ପୂର୍ବତନ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣକୁ ନିନ୍ଦା କଲା ବିଜେଡି

Share It

ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ରବିବାର ସଂଘବଦ୍ଧ ଆକ୍ରମଣ ହୋଇଛି । ଆରୁଅ ଗ୍ରାମରେ ହିଙ୍ଗୁଳା ମା’ଙ୍କର ଯାତ୍ରାକୁ ଗଲାବେଳେ ଭାରତୀୟ ଜନତା ପାର୍ଟିର କର୍ମୀ ଏବଂ ସ୍ଥାନୀୟ ବିଧାୟକ ହିମାଂଶୁ ସାହୁଙ୍କର ସହଯୋଗୀ ତଥା ଖଣି ମାଫିଆଙ୍କର ଦ୍ୱାରା ଏହି ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି | ସ୍ଥାନୀୟ ପୋଲିସ୍ ପ୍ରଶାସନ ଓ ଜେନାପୁର ଆଇଆଇସିଙ୍କ ଉପସ୍ଥିତିରେ ଏହି ଆକ୍ରମଣ ହେଉଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବରେ ଆକ୍ରମଣକାରୀଙ୍କୁ ଗିରଫ ନ କରି ଆକ୍ରମଣକାରୀଙ୍କ ଠାରୁ ଭୁଜାଲି, ଖଣ୍ଡା, ଠେଙ୍ଗା ଓ ବାଡି ପୋଲିସ୍ ଜବତ ଘଟଣାକୁ ଆଜି ଶଙ୍ଖ ଭବନର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର  ଭୃଗୁ ବକ୍ସିପାତ୍ର ଦୃଢ଼ ନିନ୍ଦା କରିଛନ୍ତି |  ବକ୍ସିପାତ୍ର କହିଥିଲେ ଯେ, ଧର୍ମଶାଳାର ପୂର୍ବତନ ବିଧାୟକ ବଳବନ୍ତରାୟଙ୍କ ଉପରେ ଘଟଣା ଘଟୁଥିବା ସମୟରେ  ବଳବନ୍ତରାୟ ଯାଜପୁର ଏସ୍ପିଙ୍କୁ ଭିଡିଓ କଲ କଲାପରେ ମଧ୍ୟ ଏସ୍ପିଙ୍କ ଠାରୁ କୌଣସି ଉତ୍ତର ମିଳିନଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଘଟଣାର ଘଟିବାର ୨ ଘଣ୍ଟା ପୂର୍ବରୁ ବଳବନ୍ତରାୟ ଘଟଣାର ଆଶଙ୍କା କରି ଯାଜପୁର ଏସ୍ପିଙ୍କୁ ମଧ୍ୟ ଜଣାଇଥିଲେ । ଆଜିର ଘଟଣାକୁ ମିଶାଇ ବଳବନ୍ତରାୟଙ୍କ ଉପରେ ବିଧାୟକ ହିମାଂଶୁ ସାହୁଙ୍କ ଦ୍ୱାରା ପଞ୍ଚମଥର ଜୀବନରେ ମାରିଦେଲା ଭଳି ଆକ୍ରମଣ ହୋଇଛି । ପୂର୍ବରୁ ବଳବନ୍ତରାୟଙ୍କ ଗାଡ଼ି, ତାଙ୍କ ଘର ଏବଂ ଦଳୀୟ କାର୍ଯ୍ୟାଳୟ ଉପରେ ମଧ୍ୟ ବହୁବାର ଆକ୍ରମଣ ହେବା ପରେ ବଳବନ୍ତରାୟ ବାରମ୍ବାର ପୋଲିସ୍ ପାଖରେ ଏଫଆଇଆର ରୁଜୁ କଲା ପରେ ମଧ୍ୟ ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।  ଘଟଣାରେ ବିଧାୟକଙ୍କର ସହଯୋଗି ମନୋଜ ସାମଲ ଏବଂ ରତିକାନ୍ତ ଜେନାଙ୍କର ଯୋଜନା ଏବଂ ନେତୃତ୍ୱରେ ରଚାଯାଇଥିଲା  ବୋଲି ବିଜେଡି କହିଛି |
ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜିର ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ରାଜ୍ୟ ସରକାର ଏବଂ ପୋଲିସ୍ ପ୍ରଶାସନର ଏକପାଖିଆ କାର୍ଯ୍ୟକଳାପ ତଥା ଜନପ୍ରତିନିଧି ମାନଙ୍କ ଉପରେ ନିର୍ଦ୍ଦିଷ୍ଟ ଆକ୍ରମଣ ବିଷୟରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ସରକାର ତୁରନ୍ତ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି । ଦଳର ବରିଷ୍ଠ ନେତା ତଥା ସମନ୍ୱୟ କମିଟି ଅଧ୍ୟକ୍ଷ  ଦେବୀ ପ୍ରସାଦ ମିଶ୍ର, ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଅତିରିକ୍ତ ପୋଲିସ୍ ମହାନିଦେ୍ର୍ଦଶକ ସଞ୍ଜୟ କୁମାରଙ୍କ ସହିତ ଦୁର୍ବୃତ୍ତ ମାନଙ୍କୁ ଗିରଫ କରିବା ପାଇଁ ଅନୁରୋଧ କରିଛନ୍ତି । ଯଦି ୪୮ ଘଣ୍ଟା ମଧ୍ୟରେ ଆକ୍ରମଣକାରୀଙ୍କୁ ଗିରଫ କରାନଯାଏ, ତେବେ ପୋଲିସ୍ ମହାନିଦେ୍ର୍ଦଶକୁ ଭେଟି ସ୍ମାରକପତ୍ର ପ୍ରଦାନ କରିବୁ ବୋଲି କହିଛନ୍ତି  ବକ୍ସିପାତ୍ର ।


Share It

Comments are closed.