୮୨ ବର୍ଷିୟ ରିକ୍ସା ଚାଳକ ଖୋଲିଲେ ୯ଟି ସ୍କୁଲ


ଯୁବ ସମୟ – ୮୨ ବର୍ଷିୟ ଏକ ରିକ୍ସା ଚାଳକ ନିଜର ବ୍ୟକ୍ତିଗତ ସଂଚୟ ଜମା ପୁଞ୍ଜି ଦ୍ୱାରା ୯ଟି ବିଦ୍ୟାଳୟ ଖୋଲିଛନ୍ତି । ଏହି ବାସ୍ତୁବାଦି ସମାଜରେ ସମସ୍ତେ ନିଜର ଇଚ୍ଛା ପୂରଣ କରିବାକୁ ଚାହୁଁଥିବା ବେଳେ ଏହି ବ୍ୟକ୍ତିବିଶେଷ ଜଣକ ନିଜର ଜମାପୁଞ୍ଜି ସାମାଜିକ କାର୍ଯ୍ୟରେ ଲଗାଇଛନ୍ତି । ସେ କୌଣସି କୋଟିପତି କିମ୍ବା ରାଜନେତା ନୁହଁନ୍ତି । ସେ ଜଣେ ରିକ୍ସା ଚାଳକ ଏବଂ ସେ ନିଜର ଏହି ମାନବୀୟ କାମ ଦ୍ୱାରା ସମାଜରେ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ।
ସେହି ୮୨ ବର୍ଷିୟ ବୃଦ୍ଧ ଜଣକ ହେଉଛନ୍ତି ଅହମ୍ମଦ ଅଲ୍ଲୀ । ସେ ଆସାମ ରାଜ୍ୟର କରିମଗଞ୍ଜ ଜିଲ୍ଲାର ବାସିନ୍ଦା । ସେ ନିଜର ସମ୍ପୂର୍ଣ୍ଣ ଜୀବନକାଳ ମଧ୍ୟରେ ରିକ୍ସା ଚଲାଇ ସଞ୍ଚୟ କରିଥିବା ଟଙ୍କାରେ ବିଦ୍ୟାଳୟ ଖୋଲି ସମଗ୍ର ଭାରତରେ ସମସ୍ତଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି  । ତାଙ୍କର ଏହି ସ୍କୁଲ ଖୋଲିବାର ମନୋବଳ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ”ର ୪୨ ସଂସ୍କରଣରେ ସ୍ଥାନ ପାଇଥିଲେ । ଏହି ସମ୍ପର୍କରେ ପ୍ରଧାନ ମନ୍ତ୍ରୀ ମୋଦି ଏକ ୱେବସାଇଟକୁ କହିଛନ୍ତି ଯେ, “ଏହି ବ୍ୟକ୍ତିବିଶେଷଙ୍କ ଏପରି ମାନବୀୟ କାର୍ଯ୍ୟ ତାଙ୍କୁ ଜାତୀୟ ସ୍ତରରେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇପାରିଛି ।”
ଅଲ୍ଲୀ ନିଜର ମନ୍ତବ୍ୟ ରଖି ଟାଇମ୍ସ ଅଫ ଇଣ୍ଡିଆକୁ କହିଛନ୍ତି ଯେ, “ମୁଁ ଆହ୍ଲାଙ୍କ ଆର୍ଶିବାଦରୁ ଏପରି କାମ କରିପାରିଛି ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ସଫଳ ହୋଇପାରିଛି ।”
ସେ ନିଜେ ଜଣେ ସ୍କୁଲ ଡ୍ରପ ଆଉଟ ହେଲେ ମଧ୍ୟ ପିଲାମାନଙ୍କ ଭବିଷ୍ୟତ କଥା ଚିନ୍ତା କରି ଏପରି ପଦକ୍ଷେପ ନେଇଛନ୍ତି । ଅହମ୍ମଦ ପ୍ରଥମେ ନିଜର ଜମି ବିକ୍ରି କରି ଏବଂ ସ୍ଥାନୀୟ ଲୋକଙ୍କ ଠାରୁ କିଛି ଟଙ୍କା ଜମା କରି ୧୯୭୮ ମସିହାରେ ଏକ ପ୍ରାଇମେରି ସ୍କୁଲ ସ୍ଥାପନା କରିଥିଲେ । ସେ ତାଙ୍କର ଚେଷ୍ଟା ଫଳରେ ୯ଟି ସ୍କୁଲ ତଥା ୩ଟି ନିମ୍ନ ପ୍ରାଇମେରି ସ୍କୁଲ, ୫ଟି ଉଚ୍ଚ ପ୍ରାଇମେରି ସ୍କୁଲ ଏବଂ ଗୋଟିଏ ହାଇ ସ୍କୁଲ ଖୋଲିପାରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୋର ସ୍ଥାନୀୟ ଅଞ୍ଚଳରେ ୧୦ଟି ସ୍କୁଲ ଖୋଲିବାର ସ୍ୱପ୍ନ ରହିଛି । ମୁଁ ସ୍କୁଲ ଆଧାରୁ ଛାଡିଥିବାରୁ କୌଣସି ଗରିବ ପିଲାଙ୍କୁ ଟଙ୍କାର ଅଭାବ ହେତୁ ସ୍କୁଲ ଛାଡନ୍ତୁ ବୋଲି ମୁଁ ଚାହେଁନି । ଗାଁର ପିଲାମାନେ ସ୍କୁଲକୁ ପଢିବାକୁ ଯିବାର ଦେଖି ମୁଁ ଖୁବ ଖୁସି ।”


Share It

Comments are closed.