ନବୀନଙ୍କ ସାମନାରେ ଧରାଶାୟୀ ହୋଇପଡିଛନ୍ତି ବିରୋଧୀ


ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ । ଗଞ୍ଜାମ ଜିଲ୍ଲାର ଏହି ଆସନରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ କଂଗ୍ରେସ ଗଡ ଥିବାବେଳେ ୨୦୦୦ ମସିହାରୁ ଏଠାରେ ବିଜେଡି ଜିତି ଆସୁଛି । ବର୍ତ୍ତମାନ ନିର୍ବାଚନକୁ ଆଉ ଅଳ୍ପ କିଛି ଦିନ ବାକି ଥିବାବେଳେ ଏହି ନିର୍ବାଚନ ମଣ୍ଡଳୀରେ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ଆସି ପହଞ୍ଚିଛି ।
ସେପଟେ ବିରୋଧୀ ସମସ୍ତ ସ୍ଥାନୀୟ ସମସ୍ୟାକୁ ନେଇ ରଣନୀତି ପ୍ରସ୍ତୁତ କରି ଆସୁଥିବାବେଳେ କଂଗ୍ରେସ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ମାନବ୍ୟର ନବୀନ ପଟ୍ଟନାୟକ ଏହି ନିର୍ବାଚନ ମଣ୍ଡଳୀରୁ ଲଢି ଆସୁଥିବାବେଳେ ବିରୋଧୀ ଦଳମାନେ ନବୀନଙ୍କୁ ଟକ୍କର ଦେଲା ଭଳି ପ୍ରାର୍ଥୀ ଖୋଜି ପାରୁ ନାହାନ୍ତି । ସେଥିପାଇଁ ସାରା ଓଡିଶାର ନଜର ବର୍ତ୍ତମାନ ଓଡିଶାର ଏହି ହାଇପ୍ରୋଫାଇଲ ନିର୍ବାଚନ ମଣ୍ଡଳୀ ଉପରେ ।
ଯଦି ଏହି ନିର୍ବାଚନ ମଣ୍ଡଳୀର ଇତିହାସକୁ ଫେରିଯିବା, ତେବେ ୧୯୯୫ରେ ଜନତା ଦଳର ପ୍ରାର୍ଥୀ ହରିହର ସାହୁଙ୍କୁ କଂଗ୍ରେସର ପ୍ରାର୍ଥୀ ଉଦୟନାଥ ନାୟକ ପରାସ୍ତ କରିଥିଲେ । ଏହାପରେ ୨୦୦୦ ମସିହାରେ କଂଗ୍ରେସ ପ୍ରାର୍ଥୀ ଉଦୟନାଥ ନାୟକଙ୍କୁ ନବୀନ ପରାସ୍ତ କରି ବିଜୟ ହୋଇଥିଲେ । ନିର୍ବାଚନରେ ହାର ନମାନି କଂଗ୍ରେସ ୨୦୦୪ ପୁଣିଥରେ ଉଦୟଙ୍କ ପ୍ରାର୍ଥୀ କରାଇବା ପାଇଁ ମନସ୍ଥ କରିଥିଲେ କିନ୍ତୁ ଫଳାଫଳ ପୂର୍ବଭଳି ସମାନ ରହିଲା । ନବୀନ ପୁଣି ଥରେ ଏହି ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ ନେଇଥିଲେ ।
ଏହାପରେ ଉଦୟ ବିଜେଡିରେ ଯୋଗଦେଇଥିଲେ । ଯାହା ଯୋଗୁଁ କଂଗ୍ରେସ ୨୦୦୯ରେ ପ୍ରାର୍ଥୀ ପରିବର୍ତ୍ତନ କରାଇ ରାଘବ ପରିଡାକୁ ଟିକେଟ ଦେଇଥିଲା କିନ୍ତୁ ୨୦୦୦ ଓ ୨୦୦୪ ଭଳି ଫଳାଫଳ ସମାନ ରହିଲା । ନବୀନ ପୁଣିଥରେ ବିଜୟ ହୋଇ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ । ଯଦି ୨୦୧୪ ନିର୍ବାଚନ ଉପରେ ନଜର ପକାଇବା ତେବେ ନବୀନ ୮୯,୨୬୭ ଖଣ୍ଡ ଭୋଟ ପାଇ ପ୍ରଥମ ସ୍ଥାନରେ ରହିଥିବାବେଳେ କଂଗ୍ରେସ ଶିବରାମ ପାତ୍ର ୧୨,୬୮୧ ଖଣ୍ଡ ପାଇ ଦ୍ୱିତୀୟ ସ୍ଥାନରେ ଓ ବିଜେପିର ଦେବାନନ୍ଦ ମହାପାତ୍ର ୧୨,୨୮୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରିହଥିଲେ ।
ଚଳିତ ୨୦୧୯ ନିର୍ବାଚନ ପାଇଁ ନବୀନ ପୁଣିଥରେ ଏହି ଆସନରୁ ପ୍ରାର୍ଥୀ ରୂପେ ନିଶ୍ଚିତ ହୋଇଥିବାବେଳେ ବିରୋଧୀ ଦଳ କାହାକୁ ଏଠାରୁ ପ୍ରାର୍ଥୀ କରାଇବା ତାହା ଦେଖିବାକୁ ବାକି ରହିଛି ।


Share It

Comments are closed.