କଟକ ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କ କାର୍ଯ୍ୟାଳୟରେ ବ୍ୟାପକ ଆର୍ଥିକ ଅନିୟମିତତା ମାମଲାରେ ଓଡ଼ିଶା ଭିଜିଲାନ୍ସ ଆଜି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଡିଇଓ କାର୍ଯ୍ୟାଳୟର କର୍ମଚାରୀ ତଥା ବର୍ତ୍ତମାନ ବାରଙ୍ଗ ନରାଜସ୍ଥିତ ସିଦ୍ଧେଶ୍ୱର ବିଦ୍ୟାମନ୍ଦିରରେ କାର୍ଯ୍ୟରତ ଥିବା ସୁବାଷ ଚନ୍ଦ୍ର ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ଡିଇଓ କାର୍ଯ୍ୟାଳୟରେ ଥିବା ସମୟରେ ସେ ସରକାରୀ ପାଣ୍ଠିରୁ ୫୧,୫୩,୬୪୦ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ୩୧ ଡିସେମ୍ବର ୨୦୧୮ ରୁ ୧୬ ଅକ୍ଟୋବର ୨୦୨୧ ମଧ୍ୟରେ କର୍ମଚାରୀମାନଙ୍କ ଦରମା ପ୍ରଦାନ ରେକର୍ଡରେ ଥିବା ଅନିୟମିତତାକୁ ନେଇ ଓଡ଼ିଶା ଭିଜିଲାନ୍ସ ସୂକ୍ଷ୍ମ ତଦନ୍ତ କରିବା ପରେ ଏହି ଗିରଫଦାରୀ ହୋଇଛି।
ଭିଜିଲାନ୍ସ ତଦନ୍ତରୁ ଏକ ବଡ଼ ଡିଜିଟାଲ୍ ଠକେଇର ପର୍ଦ୍ଦାଫାଶ ହୋଇଛି, ଯେଉଁଥିରେ ସରକାରୀ ପୋର୍ଟାଲରେ ବ୍ୟାପକ ହେରଫେର କରାଯାଇଥିଲା। ଡିଇଓ ଅଫିସର ଆକାଉଣ୍ଟସ୍ ବିଭାଗରେ କାମ କରୁଥିବା ବେଳେ ଶ୍ରୀ ସାହୁଙ୍କୁ ମାନବ ସମ୍ବଳ ପରିଚାଳନା ସିଷ୍ଟମ୍ (HRMS) ଏବଂ ଇଣ୍ଟିଗ୍ରେଟେଡ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ୍ ସିଷ୍ଟମ୍ (IFMS) ର ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ଅଭିଯୋଗ ଅନୁଯାୟୀ, ସେ ବେଆଇନ ଭାବେ ଡ୍ରଇଂ ଆଣ୍ଡ ଡିସବର୍ସିଂ ଅଫିସର (DDO)ଙ୍କ ଲଗ୍-ଇନ୍ ଆଇଡି ଏବଂ ପାସୱାର୍ଡ ହାସଲ କରିଥିଲେ। ଏହାପରେ ସେ ଚତୁରତାର ସହ ଏଚଆରଏମଏସ୍ (HRMS) ପୋର୍ଟାଲରେ ୪ ଜଣ ବାହାର ଲୋକଙ୍କ ନାମ ଯୋଡ଼ି ସେମାନଙ୍କୁ ସରକାରୀ ଦରମା ପାଇବାକୁ ଯୋଗ୍ୟ କର୍ମଚାରୀ ଭାବେ ଦର୍ଶାଇଥିଲେ। ସେହି ୪ ଜଣ ବ୍ୟକ୍ତିଙ୍କ ଆକାଉଣ୍ଟରେ ଦରମା ବାବଦ ଅର୍ଥ ଜମା କରାଯାଉଥିଲା ଏବଂ ସେହି ଦିନ ହିଁ ସମସ୍ତ ଟଙ୍କା ଯୋଜନାବଦ୍ଧ ଭାବେ ଶ୍ରୀ ସାହୁଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଉଥିଲା।
ଏହି ଘଟଣାରେ ସୁବାଷ ଚନ୍ଦ୍ର ସାହୁଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅଧୀନରେ କଟକ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୮/୨୦୨୬ ରୁଜୁ କରାଯାଇଛି ଏବଂ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
