ଓଡ଼ିଶାରେ ଡିସେମ୍ବର ତ୍ରୈମାସିକ ଏଜିଆରରେ ଜିଓର ୫୦% ରୁ ଅଧିକ ବଜାରଅଂଶ ହାସଲ: ଟ୍ରାଇ ରିପୋର୍ଟ


ଓଡ଼ିଶାରେ ଟେଲିକମ କ୍ଷେତ୍ରରେ ଅଗ୍ରଣୀ ଧାରା ବଜାୟ ରଖି ରିଲାଏନ୍ସ ଜିଓ ଡିସେମ୍ବର ୩୧ରେ ଶେଷ ହୋଇଥିବା ତ୍ରୈମାସିକରେ ଆଡ଼ଜଷ୍ଟେଡ଼ ଗ୍ରସ ରେଭିନ୍ୟୁ (ଏଜିଆର)ରେ ୫୦% ରୁ ଅଧିକ ବଜାରଅଂଶ ହାସଲ କରିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷଙ୍କ ଦ୍ୱାରା ନିକଟରେ ପ୍ରକାଶିତ ଆର୍ଥିକ ରିପୋର୍ଟରୁ ଜଣାଯାଇଛି |

ଅକ୍ଟୋବର ରୁ ଡ଼ିସେମ୍ବର ୨୦୧୮ ମଧ୍ୟରେ ବିଭିନ୍ନ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ଆର୍ଥିକ ପ୍ରଦର୍ଶନ ସମ୍ପର୍କରେ ବିସ୍ତୃତ ସୂଚନା ରହିଥିବା ଏହି ରିପୋର୍ଟ ଅନୁଯାୟୀ ଏହି ତ୍ରୈମାସିକରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୩୦୩.୧୯ କୋଟି ଟଙ୍କାର ଆଡ଼ଜଷ୍ଟେଡ଼ ଗ୍ରସ ରେଭିନ୍ୟୁ (ଏଜିଆର) ହାସଲ କରିଥିବାବେଳେ ଭାରତୀ ଏୟାରଟେଲ ୧୭୮.୭୨ କୋଟି ଟଙ୍କା, ଭୋଡାଫୋନ ଆଇଡ଼ିଆ ୭୦.୨୯ କୋଟି ଟଙ୍କା, ବିଏସଏନଏଲ ୪୬.୫୨ କୋଟି ଟଙ୍କାର ଆଡ଼ଜଷ୍ଟେଡ଼ ଗ୍ରସ ରେଭିନ୍ୟୁ (ଏଜିଆର) ହାସଲ କରିଛନ୍ତି | ସେପ୍ଟେମ୍ବର ତ୍ରୈମାସିକ ତୁଳନାରେ ଡିସେମ୍ବର ତ୍ରୈମାସିକରେ ଓଡ଼ିଶାରେ ଜିଓର ଆଡ଼ଜଷ୍ଟେଡ଼ ଗ୍ରସ ରେଭିନ୍ୟୁ (ଏଜିଆର) ୩.୬% ବୃଦ୍ଧି ପାଇଁ ୫୦% ବଜାର ଅଂଶ ଅତିକ୍ରମ କରିଥିବାବେଳେ ଉକ୍ତ ଅବଧିରେ ଉଭୟ ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡ଼ିଆର ଆଡ଼ଜଷ୍ଟେଡ଼ ଗ୍ରସ ରେଭିନ୍ୟୁ (ଏଜିଆର) ରେ ହ୍ରାସ ଘଟିଥିବା ରିପୋର୍ଟରେ ପ୍ରକାଶ ପାଇଛି |

