୯୦% ବୋତଲ ପାଣିରେ ପ୍ଲାଷ୍ଟିକ୍ କଣିକା


ବିିଶ୍ୱର ବୃହତ୍ ପାଣିବୋତଲ ବ୍ରାଣ୍ଡ୍ ଆକ୍ୱାଫାଇନ୍ ଓ ଏଭିଆନ୍ ସମେତ କିଛି ଭାରତୀୟ ବ୍ରାଣ୍ଡ୍ର ପାଣି ବୋତଲକୁ ନେଇ ଲ୍ୟାବ୍ରେ ପରୀକ୍ଷା କରାଯିବା ପରେ ଜଣାପଡ଼ିଛି ଯେ, ପ୍ରାୟ ୯୦%ରୁ ଉଦ୍ଧ୍ୱର୍ ପାଣିବୋତଲରେ କ୍ଷୁଦ୍ରାତିକ୍ଷୁଦ୍ର ପ୍ଲାଷ୍ଟିକ୍ କଣିକା ରହିଛି । ଆମେରିକାର ନ୍ୟୁୟର୍କସ୍ଥିତ ଷ୍ଟେଟ୍ ୟୁନିଭର୍ସିଟିର ଗବେଷକମାନେ କରିଥିବା ପରୀକ୍ଷଣରୁ ଏହା ସାମ୍ନାକୁ ଅସିଛି ।

ସେମାନେ ୯ଟି ଦେଶରୁ ୧୧ଟି ବ୍ରାଣ୍ଡ୍ର ୨୫୯ଟି ପାଣିବୋତଲକୁ ପରୀକ୍ଷା କରି ଏହି ତଥ୍ୟ ପାଇଥିଲେ । ଭାରତର ନୂଆଦିଲ୍ଲୀ, ମାଡ୍ରାସ୍ ଓ ବମ୍ବେର ୧୯୧ଟି ସ୍ଥାନରୁ ପାଣିବୋତଲ ସଂଗ୍ରହ କରାଯାଇ ସେଗୁଡ଼ିକୁ ପରୀକ୍ଷା କରାଯାଇଥିଲା । ଏଥିରୁ ଜାଣିବାକୁ ମିଳିଥିଲା ଯେ, ପାଖାପାଖି ୯୩% ବୋତଲ ପାଣିରେ କ୍ଷୁଦ୍ରାତିକ୍ଷୁଦ୍ର ପ୍ଲାଷ୍ଟିକ୍ କଣିକାର ନମୁନା ସଂଗ୍ରହ କରାଯାଇଛି । ଲିଟର ପିଛା ହାରାହାରି ୧୦.୪ ମାଇକ୍ରୋପ୍ଲାଷ୍ଟିକ୍ କଣିକା ରହୁଥିବା କଥା ଗବେଷକମାନେ ସ୍ପେକ୍ଟ୍ରୋସ୍କୋପିକ୍ ବିଶ୍ଳେଷଣ ଦ୍ୱାରା ଜାଣି ପାରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ପୂର୍ବରୁ ଟ୍ୟାପ୍ ପାଣିକୁ ନେଇ କରାଯାଇଥିବା ପରୀକ୍ଷର ଦୁଇ ଗୁଣ ପ୍ଲାଷ୍ଟିକ୍ କଣିକା ପାଣି ବୋତଲରୁ ମିଳିଛି । ଉକ୍ତ ରିପୋର୍ଟରେ ପୁଣି କୁହାଯାଇଛି, ଲାବୋରେଟରିରେ ପ୍ୟାକେଜିଂ ଏବଂ ବଟଲିଂ ସମୟରେ ପାଣିରେ ଆଂଶିକ ମାତ୍ରାରେ ପ୍ଲାଷ୍ଟିକ କଣିକା ରହିଯାଉଛି । ବର୍ତ୍ତମାନ ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ଯୋଗୁଁ ପରିବେଶରେ ପ୍ଲାଷ୍ଟିକ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ମଧୁରଜଳ ଥିବା ହ୍ରଦ, ଉପକୂଳବର୍ତ୍ତୀ ସମୁଦ୍ର ଏବଂ ଆର୍ଦ୍ରଭୂମି ପ୍ଲାଷ୍ଟିକ ଦ୍ୱାରା ପ୍ରଦୂଷିତ ହେଉଥିବା ବେଳେ ପ୍ଲାଙ୍କଟନ( ଜଳରେ ଭାସମାନ ଜୈବ ପଦାର୍ଥ ) ଠାରୁ ଆରମ୍ଭ କରି ହ୍ୱେଲ(ତିମି) ପର୍ଯ୍ୟନ୍ତ ସାମୁଦ୍ରିକ ଜୀବ ପ୍ଲାଷ୍ଟିକ ପ୍ରଦୂଷମ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବହୁଳ ଭାବରେ ପ୍ୟାକିଙ୍ଗ ପାନୀୟ ଜଳ ବିକ୍ରି ହେଉଥିବା ଦେଶ ଚାଇନା, ବ୍ରାଜିଲ, ଭାରତ, ଇଣ୍ଡୋନେସିଆ, ମେକ୍ସିକୋ, ସମେତ ମୁଣ୍ଡିପିଛା ଅଧିକ ପ୍ୟାକିଂ ଜଳ ବ୍ୟବହାର ହେଉଥିବା ଦେଶ ଲେବାନନ୍, ମେକ୍ସିକୋ, ଥାଇଲ୍ୟାଣ୍ଡ ଏବଂ ଆମେରିକା ରହିଥିବା ଅନୁଧ୍ୟାନରୁ ଜଣାପଡିଛି । ସେହି ସବୁ ସ୍ଥାନରେ ଅଧିକ ଜଳ ନମୁନା ସଂଗ୍ରହ କରାଯାଇଥିଲା । ଏହି ଅଧ୍ୟୟନରେ ପ୍ରମୁଖ ଆନ୍ତର୍ଜାତିକ ବ୍ରାଣ୍ଡ ବିଶେଷ କରି ଆକ୍ୱାଫାଇନା, ଦସାନି, ଏଭିଆନ, ନେସଲ ପିଓର ଲାଇଫ ଏବଂ ସାନ ପେଲେଗ୍ରିନକୁ ସାମିଲ କରାଯାଇଥିଲା । ପରୀକ୍ଷାରୁ ଜଣାପଡିଛି ଯେ, ପାଣିର ମାନ ଭିନ୍ନ ଭିନ୍ନ ଥିଲେ ମଧ୍ୟ ବୋତଲ ଏକା ଭଳି ରହିଥିବା ଦେଖିବାକୁ ମିଳିଛି । ୨୫୮ ବୋତଲ ପାଣି ପରୀକ୍ଷା କରିବାରୁ ଜଣାପଡିଲା, ମାତ୍ର ୭ ପ୍ରତିଶତ ବୋତଲ ପାଣିରେ ପ୍ଲାଟିକ କଣିକା ରହିନଥିବା ବେଳେ ୯୩% ପ୍ଲାଷ୍ଟିକ ବୋତଲ ପାଣିରେ କ୍ଷୁଦ୍ରାତିକ୍ଷୁଦ୍ର କଣିକା ରହିଛି ।


Share It

Comments are closed.