୧୦୮ ଆମ୍ବୁଲାନ୍ସ ସେବାରେ ପ୍ରତିବନ୍ଧକ ସାଜିଛି ଫେକ୍ କଲ୍


ଭୁବନେଶ୍ୱର: ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ତଥା ୧୦୮ ଏବଂ ୧୦୨ ମାଗଣା ଆମ୍ବୁଲାନ୍ସ ପରିଚାଳନା ବ୍ୟବସ୍ଥା ଅନେକ ସମୟରେ ନିଜର ମହତ କାର୍ଯ୍ୟ ପାଇଁ ପ୍ରଶଂସାର ପାତ୍ର ହେଉଥିବାବେଳେ ଏହି ସେବା ପରିଚାଳନାରେ ମୁଖ୍ୟ ବାଧକ ସାଜିଛି ଫେକ୍ କଲ୍ । ଜରୁରୀକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସ ଫୋନ୍ ନମ୍ବର ଏବେ କେତେକଙ୍କ ପାଇଁ ପାଲଟିଛି ଟାଇମପାସ୍ର ଏକ ମାଧ୍ୟମ । ତେଣୁ ଦିନକୁ ଦିନ ୧୦୮ ଆମ୍ବୁଲାନ୍ସ କଣ୍ଟ୍ରୋଲ ରୁମକୁ ଆସୁଥିବା ଫେକ୍ କଲ୍ କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିବା ସହିତ ଅନେକଙ୍କ ପାଇଁ ଥଟ୍ଟାମଜାର ମାଧ୍ୟମ ପାଲଟିଛି । ଯାହା ଦ୍ୱାରା ପ୍ରକୃତ ସେବା ଆବଶ୍ୟକ କରୁଥିବା ବ୍ୟକ୍ତି କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ଅସୁବିଧାର ସମ୍ମୁଖିନ ହୋଇଥାଆନ୍ତି ।

ପୂର୍ବରୁ ଏହିପରି ଜଣେ ଅସାଧୁ ବ୍ୟକ୍ତି ୩ ହଜାରରୁ ଅଧିକ ଥର ଫୋନ୍ କରିଥିବାର ମଧ୍ୟ ନଜିର ରହିଛି । ଏହିପରି ଅନାବଶ୍ୟକ କଲ୍ରେ ଲାଇନ୍ ବ୍ୟସ୍ଥ ରହିବା ଦ୍ୱାରା ଅନେକ ଜରୁରୀ କଲ୍ ଗୁଡ଼ିକ ଗ୍ରହଣ ହୋଇପାରିନଥାଏ । ଯାହାଫଳରେ ନୀରିହ ଜନତାମାନେ ହିଁ କ୍ଷତି ସହିଥାଆନ୍ତି । ଲୋକ ମାନଙ୍କୁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ ୨୦୧୩ ମସିହାରେ କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା । ଜିକିତ୍ସା ହେଲଥ କେୟାର ଲିଃ. ନାମକ ଏକ ଘରୋଇ କମ୍ପାନୀ ଏହି ମାଗଣା ସେବା ପ୍ରଦାନର ତତ୍ତ୍ୱାବଧାନରେ ଥିବାବେଳେ ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରର ଇଡ଼କୋ ଟାୱାରରେ ଅବସ୍ଥାପିତ । ରାଜ୍ୟର ଯେକୌଣସି ଜିଲ୍ଲାରୁ ୧୦୮ କିମ୍ବା ୧୦୨ ପାଇଁ କଲ୍ ଆସିଲେ, ତାହା ଭୁବନେଶ୍ୱରର ନିୟନ୍ତ୍ରଣ କକ୍ଷକୁ ପ୍ରଥମେ ଆସିଥାଏ ଏବଂ ସେହିଠାରୁ ହିଁ ସଂପୃକ୍ତ ରୋଗୀଙ୍କ ନିକଟକୁ ଆମ୍ବୁଲାନ୍ସ ପଠାଇବାର ବ୍ୟବସ୍ଥା କରାଯାଇଥାଏ । ଏହି ଦୁଇଟିଯାକ ଦେୟ ମୁକ୍ତ ନମ୍ବରରେ ମିଥ୍ୟା କଲ୍ ସଂଖ୍ୟା ବଢିଚାଲିଥିବାରୁ ଏହି ସେବା ଅନେକାଂଶରେ ପ୍ରଭାବିତ ହେଉଛି । ଏହି ମିଥ୍ୟା କଲ୍ ସମ୍ପର୍କରେ ୧୦୮ କଲ୍ ସେଣ୍ଟରର ମ୍ୟାନେଜର କହିଛନ୍ତିଯେ, “ଆମ୍ଭେମାନେ ଦୈନନ୍ଦିନ ୧୦,୦୦୦ଟି କଲ୍ ଗ୍ରହଣ କରୁଥିବାବେଳେ ସେଗୁଡ଼ିକ ମଧ୍ୟରୁ ୭୦୦ଟି ମିଥ୍ୟା କଲ୍, ଯେଉଁ କଲ୍ ଗୁଡ଼ିକ ସାଧାରଣତଃ ସକାଳ ୭ ରୁ ଅପରାହ୍ନ ୩ଟା ମଧ୍ୟରେ ଆସିଥାଏ ।

ବିଶେଷକରି ଯେଉଁ ସମୟରେ ମହିଳା କର୍ମଚାରୀମାନେ ଫୋନ୍ ଧରନ୍ତି, ସେହି ସମୟରେ କେତେକ ଅସମାଜିକ ବ୍ୟକ୍ତିମାନେ ସେମାନଙ୍କୁ ଆଶୀଳନ ଭାଷାରେ କଥାବାର୍ତ୍ତା କରିଥାଆନ୍ତି, ଯାହାକି ଅତ୍ୟନ୍ତ ନିନ୍ଦନୀୟ । ଅନେକ କ୍ଷେତ୍ରରେ ଏହି ମିଥ୍ୟା କଲ୍ ଯୋଗୁଁ ଆମ୍ବୁଲାନ୍ସକୁ ଡ଼କାଯାଉଥିବାରୁ, ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଖାଲି ହାତରେ ଫେରୁଛି । ଏପରିକି ଅନେକ ସମୟରେ ରାସ୍ଥାରେ ବୁଲା ପଶୁଙ୍କ ଦେହ ଖରାପ ଅଛିବୋଲି ମଧ୍ୟ ନିୟନ୍ତ୍ରଣ କକ୍ଷକୁ ଫୋନ୍ ଆସୁଛି । ଏହାକୁନେଇ ୧୦୮ ନିୟନ୍ତଣ କକ୍ଷର ଜଣେ କର୍ମଚାରୀ କହିଛନ୍ତିଯେ, ମିଥ୍ୟା କଲ୍ ଆସୁଥିବା ନମ୍ବରରୁ ଏକାଧିକ ଥର ଫୋନ୍ ଆସିଲେ, ଆମ୍ଭେମାନେ ତାକୁ ସିଷ୍ଟମରେ ଫେକ୍ କଲର ତାଲିକାରେ ପକାଇଦେଉଛୁ ଏବଂ ସମୟ ସମୟରେ ସେମାନଙ୍କୁ ଏହିପରି ଏକ ଜରୁରୀକାଳୀନ ସେବାକୁ ବ୍ୟସ୍ତ ନରଖିବାକୁ ପରାମର୍ଶ ଦେଉଛୁ ।


Share It

Comments are closed.