ଆଗାମୀ ବିଶ୍ୱକପ ପାଇଁ ରିଷଭ, ବିଜୟ ଏବଂ ରାହାଣେଙ୍କ ନାମରେ ମୋହର ବାଜିପାରେ


ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ ଆରମ୍ଭ ହେବାକୁ ଆଉ ମାତ୍ର ସାଢେ ତିନି ମାସରୁ ମଧ୍ୟ କମ ସମୟ ଥିବାବେଳେ ସେପଟେ ରିଷଭ ପନ୍ତ, ବିଜୟ ଶଙ୍କର ଏବଂ ଅଜିଙ୍କ ରାହାଣେଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇପାରେ ବୋଲି କହି ଦଳର ମୁଖ୍ୟ ଚୟନକର୍ତ୍ତା ଏମ.ଏସ.କେ ପ୍ରସାଦ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି ।
ଏହି ଅବସରରେ ପ୍ରସାଦ କହିଛନ୍ତି ଯେ, “ସମସ୍ତ ଖେଳାଳୀ ବିଶ୍ୱକପ ପାଇଁ ଦାବୀଦାର ଅଟନ୍ତି ଏବଂ ଗୋଟିଏ, ଦୁଇଟି ସ୍ଥାନକୁ ଛାଡିଦେଲେ ବାକି ୧୫ ଜଣ ଖେଳାଳୀଙ୍କ ଚୟନ ହୋଇସାରିଛି ।”
କ୍ରିକେଟ ୱେବ ସାଇଟ ‘କ୍ରିକଇନଫୋ’ରେ ଦେଇଥିବା ଏକ ସାକ୍ଷାତକାରରେ ପ୍ରସାଦ, ରିଷଭ ଏବଂ ବିଜୟଙ୍କର ଖୁବ ପ୍ରଶଂସା କରିଥିବାବେଳେ ଉଭୟ ଆଗାମୀ ବିଶ୍ୱକପ ପାଇଁ ଭାରତୀୟ ଦଳର ବିକଳ୍ପ ହୋଇପାରନ୍ତି ବୋଲି କହିଛନ୍ତି ।
ଦୀନେଶ କାର୍ତ୍ତିକଙ୍କ ଛଡା ପନ୍ତଙ୍କୁ ଧୋନିଙ୍କ ବ୍ୟାକଅଫ ୱିକେଟକିପର ହିସାବରେ ଦେଖାଯାଉଛି । ସେହିପରି କେ.ଏଲ ରାହୁଲ ଦଳରୁ ବାଦ ହେବା ଏବଂ ଖରାପ ଫର୍ମ ଯୋଗୁଁ ତାଙ୍କ ବଦଳରେ ଓପନର ବ୍ୟାକଅଫ ହିସାବରେ ପନ୍ତ ଏବଂ ରାହାଣେଙ୍କୁ ବିକଳ୍ପ ରୂପେ ବଛାଯାଇଛି ।
ଏହା ସହ ପ୍ରସାଦ ସ୍ପଷ୍ଟ କରିଛନ୍ତି ଯେ, ଶ୍ରେଷ୍ଠ ୨୦ ଜଣ ଅଲରାଉଣ୍ଡରଙ୍କ ମଧ୍ୟରେ ବିଜୟଙ୍କ ନାମ ରହିଛି, ଯେଉଁଥିରୁ ୧୫ ଜଣଙ୍କୁ ଚୟନ କରାଯାଇସାରିଛି । ପ୍ରସାଦ, ଶଙ୍କରଙ୍କର ପ୍ରଶଂସା କରି କହିଛନ୍ତି ଯେ, “ତାଙ୍କୁ ଯେତେବେଳେ ବି ଯେଉଁ ସୁଯୋଗ ମିଳିଛି, ସେ ତାହାର ଫାଇଦା ନିଶ୍ଚିତ ଉଠାଇଛନ୍ତି । ”


Share It

Comments are closed.