କନ୍ୟା ଭୃଣର ଅନ୍ତର ବେଦନା ସତରେ କ’ଣ ବୁଝିବ ଏ ସମାଜ ???

‘ମା’ ‘ମା’ ଲୋ,
ତୁ କାନ୍ଦୁଛୁ କି ଜମା କାନ୍ଦନି,
ଦେଖ ମୁଁ ଏଇଠି ଅଛି,
ଟିକେ ତଳକୁ ଚାହାଁ, ମୁଁ ବା ତୋ ଭିତରେ ୍ଅଛି ,
ତୁ କ’ଣ ମୋତେ ଶୁଣିପାରୁନୁ?
ତୋ ଭିତରେ ନା ମୋତେ ବହୁତ ଆରାମ ଲାଗୁଛି
କିନ୍ତୁ ତୁ ଯେଉଁ ଦୁନିଆରେ ରହିଛୁ ସେ ଦୁନିଆ କେମିତି?
ଶୁଣିଛି ଯେ ସେ ଦୁନିଆଟା ବହୁତ ଭଲ ବୋଲି ସେଥି ପାଇଁ ‘ମା’ ଲୋ ବହୁତ ଇଚ୍ଛା ଅଛି ଥରେ ସେହି ଦୁନିଆ ଦେଖିବା ପାଇଁ,
ହେଲେ କାଲି ଶୁଣିବାକୁ ପାଇଲି ଘର ଭିତରେ ଅଧିକ ଅଶାନ୍ତି, ତାହା ପୁଣି ମୋ ପାଇଁ
ବାପା, ଜେଜେ ମାଙ୍କର ଟାହି ଟାପରା କଥା, ତୋ ହୃଦୟକୁ କେତେଯେ ଆଘାତ ନଦେଇଛି
ଘର କୋଣରେ କାନ୍ଦିବା ଆଉ କେତେଯେ ଦେବା ଦେବୀଙ୍କୁ ଯାଚଣା ଯାଚିବା ଛଡ଼ା ତୋ ହାତରେ ଆଉ କିଛି ନାହିଁବୋଲି ତୁ ଆଜି ସବୁଆଡ଼ୁ ଅସହାୟ, ନିସ୍ପେସିତ

ଗୋଟେ କଥା କହିବି ତୁ ତୋ ଦେହ ଭଲ ନାହିଁ ବୋଲି କହିକି, ମେଡିକାଲ ଯିବା ନ ଯିବା ପାଇଁ ଗୋଟେ ବାହାନା କରିଦେ, ଯେମିତି ଛୋଟ ପିଲାମାନେ ସ୍କୁଲ ନଯିବା ପାଇଁ ବାହାନା କରଥାନ୍ତି
ଯଦି ସେମାନେ ତୁମ କଥାକୁ ନମାନି ତୁମକୁ ଜୋର କରି ମେଡିକାଲ ନେଇଯିବେ,
ମା ତୁ ବାପାଙ୍କୁ ଅନୁରୋଧ କର, କାଳେ ସେ ତୋ କଥା ଶୁଣିବେ,
ମା ମୁଁ କୁଆଡେ ଶୁଣିଛି ଯେ ମୁଁ ଝିଅ ବୋଲି ମୋତେ ସମସ୍ତେ ମାରି ଦେବାକୁ ଚାହୁଁଛନ୍ତି, ମୁଁ କୁଆଡେ ସମସ୍ତଙ୍କ ପାଇଁ ବୋଝ, ଏଥିରେ ମୋର ଦୋଷ କ’ଣ ?
ତୁ ବାପାଙ୍କୁ କହ ମୁ ଘରର ସବୁ କାମ କରିବି, ଆଉ ତାଙ୍କର ସବୁ କଥା ଶୁଣିବି ,
କେବେ କାହାକୁ କହିବିନି ମୋତେ ବୁଲେଇ ନେବା ପାଇଁ,
ତୁମେ ଖାଇସାରିଲା ପରେ ମୁଁ ଖାଇବି,
ଆଉ ସମସ୍ତଙ୍କର ଅଇଁଠାବି ସଫା କରିଦେବି, ବାସନ ବି ମାଜିବି, ଲୁଗା ବି ଧୋଇଦେବି,
ଆଉ ଜେଜେମାଙ୍କୁ କୁହ ମୁଁ କେବେ ତାଙ୍କୁ ହଇରାଣ କରିବି ନାହିଁ,
ତାଙ୍କର ଗୋଡ ଘସିଦେବି, ତାଙ୍କର ସବୁ କଥା ବୁଝିବି,
“ଦୟାକରି ମୋତେ କେବଳ ତୁମ ଦୁନିଆକୁ ଆଣ”
ତୁମର —–
ବାହାର ଦୁନିଆ ଦେଖିନଥିବା ହତଭାଗିନୀ ଝିଅ

ଲେଖିକା- ରିତୁପର୍ଣା ନାୟକ

Comments are closed.