ଆଇଆରଡିଏର ନିର୍ଦ୍ଦେଶ, ୫ ଲକ୍ଷ ପର୍ଯ୍ୟନ୍ତ ବୀମା ପଲିସିର ରହିବ ଗୋଟିଏ ନିୟମ


ଭିନ୍ନ ଭିନ୍ନ ବୀମା କମ୍ପାନୀ ବିଭିନ୍ନ ପ୍ରକାରର ବ୍ୟକ୍ତିଗତ ଚିକିତ୍ସା ବୀମା ଉତ୍ପାଦଗୁଡିକ ବଜାରକୁ ଛାଡୁଛନ୍ତି । ପ୍ରତ୍ୟେକ ଉତ୍ପାଦର ସ୍ୱତନ୍ତ୍ର ଲାଭ ରହିବ ସହ ସେଗୁଡିକର ସର୍ତ ଭିନ୍ନ ଭିନ୍ନ ହୋଇଥାଏ । ଏହାଯୋଗୁଁ ଉପଭୋକ୍ତାଙ୍କୁ ହେଉଥିବା ସମସ୍ୟାକୁ ଦୂର କରିବା ଲାଗି ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏ) ପକ୍ଷରୁ ଏକ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଚିକିତ୍ସା ବୀମା ପଲିସିକୁ ଗୋଟିଏ ମାନକ ବା ନ୍ରିମ ସହ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟାମକର ନିର୍ଦ୍ଦେଶ ମୁତାବକ, ଏହି ଉତ୍ପାଦକୁ ଆସନ୍ତା ଏପ୍ରିଲ ୧ ତାରିଖ ୨୦୨୦ରୁ ଉପଲବ୍ଧ କରାଇବା ବାଧ୍ୟତାମୁଳକ ହେବ ।
ଆଇଆର୍ଡିଏ ପକ୍ଷରୁ ଗତକାଲି ଏହି ଦିଶାନିର୍ଦ୍ଦେଶ ଜାରି କରାଯାଇଛି । ସେଥିରେ କୁହାଯାଇଛି ଯେ, ଚିକିତ୍ସା ବୀମା ବଜାରରେ ବ୍ୟକ୍ତିଗତ ଚିକିତ୍ସା ବୀମାର ବିଭିନ୍ନ ଉତ୍ପାଦ ଉପଲବ୍ଧ ରହିଛି । ପ୍ରତି ଉତ୍ପାଦର ଫିଚର ସ୍ୱତନ୍ତ୍ର ରହିଛି ଯେଉଁ କାରଣରୁ ସଠିକ୍ ଉତ୍ପାଦ ଚିହ୍ନଟ କରିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡୁଛି । ତେଣୁ ପ୍ରାଧିକରଣ ସମସ୍ତ ସାଧାରଣ ଓ ଚିକିତ୍ସା ବୀମା କମ୍ପାନୀଗୁଡିକ ପାଇଁ ମାନକ ଚିକିତ୍ସା ବୀମା ଉତ୍ପାଦ ଉପଲବ୍ଧ କରିବା ବାଧ୍ୟତାମୁଳକ କରିଛି । ଆଇଆର୍ଡିଏ ମୁତାବକ, ଏହି ଉତ୍ପାଦର ନାମ ହେବ ଆରୋଗ୍ୟ ସଞ୍ଜିବନୀ ପଲିସି ଓ ଏହାପରେ କମ୍ପାନୀଗୁଡିକ ଏଥିରେ ନିଜ ନାମ ଯୋଡିପାରିବେ । ଏଥିରେ କୌଣସି ପ୍ରକାରର ଆଡ୍ ଅନ୍ କିମ୍ବା ବୈକଳ୍ପିକ କଭରେଜ ଉପଲବ୍ଧ ହେବ ନାହିଁ । କମ୍ପାନୀଗୁଡିକ ଆଇଆର୍ଡିଏର ଦିଶାନିର୍ଦ୍ଦେଶରେ ପ୍ରସ୍ତାବିତ କଭରେଜ ଆଧାରରେ ଏହି ମାନକ ଉତ୍ପାଦର ମୂଲ୍ୟ ନିର୍ଦ୍ଧାରଣ କରିପାରିବେ । ଏହି ବୀମା ପଲିସିର ସରକାରଙ୍କ ଆୟୁଷ ଯୋଜନା ଅଧୀନରେ ହୋଇଥିବା ଭର୍ତିର ଖର୍ଚ୍ଚ ମଧ୍ୟ ସାମିଲ ହେବ । ୬୦ ଦିନରେ ହସ୍ପିଟାଲରୁ ଡିସ୍ଚାର୍ଜ ହେବାର ଖର୍ଚ୍ଚ ମଧ୍ୟ ଏଥିରେ ସାମିଲ ହେବ । ହସ୍ପିଟାଲରେ ଭର୍ତି ହେବା ପୂର୍ବର ୩୦ ଦିନର ଖର୍ଚ୍ଚ ମଧ୍ୟ ଏଥିରେ ସାମିଲ ରହିବ । ଏଥିରେ ୨୦୦୦ ଟଙ୍କାର ଆମ୍ବୁଲାନ୍ସର ଖର୍ଚ୍ଚ ମଧ୍ୟ ସାମିଲ ହେବ । ବୀମା ରାଶି ସର୍ବନିମ୍ନ ୧ ଲକ୍ଷ ଓ ସର୍ବାଧିକ ୫ ଲକ୍ଷ ଟଙ୍କା ହେବ । ଏହି ବୀମା ରାଜ୍ୟ ଓ କ୍ଷେତ୍ର ଆଧାରରେ ଭିନ୍ନ ଭିନ୍ନ ନହୋଇ ସମଗ୍ର ଦେଶରେ ଏକସମାନ ରହିବ । ଏହି ମାନକ ଚିକିତ୍ସା ବୀମା ଯୋଜନା ଚୟନ କରିବାର ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ବୟସ ୬୫ ବର୍ଷ ଧାର୍ଯ୍ୟ କରାଯାଇଛି । ଏହାକୁ ବଂଚିଥିବା ପର୍ଯ୍ୟନ୍ତ ନବୀକରଣ କରାଯାଇପାରିବ ।


Share It

Comments are closed.