ମହାରାଷ୍ଟ୍ରରେ ବିଜେପିର ମୁଖ୍ୟମନ୍ତ୍ରୀ ଡୋରି ସମ୍ଭାଳିପାରନ୍ତି ଗଡକାରୀ !


ମହାରାଷ୍ଟ୍ରରେ ସରକାର ଗଢିବାକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ ଟଣାଓଟରା ଲାଗି ରହିଥିବାବେଳେ ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ନିଜର ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ବନ୍ଦ କରି ସେ ଆଜି ନାଗପୁରରେ ଆସି ପହଞ୍ଚିଛନ୍ତି । ସେ ନାଗପୁରରେ ଆସି ପହଞ୍ଚିବା ପରେ ମହାରାଷ୍ଟ୍ରରେ ସରକାର ଗଢିବାକୁ ନେଇ ଖୁବ ଶୀଘ୍ର ନିଷ୍ପତି ନିଆଯିବ ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିବାବେଳେ ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନାୱିସଙ୍କ ନେତୃତ୍ୱରେ ହିଁ ସରକାର ଗଠନ କରାଯିବ ବୋଲି ସେ କହିଛନ୍ତି । ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ନେଇ ନୀତିନ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ସହ ଆଲୋଚନା କରିବାକୁ ଥିବାବେଳେ ଶିବସେନା ସମର୍ଥନରେ ହିଁ ମହାରାଷ୍ଟ୍ରରେ ସରକାର ଗଠନ କରାଯିବ ବୋଲି ସେ କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଆମର ତାଙ୍କ ସହ ଆଲୋଚନା ଜାରି ରହିଛି । ” ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ସେ କହିଛନ୍ତି, “ମୋର ମହାରାଷ୍ଟ୍ର ଆସିବାର ପ୍ରଶ୍ନ ଉଠୁ ନାହିଁ । ମୁଁ ଦିଲ୍ଲୀରେ ଲଗାତାର କାମ କରିବି ।”

ପ୍ରକାଶ ଥାଉକି, ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ନୀତିନ ଗଡକାରୀଙ୍କ ନାମ ଚର୍ଚ୍ଚାରେ ରହିଥିବାବେଳେ ଶିବସେନା ସହିତ ଲାଗିରହିଥିବା ମତଭେଦ ଏହା ଦ୍ୱାରା ହିଁ ସମାଧାନ ହୋଇପାରିବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।
ସେପଟେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାୱତ କହିଛନ୍ତି ଯେ, ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ନେଇ ଶିବସେନା ଅଧ୍ୟକ୍ଷ ଉଧବ ଠାକରେ ଏବଂ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇ ନାହିଁ ।


Share It

Comments are closed.