ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଟଣାଓଟରା, ରାଜ୍ୟପାଳଙ୍କୁ ଭେଟିଲେ ଉଭୟ ଦଳର ନେତା


ମହାରାଷ୍ଟ୍ରରେ ଶିବସେନା ଏବଂ ବିଜେପି ମଧ୍ୟରେ ଲାଗିରହିଥିବା ମତଭେଦ କାରଣରୁ କିଏ ସରକାର ଗଠନ କରିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନଥିବାବେଳେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଉଭୟ ଦଳଙ୍କ ଟଣାଓଟରା ମଧ୍ୟ ଆରମ୍ଭ ହୋଇଗଲାଣି । କେବଳ ଏତିକି ନୁହେଁ ବର୍ତ୍ତମାନ ପରସ୍ଥିତି ରାଜଭବନ ପର୍ଯ୍ୟନ୍ତ ପହଞ୍ଚି ଗଲାଣି ।
ତେବେ ଏହି ମଧ୍ୟରେ ସୋମବାର ଦିନ ଶିବସେନାର ବରିଷ୍ଠ ନେତା ତଥା ପରିବହନ ମନ୍ତ୍ରୀ ଦିବାକର ରାଓତେ ରାଜ୍ୟପାଳ ଭଗତ ସିଂହ କୋଶରିଆଙ୍କୁ ଭେଟିବା ପାଇଁ ରାଜଭବନରେ ପହଞ୍ଚିଥିବାବେଳେ ଏହା ପରେ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣାବିସ ମଧ୍ୟ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପାଇଁ ରାଜ ଭବନରେ ପହଞ୍ଚିଯାଇଥିଲେ । ଏହାର ସୂଚନା ରାଜ୍ୟପାଳ ଭବନ ପକ୍ଷରୁ ଦିଆଯାଇଥିବାବେଳେ ଏହା କେବଳ ଦୀପାବଳୀ ପାଇଁ ଏକ ଔପଚାରିକ ସାକ୍ଷାତ ଥିଲା ବୋଲି ସୂଚନା ଦିଆଯାଇଛି ।


ପ୍ରକାଶ ଥାଉକି, ଶିବ ସେନା ଅଧ୍ୟକ୍ଷ ଉଧବ ଠାକରେ ବିଜେପିକୁ ଲିଖିତ ଆଶ୍ୱସନା ଦାବି କରିଥିଲେ । ସେ କହିଥିଲେ ଯେ, ୫୦-୫୦ ଫର୍ମୁଲା ଏବଂ ଦୁଇ ଦଳକୁ ମହାରାଷ୍ଟ୍ରରେ ୨.୫-୨.୫ ବର୍ଷ ସରକାର ଗଠନ କରିବାକୁ ସୁଯୋଗ ମିଳିବା ଉଚିତ । ପୂର୍ବରୁ ମହାରାଷ୍ଟ୍ରରେ ବିଜେପି ଏକାକୀ ସରକାର ଗଠନ କରିବାର ଅନେକ ସମ୍ଭାବନା ରହିଥିବାବେଳେ କିନ୍ତୁ ପରବର୍ତ୍ତୀ ମୂହୂର୍ତ୍ତରେ ସମ୍ପୂର୍ଣ୍ଣ ଓଲଟା ଫଳାଫଳ ଆସିଥିଲା । ବିଜେପି ଏକାକୀ ବହୁମତ ହାସଲ କରିବା ତ ଦୂରର କଥା ବର୍ତ୍ତମାନ ସରକାର ଗଠନ କରିବା ପାଇଁ ସହଯୋଗୀ ସାଥୀଟିଏ ମଧ୍ୟ ପାଉ ନାହିଁ ।


Share It

Comments are closed.