ଭୁବନେଶ୍ୱର,୧୪/୦୫:ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ କ୍ଷେତ୍ର ସୁଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।ସେପଟେ କିନ୍ତୁ ଦିନ ତାପମାତ୍ରା ବଢୁଛି । ଅସହ୍ୟ ଖରା ଗରମ ଓ ଗୁଳୁଗୁଳି ହେଉଥିବା ବେଳେ ଆସନ୍ତା ୨ରୁ ୩ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୫ ଡିଗ୍ରୀ ବଢ଼ିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ରହିବ ।
ଆସନ୍ତା ୨୪ ଘଣ୍ଟା ପାଇଁ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବ । ସେହିପରି ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ଥିବା ବେଳେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାରେ ବର୍ଷା ସହ ପ୍ରବଳ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି ।ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଉପକୂଳ ,ଦକ୍ଷିଣ ଓ ଉତ୍ତର ଓଡିଶାରେ କିଛି କିଛି ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ରହିବ ।
ଗତ ୨୪ ଘଣ୍ଟାରେ ୫ଟି ସହରରେ ୩୮ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରହିଛି । ୧୩ଟି ସ୍ଥାନରେ ବର୍ଷା ରେକର୍ଡ ହୋଇଥିବା ବେଳେ ଦେଓଗଡ଼ର ବାରକୋଟରେ ସର୍ବାଧିକ ୫୨.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
