୨୦୧୮ରେ ରାଜ୍ୟରେ ୧୦୨ ଓ ୧୦୮ ଆମ୍ବୁଲାନ୍ସ ସେବାରେ ସର୍ବାଧିକ ରେକର୍ଡ଼


ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ଓଡ଼ିଶାବାସୀଙ୍କ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ୧୦୮ ଓ ୧୦୨ ଆମ୍ବୁଲାନ୍ସ ନିମନ୍ତେ ୨୦୧୮ ଏକ ସଫଳତମ ବର୍ଷ ଭାବେ ସାବ୍ୟସ୍ତ ହୋଇଛି । ଏହି ବର୍ଷ ଉଭୟ ଆମ୍ବୁଲାନ୍ସ ସର୍ବାଧିକ ରୋଗୀଙ୍କୁ ଜରୁରୀକାଳିନ ସେବା ଯୋଗାଇଥିବା ରେକର୍ଡ଼ ହୋଇଛି । ୨୦୧୮ରେ ୧୮% ଅଧିକ ରୋଗୀ ପରିବହନ କରିଛି ୧୦୮ ଆମ୍ବୁଲାନ । ଅନେକ ଆମ୍ବୁଲାନ୍ସ କର୍ମଚାରୀଙ୍କ ଉଦାର ମାନବିକତା ଓ ପ୍ରତିକୁଳ ପରିସ୍ଥିତିମାନଙ୍କରେ ରୋଗୀମାନଙ୍କୁ କରିଥିବା ସାହାଯ୍ୟ ୧୦୮ ଆମ୍ବୁଲାନ୍ସକୁ ଏକ ନୂତନ ପରିଚୟ ପ୍ରଦାନ କରିଛି ।
୨୦୧୩ ମାର୍ଚ୍ଚ ମାସରେ ରାଜ୍ୟ ସରକାରଙ୍କ ସହାୟତାରେ ଆରମ୍ଭ କରାଯାଇଥିବା ୧୦୮ ଆମ୍ବୁଲାନ୍ସ ୨୦୧୭ରେ ୩୫୮୬୩୩ ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଥିବାବେଳେ ୨୦୧୮ରେ ଏହା ସର୍ବାଧିକ ୪୨୩୭୩୬ ରୋଗୀକୁ ସେବା ଯୋଗାଇଛି । ୨୦୧୪, ୨୦୧୫ ଓ ୨୦୧୬ ବର୍ଷରେ ଏହି ଆମ୍ବୁଲାନ୍ସ ଯଥାକ୍ରମେ ୪୦୭୫୭୫, ୩୭୬୩୬୦ ଓ ୩୫୬୦୧୬ ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଛି । ଅନେକ ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କର୍ତ୍ତବ୍ୟ ନିଷ୍ଠା ଓ ସଚ୍ଚୋଟତା ଯୋଗୁଁ ବିଭିନ୍ନ ପ୍ରତିକୁଳ ପରିସ୍ଥିତିମାନଙ୍କରେ ରୋଗୀଙ୍କୁ ସେବା ଯୋଗାଇବା ମଧ୍ୟ ସମ୍ଭବପର ହୋଇପାରିଛି । ଦୁର୍ଘଟଣାସ୍ଥଳରେ ଆହତମାନଙ୍କଠାରୁ ପାଇଥିବା ଟଙ୍କା, ମନିପର୍ସ, ଏଟିଏମ୍ କାର୍ଡ, ଅଳଙ୍କାର, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆଦି ପରିବାର ଲୋକଙ୍କୁ ହସ୍ତାନ୍ତର କରି ସେମାନେ ସମାଜରେ ଉଚ୍ଚ ପ୍ରଶଂସିତ ହେଉଥିବା ଗଣମାଧ୍ୟମରେ ପ୍ରକାଶ ପାଉଛି । ସେହିପରି ୨୦୧୮ରେ ୧୦୨ ଆମ୍ବୁଲାନ୍ସ ସର୍ବାଧିକ ୫୨୪୫୫୮ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ସକ୍ଷମ ହୋଇଛି । ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଏହା ଯଥାକ୍ରମେ ୧୩୦୫୫୫, ୪୧୪୦୮୫, ୪୮୯୬୫୪, ୫୧୬୧୪୩ ଗୋଗୀଙ୍କୁ ସେବା ଯୋଗାଇ ସାରିଛି । ଜିକିତ୍ସା ହେଲ୍ଥ କେୟାର ଲିମିଟେଡ଼ କମ୍ପାନୀ ଏହି ଦୁଇଟି ଜରୁରୀକାଳିନ ସେବାଗୁଡ଼ିକର ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଛି ।
୨୦୧୮ରେ ଏହି ଦ୍ୱୟ ଆମ୍ବୁଲାନ୍ସ ସେବାଗୁଡ଼ିକର ବୃହତ ସଫଳତାକୁ ଦୃଷ୍ଟିରେ ରଖି ଜିକିତ୍ସା ହେଲ୍ଥ କେୟାର ଲିମିଟେଡ଼ର ରାଜ୍ୟ ମୂଖ୍ୟ ଶ୍ରୀଯୁକ୍ତ ସବ୍ୟସାଚୀ ବିଶ୍ୱାଳ ପ୍ରକାଶ କରିଛନ୍ତି ଯେ, “ଦୀର୍ଘ ୫ ବର୍ଷ ଧରି ଆମେ ୧୦୨ ଓ ୧୦୮ ଆମ୍ବୁଲାନ୍ସ ସେବାକୁ ପରିଚାଳନା କରିଆସୁଛୁ । ୨୦୧୮ ବର୍ଷଟି ଏହି ସେବାଗୁଡ଼ିକ ପାଇଁ ଏକ ସଫଳତମ ବର୍ଷ ଭାବେ ସାବ୍ୟସ୍ତ ହୋଇଥିବାରୁ ଆମେ ଖୁବ୍ ଆନନ୍ଦିତ । ବିଭିନ୍ନ ପ୍ରତିକୁଳ ପରିସ୍ଥିତିମାନଙ୍କରେ ଏମାନେ ରୋଗୀମାନଙ୍କୁ ଜରୁରୀକାଳିନ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସିଛନ୍ତି ଓ ଅନେକଙ୍କ ଜୀବନ ବଞ୍ଚାଇଛନ୍ତି । ସେଥିପାଇଁ ଅନେକ ସୂତ୍ରରୁ କର୍ମଚାରୀମାନଙ୍କ କର୍ତ୍ତବ୍ୟପରାୟଣତା ପାଇଁ ପ୍ରଶଂସାର ସୁଅ ମଧ୍ୟ ଛୁଟିବାରେ ଲାଗିଛି । କିନ୍ତୁ କିଛି ସମୟରେ ମିଥ୍ୟାକଲ୍, ଗମନାଗମନ ଅସୁବିଧା, ବିସ୍ତୃତ ମୋବାଇଲ୍ ନେଟୱାର୍କର ଅଭାବ ଏହି ଜରୁରୀକାଳିନ ସେବା ପଥରେ ବାଧା ସୃଷ୍ଟି କରୁଛି । ଏହି ପରି ଜରୁରୀକାଳିନ ସେବାମାନଙ୍କର ପରିଚାଳନା ଦାୟିତ୍ୱ ଆମ ଉପରେ ନ୍ୟସ୍ତ କରିଥିବାରୁ ଆମେ ରାଜ୍ୟ ସରାକାରଙ୍କ ନିକଟରେ ଗଭୀର ଭାବେ କୃତଜ୍ଞ ।”


Share It

Comments are closed.