ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ଦୁଇଦିନଆ ଟପ୍ ଏକ୍ସପୋ ଓ ସମ୍ମିଳନୀ ୨୦୧୮ ଉଦଯାପିତ


ରାଜ୍ୟର ଜିଲ୍ଲାଗୁଡ଼ିକରେ ଆୟୋଜନ କରାଯାଉଥିବା କୃଷକ ମେଳାଗୁଡ଼ିକୁ ଅଧିକ ସୂଚନା ଭିତିକ ଓ ଆକର୍ଷଣୀୟ କରିବା ଉପରେ ରାଜ୍ୟ ଏମଏସଏସଇ ମନ୍ତ୍ରୀ ଜୋର ଦେଇଛନ୍ତି । ଏହି ମେଳା ଗୁଡ଼ିକରେ କୃଷି ବିଶେଷଜ୍ଞମାନେ ଯୋଗ ଦେବା ଦରକାର ବୋଲି ସେ କହିଛନ୍ତି । ଚାଷ ଉପରେ ଜ୍ଞାନ ଥିବା ଲୋକମାନେ ଚାଷୀଙ୍କୁ ବିଭିନ୍ନ ପ୍ରସଙ୍ଗ ଉପରେ ସେମାନେ ବୁଝିପାରୁଥିବା ଭାଷାରେ ଭଲ ଭାବେ ବୁଝାଇବା ଦରକାର ବୋଲି ସେ କହିଛନ୍ତି ।
ଟମାଟୋ, ପିଆଜ ଓ ଆଳୁ (ଟପ୍)କୁ ନେଇ ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍ଠାରେ ଆୟୋଜନ କରାଯାଇଥିବା ଦୁଇ ଦିନିଆ ଏକ୍ସପୋ ଓ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଉଦବୋଧନ ଦେଇ ସେ କହିଛନ୍ତି ଯେ, କୃଷକ ମେଳାଗୁଡ଼ିକରେ ଚାଷୀଙ୍କ ଅଂଶଗ୍ରହଣ ଏତେଟା ଉତ୍ସାହଜନକ ନୁହେଁ । ସେଗୁଡ଼ିକ କେବଳ ଏକ ଉତ୍ସବ ଭଳି ହୋଇଯାଉଛି । ଯଦି ଚାଷ ଉପରେ ଜ୍ଞାନ ଥିବା ଲୋକମାନେ ଏହି କୃଷକ ମେଳାଗୁଡ଼ିକରେ ଚାଷୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବା ପାଇଁ ଯୋଗଦେବେ ତେବେ ମେଳାରେ ଚାଷୀଙ୍କ ଅଂଶଗ୍ରହଣ ବଢ଼ିପାରିବ ଓ ସେମାନେ ଏହା ଦ୍ୱାରା ଲାଭବାନ ହୋଇପାରିବେ ।’’

ସେ ସୂଚନା ଦେଇଛନ୍ତି ଯେ, ଓଡ଼ିଶାରେ ୬୧.୮୦ ହେକ୍ଟର ଜମିରେ ଚାଷ ହେଉଛି । ଓଡ଼ିଶାରେ ଥିବା ମୋଟ ଚାଷୀଙ୍କ ମଧ୍ୟରୁ ୯୦% ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ । କୃଷି କ୍ଷେତ୍ରର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । କୃଷି ପାଇଁ ସ୍ୱତନ୍ତ୍ର ବଜେଟ୍ ଉପସ୍ଥାପନ ହେଉଛି । କୃଷି ବଜେଟ୍ ପରିମାଣ ୨୦୧୩-୧୪ରେ ୭୧୬୨ କୋଟି ଟଙ୍କା ଥିଲା ଯାହା ୨୦୧୭-୧୮ ସୁଦ୍ଧା ୧୪,୯୩୦ କୋଟି ଟଙ୍କାରେ ପହଂଚିସାରିଲାଣି ।

