ସୁରକ୍ଷା ବଳକୁ ଭାଙ୍ଗୀ ଧୋନିଙ୍କ ପାଖରେ ଆସି ପହଞ୍ଚିଲେ ପ୍ରସଂଶକ


ଗତ କାଲି ଆଇପିଏଲର ମହାସଂଗ୍ରାମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ଯେଉଁଥିରେ ଚେନ୍ନାଇ, ଦିଲ୍ଲୀକୁ ୬ଟି ୱିକେଟରେ ପରାସ୍ତ କରିଥିଲେ । ଏହି ମ୍ୟାଚରେ ପୁଣିଥରେ ଧୋନି ଫିନସରର ଭୂମିକା ନିର୍ବାହ କରୁଥିବାର ଦେଖିବାକୁ ମିଳିଥିଲା । ଧୋନି ଏହି ମ୍ୟାଚରେ ୩୨ ରନ କରି ନଟ ଆଉଟ ରହିଥିବାବେଳେ ଖେଳ ଶେଷରେ ପୁଣିଥରେ ପଡିଆ ମଧ୍ୟରେ ଏକ ଅଦ୍ଭୁତପୂର୍ବ ଘଟଣା ଦେଖିବାକୁ ମିଳିଥିଲା ।
ମ୍ୟାଚ ଶେଷରେ ଧୋନିଙ୍କୁ ଦେଖିବା ପାଇଁ ‘ଫିରୋଜ ଶାହା କୋଟଲା’ ଷ୍ଟାଡିୟମରେ ମୁତୟନ ଥିବା ସୁରକ୍ଷା ବଳକୁ ଭାଙ୍ଗିକରି ଦୁଇ ଜଣ ପ୍ରଶଂସକ ଧୋନିଙ୍କ ପାଖରେ ଆସି ପହଞ୍ଚିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଧୋନିଙ୍କ ଗୋଡ ଧରି ତଳେ ପଡିଯାଇଥିଲେ । ଧୋନି ଉକ୍ତ ପ୍ରଶଂସକଙ୍କ କାନ୍ଧରେ ହାତ ରଖି ଥାପୁଦା ମାରିଥିଲେ, ଯାହା ପରେ ସୁରକ୍ଷା କର୍ମୀ ତାଙ୍କୁ ପୁଣିଥରେ ପଡିଆ ବାହାରକୁ ନେଇଯାଇଥିଲେ ।

କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ମ୍ୟାଚ ଚାଲିବା ସମୟରେ ଆଉ ଜଣେ ପ୍ରଶଂସକ ମଧ୍ୟ ଚେନ୍ନାଇ ସୁପରକିଙ୍ଗସର ଜର୍ସୀ ପିନ୍ଧି ପଡିଆ ମଧ୍ୟ ପଶି ଆସିଥିଲେ ଏବଂ ଧୋନିଙ୍କ ପାଦକୁ ସ୍ପର୍ଶ କରି ନମସ୍କାର କରିଥିଲେ । ପ୍ରକାଶ ଥାଉକି ଫିରୋଜ ଶାହା କୋଟଲା ଦିଲ୍ଲୀର ହୋମ ଗ୍ରାଉଣ୍ଡ ହୋଇଥିବାବେଳେ ଏଠାରେ ଧୋନିଙ୍କର ଫ୍ୟାନ ଫଲୋଇଙ୍ଗ ବହୁତ ଅଧିକ ରହିଛି ।
ଦିଲ୍ଲୀ ଗତ କାଲି ଟସ ଜିତି ୨୦ ଓଭରରେ ୧୪୭ ରନ ସଂଗ୍ରହ କରିଥିବାବେଳେ ଯାହାର ଜବାବରେ ଚେନ୍ନାଇ ୧୯.୪ ଓଭରରେ ୧୫୦ ରନ ସଂଗ୍ରହ କରି ବିଜୟ ହୋଇଥିଲା ।


Share It

Comments are closed.