ରୋହିତଙ୍କୁ ପଛରେ ପକାଇ ଟି-୨୦ରେ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳୀ ହେଲେ ବିରାଟ


ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚକୁ ୱେଷ୍ଟଇଣ୍ଡିଜ ୮ଟି ୱିକେଟରେ ବିଜୟୀ କରିନେଇଥିବାବେଳେ ଭାରତ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଙ୍ଗ କରି ୭ଟି ୱିକେଟ ହରାଇ ୧୭୦ ରନ ସଂଗ୍ରହ କରିଥିବାବେଳେ ଏହି ଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ ଖୁବ ସହଜରେ ହାସଲ କରିନେଇଥିଲା ।
ତେବେ ଏହି ମ୍ୟାଚରେ ଭାରତ ପରାଜୟ ହୋଇଥିବାବେଳେ ଅନ୍ୟପଟେ ଦଳର ଅଧିନାୟକ ବିରାଟ କୋହଲି ଏକ ନୂଆ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି । ବିରାଟ ଆନ୍ତର୍ଜାତିକ ଟି-୨୦ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳୀ ହୋଇଯାଇଛନ୍ତି । ସେ ଭାରତୀୟ ଦଳର ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ପଛରେ ପକାଇ ଏହି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ପୂର୍ବରୁ ସର୍ବାଧିକ ରନ ସଂଗ୍ରହକାରୀଙ୍କ ତାଲିକାରେ ରୋହିତ ଶର୍ମା ଥିବାବେଳେ ବର୍ତ୍ତମାନ ବିରାଟ ଏହି ସ୍ଥାନ ହାସଲ କରିଛନ୍ତି । ତେବେ ସବୁଠାରୁ ମୁଖ୍ୟ କଥା ଏହା ଯେ, ଉଭୟଙ୍କ ମଧ୍ୟରେ ରନର ବ୍ୟବଧାନ ସେତେ ବେଶୀ ନଥିବାବେଳେ ବିରାଟ, ରୋହିତଙ୍କ ଠାରୁ ମାତ୍ର ୧ ରନ ଆଗରେ ରହିଛନ୍ତି ।
ବିରାଟ ଆନ୍ତର୍ଜାତିକ ଟି-୨୦ କ୍ରିକେଟରେ ସର୍ବାଧିକ ୨୫୬୩ ରନ ସଂଗ୍ରହ କରି ପ୍ରଥମ ସ୍ଥାନରେ ରହିଥିବାବେଳେ ଏହି କ୍ରମରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା । ସେହିଭଳି ତୃତୀୟ ସ୍ଥାନରେ ରହିଛନ୍ତି ମାର୍ଟିନ ଗୁଫଟିଲ (୨୪୩୬ ରନ) ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି ସୋଏବ ମଲ୍ଲିକ (୨୨୬୩ ରନ ) ।


Share It

Comments are closed.