ସେନାରେ ଖରାପମାନର ଖାଦ୍ୟ ଅଭିଯୋଗ କରିଥିବା ତେଜ ବାହାଦୂର ଲଢ଼ିବେ ମୋଦି ବିରୁଦ୍ଧରେ


ମୋଦିଗଡ଼ ବୋଲାଉଥିବା ବାରଣାସୀରେ ଦିନକୁ ଦିନ ନୂତନ ନିର୍ବାଚନୀ ଗୋଟି ଚାଳନା ହେବାରେ ଲାଗିଛି । ଶୁଣାଯାଉଛିଯେ କାଶୀରେ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଲଢିପାରନ୍ତି । ସେପଟେ ସପା ପକ୍ଷରୁ କିଛିବି ନାମ ଘୋଷଣା କରାଯାଇ ନାହିଁ । ଏବେ ମୈଦାନରେ ବହୁ ଚର୍ଚ୍ଚିତ ଚେହେରା ସିଆରପିଏଫ୍ ଯବାନ, ତେଜ୍ ବାହାଦୂର ଯାଦବ । ନିକଟରେ ସେନାରେ ଖରାପ ମାନର ଖାଦ୍ୟ ଦିଆଯାଉଥିବା ଭିଡ଼ିଓ ପୋଷ୍ଟକରି ପରେ ଚାକିରିରୁ ବହିସ୍କୃତ ହୋଇଥିବା ସିଆରପିଏଫ୍ ଯବାନ୍, ତେଜ୍ ବାହାଦୂର ଯାଦବ ଚର୍ଚ୍ଚାର ପରିସରକୁ ଆସିଥିଲେ । ବର୍ତ୍ତମାନ ମଧ୍ୟ ଚଳିତ ଲୋକସଭା ନିର୍ବାଚନରେ କାଶୀରେ ତେଜ୍ ବାହାଦୂର ଯାଦବ, ମୋଦିଙ୍କ ବିରୁଦ୍ଧରେ ଲଢିବାକୁ ଏକ ଖବରଦାତା ସମ୍ମିଳନୀରେ ଆଜି ଘୋଷଣା କରିଛନ୍ତି । ସେ ୨୪ ଏପ୍ରିଲରେ ବାରଣାସୀରେ ନିଜର ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରଖିଛନ୍ତି । ସେ ଉକ୍ତ ସମ୍ମିଳନୀରେ ଆହୁରୀ ମଧ୍ୟ କହିଛନ୍ତିଯେ, ବର୍ତ୍ତମାନ ଅସଲି ଚୌକିଦାର ଏବଂ ନକଲି ଚୌକିଦାର ମଧ୍ୟରେ ଲଢେଇ ହେବାକୁ ଯାଉଛି । ଏହି ଖବରଦାତା ସମ୍ମିଳନୀରେ ତେଜ ବାହାଦୂରଙ୍କ ସହିତ ଅନ୍ୟ କିଛି ବହିସ୍କୃତ ସେନା କର୍ମଚାରୀ ଏବଂ ଅନ୍ୟ କେତେକ ଅବସରପ୍ରାପ୍ତ ସେନା କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ସୂଚନା ଅନୁଯାୟି ୨୪ ଏପ୍ରିଲରେ ନାମାଙ୍କନ ଦାଖଲ କରିବାକୁ ତେଜ୍ ବାହାଦୂର ସକାଳ ୯ ଟାରେ ନିଜ ସମର୍ଥକ ମାନଙ୍କ ସହିତ ଚାଲି ଚାଲି କଲେକ୍ଟରଙ୍କ ଅଫିସରେ ପହଞ୍ଚିବେ ।


Share It

Comments are closed.