ଆନ୍ତର୍ଜାତିକ କ୍ରିକେଟରେ ଧୋନିଙ୍କ କ୍ୟାରିୟରକୁ ନେଇ ଭବିଷ୍ୟବାଣୀ କଲେ କୁମ୍ବଲେ


ଭାରତୀୟ ଦଳର ପୂର୍ବତ୍ତନ କୋଚ ଅନିଲ କୁମ୍ବଲେ, ଆଗାମୀ ବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପରେ ଦଳ କିପରି ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇପାରିବ ସେଥିପାଇଁ ସେ ଗୁରୁମନ୍ତ୍ର ଦେଇଛନ୍ତି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ନଜରରେ ରଖି ଭାରତୀୟ ଦଳ ବର୍ତ୍ତମାନ ଛୋଟ ଫର୍ମାଟ ବିଶିଷ୍ଟ ମ୍ୟାଚ ଅଧିକ ଖେଳିବ । ସେଥିପାଇଁ କୁମ୍ବଲେ ଦଳକୁ ଗୁରୁମନ୍ତ୍ର ଦେଇ କହିଛନ୍ତି, ଭାରତୀୟ ଦଳ ଆଗାମୀ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଅଲରାଉଣ୍ଡରଙ୍କୁ ଖେଳାଇବା ପରିବର୍ତ୍ତେ ଦ୍ରୁତ ବୋଲରଙ୍କୁ ଖେଳାଇବା ଉପରେ ପ୍ରାଥମିକତା ଦେବା ଉଚିତ । ଚହଲ ଏବଂ କୁଲଦୀପଙ୍କ ଭଳି ୱିକେଟ ସଂଗ୍ରହକାରୀ ବୋଲରଙ୍କୁ ଦଳରେ ରଖିବା ଉଚିତ । କାରଣ କାକର ପଡିବା ସମୟରେ ବଲଟି ଓଦା ଥିବାବେଳେ ଏହି ଦୁହେଁଙ୍କ ଭୂମିକା ବେଶ ମହତ୍ତ୍ୱପୂର୍ଣ୍ଣ ରହିବ ।
ସେ କହିଛନ୍ତି ଯେ, ଏହି ଫର୍ମାଟ ପାଇଁ ୱିକେଟ ସଂଗ୍ରହକାରୀ ବୋଲରଙ୍କୁ ଖୋଜିବା ବେଶ ମହତ୍ତ୍ୱପୂର୍ଣ୍ଣ ଅଟେ । ଯଦି ଏଥିପାଇଁ ଅଲରାଉଣ୍ଡରଙ୍କ ଖେଳାଇବା ପରିବର୍ତ୍ତେ ଦ୍ରୁତ ବୋଲରଙ୍କୁ ଖେଳାଇବାର ଆବଶ୍ୟକତା ପଡେ ତେବେ ତାହା ଉଚିତ ଅଟେ ।
ଧୋନୀଙ୍କ ସଂପର୍କରେ ଭବିଷ୍ୟବାଣୀ କରି କୁମ୍ବଲେ କହିଛନ୍ତି ଯେ, ୨୦୨୦ ଆଇପିଏଲରେ ଧୋନୀଙ୍କ ପ୍ରଦର୍ଶନକୁ ନେଇ କ୍ରିକେଟରେ ତାଙ୍କର ଆଗାମୀ ଭବିଷ୍ୟତ କ’ଣ ରହିବା ତାହା ନିର୍ଭର କରିବ । ଯଦି ଧୋନି ଏଥିରେ ଭଲ ପ୍ରଦର୍ଶନ କରନ୍ତି ଏବଂ ତାଙ୍କ ପ୍ରଦର୍ଶନକୁ ଦେଖି ଚୟନକର୍ତ୍ତା ଯଦି ଅନୁଭବ କରନ୍ତି କି ଦଳରେ ତାଙ୍କ ଆବଶ୍ୟକତା ରହିଛି ତେବେ ସେ ଟି-୨୦ ବିଶ୍ୱକପ ଖେଳିପାରନ୍ତି । ଏଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ ।


Share It

Comments are closed.