ସେହିଭଳି ଏହି ତ୍ରୈମାସିକରେ ଓଡ଼ିଶାରେ ମୋଟ ଆୟ (ଗ୍ରସ ରେଭିନ୍ୟୁ) ରେ ମଧ୍ୟ ଜିଓ ଅଗ୍ରଣୀ ସ୍ଥାନ ବଜାୟ ରଖି ୩୭୧.୧୧ କୋଟି ଟଙ୍କାରେ ପହଂଚିଥିବାବେଳେ ଏହି ଅବଧିରେ ଏୟାରଟେଲର ମୋଟ ଆୟ ୩୪୩.୪୦ କୋଟି ଟଙ୍କା ରହିଥିବା ଏହି ରିପୋର୍ଟରେ ଦର୍ଶା ଯାଇଛି | ଅନ୍ୟମାନଙ୍କ ମଧ୍ୟରେ ଏହି ତ୍ରୈମାସିକରେ ଭୋଡାଫୋନ ଆଇଡ଼ିଆର ମୋଟ ଆୟ ୧୨୮.୬୫ କୋଟି ଟଙ୍କା, ବିଏସଏନଏଲର  ୪୬.୫୨ କୋଟି ଟଙ୍କା ଏବଂ ଟାଟା ଟେଲିସର୍ଭିସେସର ୯.୮୧ କୋଟି ଟଙ୍କା ରହିଥିଲା | ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ତ୍ରୈମାସିକରେ ଜିଓ ପ୍ରଥମ ଥର ପାଇଁ ଓଡ଼ିଶାରେ ମୋଟ ଆୟରେ ଭାରତୀ ଏୟାରଟେଲଠାରୁ ଆଗକୁ ବଢି ପ୍ରଥମ ସ୍ଥାନ ଅଧିକାର କରିଥିଲା |

ସର୍ବଭାରତୀୟ ସ୍ତରରେ ମଧ୍ୟ ଜିଓ ଡିସେମ୍ବର ତ୍ରୈମାସିକରେ ଏଜିଆର ଭିତ୍ତିରେ ଅନ୍ୟ ସବୁ କମ୍ପାନୀ ମାନଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ଟ୍ରାଇର ଏହି ତ୍ରୈମାସିକ ଆର୍ଥିକ ରିପୋର୍ଟରୁ ଜଣାପଡିଛି | ଦେଶର ୨୨ ଟି ଟେଲିକମ ସର୍କଲ ମଧ୍ୟରୁ ଏଜିଆରରେ ଜିଓ ୧୩ ଟି ସର୍କଲରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୮ଟି  ଅନ୍ୟ ସର୍କଲରେ ଦ୍ଵିତୀୟ ସ୍ଥାନ ହାସଲ କରିଛି |

ନିକଟରେ ଟ୍ରାଇ ଦ୍ୱାରା ପ୍ରକାଶ ପାଇଥିବା ଟେଲିକମ ଉପଭୋକ୍ତା ସମ୍ପର୍କିତ ତଥ୍ୟ ଅନୁଯାୟୀ ଡିସେମ୍ବର ୩୧, ୨୦୧୮ ସୁଦ୍ଧା ଓଡ଼ିଶାରେ ଜିଓର ୮୦.୮ ଲକ୍ଷ ମୋବାଇଲ ଉପଭୋକ୍ତା ରହିଥିବାବେଳେ ଏୟାରଟେଲର ୧.୩୧ କୋଟି, ଭୋଡାଫୋନ ଆଇଡ଼ିଆର ୫୮.୮୬ ଲକ୍ଷ, ବିଏସଏନଏଲର ୫୫.୨୭ ଲକ୍ଷ ଏବଂ ଟାଟା ଟେଲିସର୍ଭିସେସର ୫.୨୭ ଲକ୍ଷ ମୋବାଇଲ ଉପଭୋକ୍ତା ରହିଛନ୍ତି | ଓଡ଼ିଶାରେ ଡିସେମ୍ବର ମାସରେ ନୂଆ ଉପଭୋକ୍ତା ଯୋଗ କରିବାରେ ଜିଓ ଏକମାତ୍ର ସେବା ପ୍ରଦାନକାରୀ ରହିଥିବା ବେଳେ ଅନ୍ୟ ସମସ୍ତ କମ୍ପାନୀଙ୍କ ମୋଟ ଗ୍ରାହକ ସଂଖ୍ୟାରେ ହ୍ରାସ ଘଟିଥିଲା |


Share It

Comments are closed.