ରାଜ୍ୟର କୃଷି କ୍ଷେତ୍ରରେ ପୁଂଜିନିବେଶ କରିବା ପାଇଁ ୧୦ଟି ସଂସ୍ଥା ଆଗ୍ରହ ପ୍ରକାଶ କରିଛନ୍ତି । ଗତକାଲି ନିବେଶକଙ୍କୁ ନେଇ ଆୟୋଜନ କରାଯାଇଥିବା ବି୨ବି ବୈଠକରେ ସେମାନେ ଏହି ସଙ୍କେତ ପ୍ରଦାନ କରିଛନ୍ତି । ଆଗ୍ରହ ଦେଖାଇଥିବା କଂପାନିଗୁଡ଼ିକ ହେଉଛି ପ୍ରିମିୟର ଇରିଗେସନ୍, କେଭେଟଂର, ସାମଭି ହାଇ-ଫ୍ରେସ୍ ଫୁଡ୍ସ, ତିରୁପତି ଏକ୍ସପୋର୍ଟସ, ଡାଇନାମିକ୍ ଏଗ୍ରି କନସଲଟାଂଟସ୍, ଆରେଂଜଫ୍ରେସ୍ ଡଟ୍ କମ୍ ଓ ସଫଳ ।
ଉନ୍ନୟନ କମିସନର ଅସିତ ତ୍ରିପାଠୀ କହିଛନ୍ତି ଯେ, ସବୁ ଋତୁର ଫସଲ କରିବା ଉପରେ ଚାଷୀମାନେ ଗୁରୁତ୍ୱ ଦେବା ଦରକାର । ସେ କହିଛନ୍ତି ଯେ ଆଖାପାଖ ବଡ଼ ସହରଗୁଡ଼ିକୁ ନଜରରେ ରଖି ଗମନାଗମନ ସୁବିଧା ଥିବା ଗ୍ରାମାଚଂଳର ଚାଷୀମାନେ ରପ୍ତାନି କରିବା ଲକ୍ଷ୍ୟ ନେଇ ଚାଷ କରିବା ଦରକାର । ଏହା ହେଲେ ସେମାନଙ୍କ ଆୟ ଉତ୍ସର ପ୍ରବାହ ଜାରି ରହିପାରିବ । ଏହି ଅବସରରେ ଏମ୍ ମୁଥୁକୁମାର ଉପସ୍ଥିତ ଥିଲେ ।
କୃଷି ମାର୍କେଟିଂ ନିର୍ଦେଶକ ରବିନ୍ଦ୍ର ପ୍ରତାପ ସିଂହ ଚାଷ ସହ ବଜାର ସଂଯୋଗୀକରଣ ଉପରେ ଆଲୋଚନା କରିଥିଲେ । ରାଜ୍ୟ ସରକାର କଂଟ୍ରାକ୍ଟ ଫାର୍ମିଂ, ଗୋଦାମ ଓ ଶୀତଳଭଣ୍ଡାର ଓ ପ୍ରତ୍ୟକ୍ଷ ବଜାର ସଂଯୋଗୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି । ଏହି ଅବସରରେ ଆଇସିସି ଓଡ଼ିଶାର ସଂଯୋଜକ ଶ୍ରୀରାମ ପଣ୍ଡା ଧନ୍ୟବାଦ ଅର୍ପଣ କରିିଥିଲେ ।
ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ୬୦୦ ଚାଷୀ, ୫୦ ପ୍ରଡ୍ୟୁସର୍ସ ଅର୍ଗାନାଇଜେସନ୍, ୨୦ ଟ୍ରେଡର୍ସ ଅର୍ଗାନାଇଜେସନ୍ ଓ ୩୦ ଏନଜିଓ ଅଂଶଗ୍ରହଣ କରିଥିଲେ । ଗତକାଲି ନିବେଶକମାନଙ୍କୁ ନେଇ ବି୨ବି ବୈଠକ ଆୟୋଜନ କରାଯାଇଥିଲା । କଦଳୀ ଚାଷ ଠାରୁ ଆରମ୍ଭ କରି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଓଡ଼ିଶାରେ ସ୍ଥାପନ କରାଇବା ପାଇଁ କିଛି ସଂସ୍ଥା ଆଗ୍ରହ ପ୍ରକାଶ କରିଛନ୍ତି । ଇଟାଲିର ଏକ ସଂସ୍ଥା ରାଜ୍ୟ ସରକାରଙ୍କୁ ଉନ୍ନତ ପ୍ରଯୁକ୍ତି ଯୋଗାଇ ଦେବାକୁ ଆଗ୍ରହ ଦେଖାଇଥିବା ଜଣାପଡ଼ିଛି ।


Share It

Comments are closed.