ରାହୁଲଙ୍କ ପ୍ରହାରରେ ବିରୋଧୀ ଧରାଶୟୀ


୨୦୧୯ରେ ହେବାକୁଥିବା ଲୋକସଭା ନିର୍ବାଚନ ପୂର୍ବରୁ ସେମି ଫାଇନାଲ ସ୍ୱରୁପ ଏହି ବିଧାନସଭା ନିର୍ବାଚନକୁ ବିବେଚନା କରାଯାଉଥିବାବେଳେ ଏଥିରେ ବିଜେପି ଚିତପଟାଙ୍ଗ ମାରିଛି । ପୂର୍ବରୁ ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶରେ ବିଜେପି ସରକାର ଥିବାବେଳେ ବର୍ତ୍ତମାନ କଂଗ୍ରେସ, ବିଜେପିକୁ ଗାଦିଚ୍ୟୁତ କରାଇ ନିଜେ ଶାସନ ଭାର ହାତ ମୁଠାକୁ ନେଇଛି । ଗୋଟେ ପଟରେ ବିଜେପିର ଷ୍ଟାର ପ୍ରଚାରକ ନରେନ୍ଦ୍ର ମୋଦି, ଅମିତ ଶାହା ଏବଂ ଯୋଗୀ ଆଦିତ୍ୟନାଥ ତିନୋଟି ରାଜ୍ୟରେ ପ୍ରଚାର ଦାୟିତ୍ୱ ନେଇଥିବାବେଳେ ସେପଟେ ରାହୁଲ ଗାନ୍ଧୀ କଂଗ୍ରେସର ଏକା ମଙ୍ଗ ଧରିଥିଲେ । ରାହୁଲ ଏଇ ମହାସଂଗ୍ରାମରେ ବିଜେପିକୁ ମାତ ଦେଇ ଏହା ସାବ୍ୟସ୍ତ କରିଦେଇଛନ୍ତି ଯେ, ସେ କାହା ଠାରୁ ପଛରେ ନାହାନ୍ତି ।
ପୂର୍ବରୁ କଂଗ୍ରେସ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇଥିବାବେଳେ ପରେ କର୍ଣ୍ଣାଟକ ଏବଂ ବର୍ତ୍ତମାନ ଏହି ତିନି ରାଜ୍ୟର ଫଳାଫଳ ଏହା ସ୍ପଷ୍ଟ କରୁଛି ଯେ, ବିଜେପି ପାଇଁ ୨୦୧୯ ଲୋକସଭା ନିର୍ବାଚନ କାଠିକର ପାଠ ସାବ୍ୟସ୍ତ ହୋଇପାରେ । ରାହୁଲଙ୍କ ନେତୃତ୍ୱକୁ ନେଇ ବିରୋଧିମାନେ ଅନେକ ପ୍ରଶ୍ନ କରୁଥିବାବେଳେ ଏବେ ଏଇ ବିଧାନସଭା ନିର୍ବାଚନର ଫଳାଫଳ ସବୁ ବିରୋଧିଙ୍କ ମୁହଁକୁ ଚୁପ କରାଇଦେଇଛି । କେବଳ ବିରୋଧି ନୁହନ୍ତି ଶିବସେନା ଏବଂ ଜେଡିୟୁ ଭଳି ଦଳ ଏଇ ସ୍ପଷ୍ଟିକରଣ ରଖିଛନ୍ତି ଯେ, ରାହୁଲ ବର୍ତ୍ତମାନ ରାଜନିତିରେ ସଂପୂର୍ଣ୍ଣ ପରିପକ୍ୱ ।
ସବୁଠାରୁ ବଡ କଥା ହେଲା, ଦେଶ ଏବେ ପରିବର୍ତ୍ତନ ଚାହୁଁଛି । ଯାହାର ପ୍ରତିଫଳନ ଏହି ନିର୍ବାଚନରେ ହିଁ ଦେଖିବାକୁ ମିଳିଛି । ବର୍ତ୍ତମାନ ଆଗକୁ ଆସୁଥିବା ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ, ମୋଦିଙ୍କୁ କଡା ଟକ୍କର ଦେବାକୁ ଯାଉଥିବାବେଳେ ବର୍ତ୍ତମାନ ବିରୋଧି ଦଳର ସର୍ବପ୍ରଥମ ନେତା ରୂପେ ସେ ଉଭା ହୋଇଛନ୍ତି ।
ଗତ କିଛି ବର୍ଷ ମଧ୍ୟରେ ଏହା ହେଉଛି ଏଭଳି ଏକ ଘଟଣା, ଯେଉଁଥିରେ କଂଗ୍ରେସର ସିଧା ମାଡରେ ବିଜେପି ଗଳି ପଡିଛି । ରାହୁଲ ଗାନ୍ଧୀ ନିଜର ସବୁ ନିର୍ବାଚନୀ ର‌୍ୟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିଷ ଓଗାଳିଥିଲେ, ଯାହାକୁ ଲୋକମାନେ ଗ୍ରହଣ କରି ଏହି ଜନମତ ଜାହିର କରିଛନ୍ତି ।
ସବୁଠାରୁ ମୁଖ୍ୟ କଥା ହେଲା ଛତିଶଗଡରେ କଂଗ୍ରେସ ଯେଉଁଭଳି ସ୍ଥିତି ଥିଲା, କେହି ଆଶା ବି କରିନଥିଲେ ଦଳ ସେଠାରେ ଉନ୍ନତ ପ୍ରଦର୍ଶନ କରିବ । କଂଗ୍ରେସ ପାଇଁ ଏହା ଏକ ଚମକ୍ତାର ସଦୃଶ୍ୟ । ସେହିଭଳି ମଧ୍ୟ-ପ୍ରଦେଶରେ ସରକାର ଗଢିବାକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡା ଟକ୍କର ଚାଲିଥିବାବେଳେ ନମ୍ବର ଅନୁସାରେ କଂଗ୍ରେସ ଠାରୁ ଫଛରେ ପଡିଛି ବିଜେପି ।


Share It

Comments are closed.