ଜମ୍ମୁ କାଶ୍ମୀରରେ ଜଣେ ପୋଲିସ ଅଧିକାରୀଙ୍କୁ ଅପହରଣ କଲେ ଆତଙ୍କବାଦୀ


ଜମ୍ମୁ କାଶ୍ମୀରରେ ଆତଙ୍କବାଦି ମାନେ ପୁଣି ଏକ ପୋଲିସ ଅଧିକାରୀଙ୍କୁ ଅପହରଣ କରିଦେଇଛନ୍ତି । ମିଳିଥିବା ସୂଚନା ମୁତାବକ ଆତଙ୍କବାଦୀମାନେ ପୁଲୱାମାସ୍ଥିତ ଟ୍ରାଲ ଅଞ୍ଚଳ ଠାରେ ଜମ୍ମୁ କାଶ୍ମୀରର ସକିଲ ଅହମ୍ମଦ ଲୋନି ନାମକ ଜଣେ ପୋଲିସ ଅଧିକାରୀଙ୍କୁ ତାଙ୍କ ଘର ନିକଟରୁ ଅପହରଣ କରି ନେଇଛନ୍ତି । ଏହା ହେଉଛି ଶୁକ୍ରବାର ରାତି ବେଳର ଘଟଣା ଯାହାକି ଜମ୍ମୁ କାଶ୍ମୀର ଡିଜିପି ଏସ.ପି ବେଦ ଖୋଦ ଏହି ଘଟଣାର ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ସକିଲଙ୍କ ପରିବାର ଲୋକଙ୍କ ସହ ଆମେ ଯୋଗାଯୋଗ କରିବାକୁ ଚେଷ୍ଟା କଲାବେଳେ ସେ ତାଙ୍କ ସମ୍ପର୍କିୟଙ୍କ ଘରକୁ ବୁଲିବାକୁ ଯାଇଛନ୍ତି ବୋଲି ପରିବାର ଲୋକ କହିଥିଲେ ।
ଏହି ଅଞ୍ଚଳକୁ ହିଜବୁଦ ମୁଜାହିଦିନର ଗଡ ବୋଲି କୁହାଯାଏ । ପ୍ରକାଶ ଥାଉ କି ପୂର୍ବରୁ ଆତଙ୍କବାଦୀମାନେ ଏଭଳି ଅନେକ ବିଭତ୍ସ କାଣ୍ଡ ଘଟାଇସାରିଛନ୍ତି । ଆତଙ୍କବାଦୀମାନେ ପୂର୍ବରୁ ଜଣେ ଯବାନଙ୍କୁ ଅପହରଣ କରି ହତ୍ୟା କରିଥିବା ବେଳେ କିଛି ଦିନ ତଳେ କନେଷ୍ଟବଳ ସଲିମ ଶାହାଙ୍କୁ ତାଙ୍କ ଘର ନିକଟରୁ ଅପହରଣ କରି ହତ୍ୟା କରିଥିଲେ । ସଲିମ କୁଲଗାଁ ଜିଲ୍ଲାର ମୁତାଲହମ ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ତାଙ୍କର ମୃତ ଦେହକୁ ୨୧ ଜୁଲାଇରେ ଏକ ନିଛାଟିଆ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା ।
ସେହିଭଳି ୬ ଜୁଲାଇରେ ଆତଙ୍କବାଦୀମାନେ ସୋଫିଆସ୍ଥିତ କଚଦୁରା ଅଞ୍ଚଳର ବାସିନ୍ଦା କନେଷ୍ଟବଳ ଯାବେଦ ଅହମ୍ମଦ ଦାରଙ୍କୁ ମଧ୍ୟ ଅପହରଣ କରି ହତ୍ୟା କରିଥିଲେ ।
ଘଟଣାକ୍ରମେ ଇଦରେ ଆତଙ୍କବାଦୀମାନେ ଭାରତୀୟ ସୈନ୍ୟରେ କାର୍ଯ୍ୟରତ ଯବାନ ଔରାଙ୍ଗଜେବଙ୍କୁ ଅପହରଣ କରି ହତ୍ୟା କରିଥିଲେ । ସେନାର ୪୪ ରାଷ୍ଟ୍ରିୟ ରାଇଫଲ ରେଜିମେଣ୍ଟ ଯବାନ ଔରାଙ୍ଗଜେବଙ୍କ ଶବ ଗୁସୁ ଗ୍ରାମରୁ ଉଦ୍ଧାର କରାଯାଇଥିଲା । ଅପହରଣ ପୂର୍ବରୁ ତାଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଆସିଥିଲା, ଯାହାକି ବେଶ ଭାଇରାଲ ହୋଇଥିଲା ।


Share It

Comments are closed.