ରିଲିଜ ହେଲା ଅନୁଭବଙ୍କ ବୁହ ପ୍ରତୀକ୍ଷିତ ଫିଲ୍ମ “ବିଜୁ ବାବୁ”


ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା ବିଜୁ ବାବୁ ଆଜି ବଡ ଉତ୍ସାହର ସହିତ ରିଲିଜ ହୋଇଯାଇଛି । ସିନେମାଟିକୁ ନେଇ ସିନେପ୍ରେମୀଙ୍କ ମହଲରେ ପ୍ରବଳ ଉତ୍ସାହ ଦେଖାଦେଇଛି । ଏହା ବ୍ୟତିତ ସିନେମାଟିକୁ ଓଡିଶାର ୯୦ରୁ ଅଧିକ ହଲ୍ରେ ରିଲିଜ୍ କରାଯାଇଛି ।
ସିନେମାର ପ୍ରଥମ ସୋ’ ହାଉସଫୁଲ ହୋଇଛି ବୋଲି ଦର୍ଶକ ମାନେ କହିଛନ୍ତି । ଏହା ଏକ ଆକ୍ସନ କମେଡି ଥ୍ରିଲର । ଏ ସମ୍ପର୍କରେ ଶ୍ରୀଯୁକ୍ତ ନୀଳମାଧବ ପଣ୍ଡା କହିଛନ୍ତି ଯେ, “୨୯ ମାର୍ଚ୍ଚ ହେଉଛି ମୋ ଜୀବନର ଏକ ସ୍ମରଣୀୟ ଦିନ । କିମ୍ବଦନ୍ତୀ ଓଡିଆ ବ୍ୟକ୍ତି ବିଜୁ ପଟ୍ଟନାୟକଙ୍କ ଜୀବନୀ ଦ୍ୱାରା ଅନୁପ୍ରାଣିତ ହୋଇଥିବା ଏହା ହେଉଛି ମୋର ପ୍ରଥମ ଓଡିଆ ସିନେମା । ଏହା ଜରିଆରେ ମୁଁ ସମାଜର ନୂଆ ନିଶା ଫେକୁ ନ୍ୟୁଜ (ମିଥ୍ୟା ଖବର) ସହ ଲଢେଇ କରିଛି ଯାହା ସମାଜ ଉପରେ ଗଭୀର ପ୍ରଭାବ ପକାଉଛି । ମୋ ସିନେମାରେ ‘ବନ୍ଦେ ଉକ୍ରଳ ଜନନୀ’ ଗୀତକୁ ମୁଁ ଓଡିଶା ଓ ଏହାର ଲୋକମାନଙ୍କ ପ୍ରତି ଉତ୍ସର୍ଗ କରୁଛି । ଶଙ୍କର ଏହାସାନ ଲଏ ଏହାର ସଙ୍ଗୀତ ପ୍ରସ୍ତୁତ କରିଛନ୍ତି । ଆଜି ମୋ ପାଇଁ ଆହୁରି ଖୁସିର ଦିନ ଯେ, ସ୍ୱିଡେନରେ ଚାଲିଥିବା ବଫ୍ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଣ୍ଟିଭାଲରେ ମୋ ସିନେମା “ହାଲକା”କୁ ଶ୍ରେଷ୍ଠ କମେଡ ଚଳଚ୍ଚିତ୍ର ପୁରସ୍କାର ମିଳିଛି ।”
ଆମର ଆଶା ରହିଛି ଯେ ବିଜୁ ବାବୁ ଓଡିଆ ସିନେମା ଶିଳ୍ପରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ଏବଂ ଏହା ସବୁ ବର୍ଗର ଦର୍ଶକଙ୍କୁ ଭଲ ଲାଗିବ । ଏହି ସିନେମାରେ କିମ୍ବଦନ୍ତୀ ନେତା ବିଜୁ ବାବୁଙ୍କ ଛାପ ଦେଖିବାକୁ ମିଳିବ । ଏହି ସିନେମାରେ ରୋମାନ୍ସ, କମେଡି, ଗୀତ, ନୃତ୍ୟ ଏବଂ ରୋମାଂଚ ସବୁ କିଛି ରହିଛି । ପ୍ରେମ ଆନନ୍ଦ ଏହାର ସଙ୍ଗୀତ ପ୍ରସ୍ତୁତ କରିଛନ୍ତି । ସିନେମାର ପ୍ରମୁଖ କଳକାର ମାନେ ହେଉଛନ୍ତି ଅନୁଭବ ମହାନ୍ତି, ସୁପ୍ରିୟା ନାୟକ ଏବଂ ଏହାର ନବାଗତ ନିର୍ଦ୍ଦେଶକ ମାନେ ହେଉଛନ୍ତି ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ ।
ପ୍ରକାଶ ଥାଉକି, ଆଗକୁ ନିର୍ବାଚନ ଥିବାରୁ ଅନୁଭବଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ କୌଣସି ଏକ ନିର୍ଦ୍ଦିଷ୍ଟ ଦଳର ପ୍ରଚାର ପାଇଁ ପ୍ରସ୍ତୁତ ହେଉଛି ବୋଲି ଶୁଣିବାକୁ ମିଳିଥିବାବେଳେ ବର୍ତ୍ତମାନ ଦର୍ଶକଙ୍କ ଠାରୁ ମିଳିଥିବା ପ୍ରତିକ୍ରିୟା ଅନୁଯାୟୀ ଏଥିରେ ସେମିତି କିଛି ନାହିଁ ।


Share It

Comments are closed.