ଭୁବନେଶ୍ୱର,୧୪/୦୫:ରାଜଧାନୀ ଭୁବନେଶ୍ୱରରେ ଦେଖାଦେଇଛି ପେଟ୍ରୋଲ ଓ ଡିଜେଲ ସଙ୍କଟ । ବିଭିନ୍ନ ପେଟ୍ରୋଲ ପମ୍ପରେ ତେଲ ନ ମିଳିବାରୁ ଗ୍ରାହକ ହନ୍ତସନ୍ତ ହେଉଛନ୍ତି । ବିଶେଷକରି ଘାଟିକିଆ ଓ କଳ୍ପନା ଅଞ୍ଚଳର ଅନେକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନ ଥିବାରୁ ସେଗୁଡ଼ିକ ବନ୍ଦ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।
ପ୍ରଥମେ ଖୋର୍ଦ୍ଧାର ବେଗୁନିଆ, ପରେ ଜଗତସିଂହପୁର ଏବଂ ଏବେ ରାଜଧାନୀରେ ତୈଳ ସଙ୍କଟ ଦେଖାଦେବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ସୂଚନା ମିଳିଛି । ଜରୁରୀ ସମୟରେ ପେଟ୍ରୋଲ ନ ମିଳିବାରୁ ଲୋକେ ବିଭିନ୍ନ ସମସ୍ୟାରେ ପଡ଼ୁଛନ୍ତି ।
ଅନ୍ୟପଟେ, ଜୟପୁରରେ ମଧ୍ୟ ପୁଣି ତେଲ ସଙ୍କଟ ଦେଖାଦେଇଛି । ପେଟ୍ରୋଲ ଓ ଡିଜେଲ ଅଭାବରୁ ସହରର ୬ଟି ପେଟ୍ରୋଲ ପମ୍ପ ବନ୍ଦ ହୋଇଥିବା ବେଳେ ମାତ୍ର ୨ଟି ପମ୍ପରେ ତେଲ ମିଳୁଛି । ଫଳରେ ସେଠାରେ ସକାଳୁ ସକାଳୁ ଲୋକଙ୍କ ଭିଡ଼ ଜମୁଛି ।
ସୂଚନା ଅନୁଯାୟୀ, ଦୁଇଚକିଆ ଯାନକୁ ୨୦୦ ଟଙ୍କା ଓ ଚାରିଚକିଆ ଯାନକୁ ୫୦୦ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ ଦିଆଯାଉଛି । ଆଗାମୀ ଦିନରେ ପରିସ୍ଥିତି ଆହୁରି ଗୁରୁତର ହେବା ଆଶଙ୍କାରେ ଲୋକେ ଆଗୁଆ ତେଲ ଭରାଇବା ପାଇଁ ପେଟ୍ରୋଲ ପମ୍ପରେ ଭିଡ଼ କରୁଛନ୍ତି ।
