ଭୁବନେଶ୍ୱର: ଦିନରେ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅପରାହ୍ଣ ଏବଂ ସନ୍ଧ୍ୟା ସମୟରେ କାଳବୈଶାଖୀ ରାଜ୍ୟର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚୁଛି। ତେବେ ବର୍ଷା ଏବଂ ଘଡ଼ଘଡ଼ି ସହ ପବନ ହେବା କାରଣରୁ ଲୋକଙ୍କୁ ସାମୟିକ ଆଶ୍ୱସ୍ତି ମଧ୍ୟ ମିଳୁଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି କାଳବୈଶାଖୀର ପ୍ରଭାବ ଜାରି ରହିବ। ବିଶେଷକରି ୭ଟି ଜିଲ୍ଲା – ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଅନୁଗୁଳ ଏବଂ ଢେଙ୍କାନାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ବଜ୍ରପାତ ସହିତ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ଝଡ଼ପବନ ବହିବାର ସମ୍ଭାବନା ରହିଛି। ସେହିପରି ଅବଶିଷ୍ଟ ୨୩ଟି ଜିଲ୍ଲାରେ ମଧ୍ୟ ବର୍ଷା, ବଜ୍ରପାତ ଏବଂ ୩୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଅନ୍ୟପକ୍ଷରେ, ଦକ୍ଷିଣ-ପଶ୍ଚିମ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଏହା ସକ୍ରିୟ ରହିଛି। ତେବେ ଏହା ଅବପାତର (Depression) ରୂପ ନେଇ ସ୍ଥଳଭାଗ ଛୁଇଁବାର ଆଶଙ୍କା ଖୁବ୍ କମ୍ ରହିଥିବା ପାଣିପାଗ ବିଭାଗ କହିଛି। ଏହା ସହିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେବାରେ ଲାଗିଛି। ଆଇଏମ୍ଡିର ସୂଚନା ଅନୁଯାୟୀ, ମେ’ ୧୬, ୨୦୨୬ ସୁଦ୍ଧା ମୌସୁମୀ ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିବାର ସମ୍ଭାବନା ରହିଛି।
ସନ୍ଧ୍ୟା ସମୟରେ ବର୍ଷା ହେଉଥିଲେ ମଧ୍ୟ ସମଗ୍ର ଓଡ଼ିଶାରେ ଦିନର ତାପମାତ୍ରା ବୃଦ୍ଧି ପାଉଛି। ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୨ରୁ ୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୦.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଏହାଛଡ଼ା ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ରେକର୍ଡ କରାଯାଇଛି, ଯେଉଁଥିରେ କଟକ ଜିଲ୍ଲାର ବାଙ୍କୀଠାରେ ସର୍ବାଧିକ ୯୬ ମିଲିମିଟର (mm) ବର୍ଷା ହୋଇଛି।
