦଳ ନେତା ଭି.ଡି. ସତୀଶନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ରାଜୀବ ଚନ୍ଦ୍ରଶେଖର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି. ମୁରଲୀଧରନ, କେରଳ ପ୍ରଦେଶ କଂଗ୍ରେସ କମିଟି ସଭାପତି ସନ୍ନି ଜୋସେଫ ଏବଂ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜାଙ୍କ ଭଳି ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ଆଜି ସ୍ପଷ୍ଟ ହେବ।
